ନୂଆଦିଲ୍ଲୀ, ୦୨/୦୬ : ଦେଶର ପ୍ରଥମ ଦଳିତ କ୍ରିକେଟର... ଯାହାଙ୍କ ସହ ଟିମ୍ରେ ହେଉଥିଲା ଭେଦଭାବ। ପାଖରେ ବସାଇବା ତ ଦୂରର କଥା ଛୁଉଁ ନଥିଲେ ସାଥୀ କ୍ରିକେଟର। ଅଲଗା ଟେବୁଲରେ ବସି ଖାଉଥିଲେ ଖାଦ୍ୟ। ଗ୍ରାଉଣ୍ଡର ଏକ କୋଣରେ ଧୋଉଥିଲେ ମୁହଁ ହାତ। ତାଙ୍କ ପାଇଁ ପାଣି ନେଇ ଯାଉଥିଲେ ଜଣେ ଦଳିତ ବୟ। ତଥାପିବି ସେ ତାଙ୍କ ଜୀବନରେ ମାନିନଥିଲେ ହାର୍। ତାଙ୍କର ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଉଥିଲେ ଇଂରେଜ କ୍ରିକେଟର। ତୀର ବେଗରେ ଗତି କରୁଥିଲା ତାଙ୍କ ବଲ୍। ତାଙ୍କରି ହାତରେ ଥିଲା ଟିମ୍ର ସମ୍ମାନ। ଆମ୍ଵେଦକର ବି ତାଙ୍କୁ ମାନୁଥିଲେ ହିରୋ। ତେବେ କିଏ ସେହି କ୍ରିକେଟର ? ଜାଣନ୍ତୁ...
୧୯ ମାର୍ଚ୍ଚ ୧୯୮୬, ବମ୍ଵେ ରେସିଡେନ୍ସି ଧାରୱାଡରେ ଜନ୍ମଗ୍ରହଣ କରିଥିଲେ ପାଲବଙ୍କର ବାଲୁ। ତାଙ୍କ ପିତା ବ୍ରିଟିସ୍ ଭାରତୀୟ ସେନାର ଜଣେ ସିଫାହୀ ଥିଲେ। ବାଲୁ ଛୋଟ ବେଳେ ଇଂରେଜମାନଙ୍କୁ କ୍ରିକେଟ ଖେଳୁଥିବାର ଦେଖୁଥିଲେ। ଯେତେବେଳେ ବଲ୍ଟି ପଡିଆ ବାହାରକୁ ଗଡିଗଡି ଚାଲି ଆସୁଥିଲା, ସେତେବେଳେ ସେ ବଲ୍କୁ ଉଠାଇ ପଡିଆ ଭିତରକୁ ଫିଙ୍ଗି ଦେଉଥିଲେ। ଯଦି ଅଳିଆ ଗଦା ଭିତରୁ କୌଣସି ବଲ୍ ପାଉଥିଲେ ତାକୁ ଧରି ଘରକୁ ଚାଲି ଆସୁଥିଲେ। ଘରେ ସାନ ଭାଇ ଶିବରାମଙ୍କ ସହ ଅଭ୍ୟାସ କରୁଥିଲେ। ବଡ଼ ହେବା ପରେ ୧୮୯୨ରେ ବାଲୁ ଇଂରେଜମାନଙ୍କ ପୁନା କ୍ରିକେଟ କ୍ଲବରେ କାମ କରିବା ଆରମ୍ଭ କଲେ। ଦିନେ ଜଣେ ଇଂରେଜ ବ୍ୟାଟର ପ୍ରାକ୍ଟିସ୍ କରିବା ପାଇଁ ବାଲୁଙ୍କୁ ବଲ୍ ଫୋପାଡିବାକୁ ଡାକିଥିଲେ। ଏହାପରେ ବାଲୁ ଏଭଳି ବୋଲିଂ କଲେ ଯେ, ଷ୍ଟମ୍ପ୍ ବଞ୍ଚାଇବା ବ୍ୟାଟରଙ୍କ ପାଇଁ ମୁସ୍କିଲ ହୋଇପଡିଲା। ପରଦିନ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ନାମ ଥିଲା ବାଲୁ। ଏହାପରେ ଟିମ୍ ତାଙ୍କୁ ବୋଲର ଭାବେ ପ୍ରାକ୍ଟିସ୍ କରିବାକୁ ଟିମ୍ରେ ସାମିଲ କଲା। ବ୍ରିଟିସ୍ର ଦ୍ରୁତ ବୋଲର ବାର୍ଟନଙ୍କୁ ଗୁରୁ କରି ବାଲୁ ନିଜର ପ୍ରାକ୍ଟିସ୍ ଆରମ୍ଭ କଲେ।
