ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କ ଉପରେ ଆକ୍ରମଣ ହେବା ନେଇ ଗୁଇନ୍ଦା ଖବର ମିଳିବା ପରେ ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଭାଗ ତାଙ୍କୁ ଜେଡ କାଟାଗୋରୀର ସୁରକ୍ଷା ପ୍ରଦାନ କରିଛି। ଏହି ସୁରକ୍ଷା ବ୍ୟବସ୍ଥାରେ ମୋଟ ୩୩ ଜଣ କମାଣ୍ଡୋଙ୍କୁ ସୁରକ୍ଷା କର୍ମୀ ଭାବେ ନିୟୋଜିତ ହୋଇଥିବା ନେଇ ସୂଚନା ମିଳିଛି। ହିମାଚଳ ପ୍ରଦେଶର ଧରମଶାଳାରେ ଥିବା ତାଙ୍କ ବାସଭବନରେ ଏହି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ସୂଚନା ମୁତାବକ, ୧୯୫୯ ମସିହାରେ ଚିନ ତିବ୍ଦତ ଉପରେ ଆକ୍ରମଣ କରିବା ଯୋଗୁଁ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା ଭାରତ ଚାଲି ଆସିଥିଲେ। ବୌଦ୍ଧ ଧର୍ମରେ ଦଲାଇ ଲାମାଙ୍କ ସୁଖ୍ୟାତି ଓ ଭୂ-ରାଜନୈତିକ କାରଣ ସକାଶେ ଭାରତ ମଧ୍ୟ ତାଙ୍କୁ ଶରଣ ଯୋଗାଇ ଦେଇଥିଲା। ଏହା ପରଠୁ ଚାଇନା ତାଙ୍କୁ ତିବ୍ଦତର ଧର୍ମଗୁରୁ ବୋଲି ଗ୍ରହଣ କରିବାକୁ ଚାହୁଁନାହିଁ। ଆସନ୍ତା ଜୁଲାଇ ମାସରେ ତାଙ୍କୁ ୯୦ ବର୍ଷ ହେବାକୁ ଯାଉଛି। ତେବେ ସେ ତାଙ୍କ ମୃତ୍ୟୁ ପୂର୍ବରୁ ସ୍ୱଦେହରେ ତାଙ୍କ ଦେଶ ତିବ୍ଦତକୁ ଯିବାକୁ ଚାହାନ୍ତି ବୋଲି ଜଣାଇଛନ୍ତି।
ବର୍ଷ ବର୍ଷ ଧରି ଦଲାଇ ଲାମାଙ୍କ ଉପରେ ଆକ୍ରମଣ ହେବା ନେଇ ଭାରତକୁ ଗୁଇନ୍ଦା ରିପୋର୍ଟ ମିଳି ଆସୁଛି। ଚାଇନା ଦ୍ୱାରା ଆକ୍ରମଣର ସମ୍ଭାବନା ଅଧିକ ରହିଛି। ତେଣୁ ଭାରତୀୟ ଅଧିକାରି ମାନେ ଦଲାଇ ଲାମାଙ୍କ ସୁରକ୍ଷାକୁ ନେଇ କୌଣସି ପ୍ରକାର ଢିଲା ଦେବାକୁ ଚାହୁଁ ନାହାନ୍ତି। ତେବେ ଆସନ୍ତା ଜୁଲାଇ ମାସରେ ପଡୁଥିବା ତାଙ୍କ ଜନ୍ମଦିନରେ ପ୍ରମୁଖ ଭାବେ ତିନିଟି ଘୋଷଣା କରିବାକୁ ଯାଉଛନ୍ତି ବୋଲି ସୂଚନା ରହିଛି।