ପୁନାରେ ସେହି ସମୟରେ ଏକ ହିନ୍ଦୁ କ୍ଲବ ଥିଲା। ଏହି କ୍ଲବ୍ ୟୁରୋପୀୟଙ୍କ ବିରୋଧରେ ମ୍ୟାଚ୍ ଖେଳୁଥିଲା। ସେତେବେଳେ ଏହି ଟିମ୍କୁ ଜଣେ ବୋଲରର ଆବଶ୍ୟକତା ଥିଲା। ଏହି ସମୟରେ ବାଲୁଙ୍କ ଉପରେ ହିନ୍ଦୁ କ୍ଲବର ନଜର ପଡିଲା। ତେବେ ହିନ୍ଦୁ କ୍ଲବରେ କେବଳ ଉଚ୍ଚ ଜାତିର କ୍ରିକେଟର ଥିଲେ। ବାଲୁ ଜଣେ ଦଳିତ ହୋଇଥିବାରୁ ତାଙ୍କୁ ଦଳରେ ମିଶାଇବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲା। ଏହିଭଳି ଭାବେ ହିନ୍ଦୁ କ୍ଲବ ୨ ଭାଗ ହୋଇଗଲା। ଶେଷରେ ବାଲୁଙ୍କୁ ଟିମ୍ରେ ସାମିଲ କରାଗଲା। ହେଲେ ଖେଳିବା ସମୟରେ ବାଲୁଙ୍କ ସହ ଭେଦଭାବ କରାଗଲା। ସାଥୀ କ୍ରିକେଟରମାନେ ତାଙ୍କୁ ଛୁଉଁ ନଥିଲେ। ଟି ଟାଇମ୍ ସମୟରେ ତାଙ୍କୁ ଏକ ମାଟି କପ୍ରେ ଚା ଦିଆଯାଉଥିଲା। ହେଲେ ସେ କେବେ ହାର୍ ମାନି ନଥିଲେ। ତାଙ୍କ ଘାତକ ବୋଲିଂରେ ସେ ସମସ୍ତଙ୍କୁ ଘାଇଲା କରିଥିଲେ।
ଏକ ସମୟରେ ସବୁ ବ୍ରିଟିସ୍ ଖବରକାଗଜରେ ବାଲୁ ହେଡ୍ଲାଇନ୍ସରେ ଥିଲେ। ତାଙ୍କର ତୁଳନା ବ୍ରିଟିସ୍ ବୋଲରଙ୍କ ସହ କରାଯାଉଥିଲା। ୧୯୦୭ ରୁ ନେଇ ୧୯୧୧ ମଧ୍ୟରେ ହୋଇଥିବା ୫ଟି ମ୍ୟାଚ୍ରେ ସେ ୪୦ ୱିକେଟ୍ ନେଇଥିଲେ। ପ୍ରତି ୱିକେଟ୍ ପାଇଁ ସେ ୧୦ ଠୁ ବି କମ୍ ରନ୍ ଖର୍ଚ୍ଚ କରିଥିଲେ। ୧୯୩୭ରେ ପାଲବଙ୍କର ବମ୍ଵେରୁ ବାବା ସାହେବ ଆମ୍ଵେଦକରଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ। କଡା ଟକ୍କର ଦେଇ ନିର୍ବାଚନ ହାରି ଯାଇଥିଲେ। ବାସ୍ତବରେ ଦୁହେଁ ଭଲ ମିତ୍ର ଥିଲେ। ସମାଜରେ ଦଳିତଙ୍କ ଉଦ୍ଧାର ପାଇଁ ଯଥା ସମ୍ଭବ ଚେଷ୍ଟା କରୁଥିଲେ।