ମୁମ୍ବାଇ ୧୭/୦୪: ଚଳିତ ଆଇପିଏଲ୍ର ୩୩ତମ ଲିଗ୍ ମୁକାବିଲାରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ଗ୍ରାଉଣ୍ଡ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଉଭୟ ଦଳ ନିଜ ନିଜର ଶେଷ ମ୍ୟାଚ୍ ଜିତିଥିବାରୁ ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବେ । ଫଳରେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ରହିବ ।
ପୂର୍ବ ରେକର୍ଡ ମୁମ୍ବାଇ ପକ୍ଷରେ ରହିଛି । ମାତ୍ର ଫର୍ମକୁ ଦେଖିଲେ ସନରାଇଜର୍ସର ପଲା ଭାରି ରହିବା ଅନୁମାନ କରାଯାଉଛି । ଉଭୟ ଦଳ ଗତ ୧୭ ବର୍ଷ ମଧ୍ୟରେ ୨୩ଥର ସାମ୍ନା ସାମ୍ନି ହୋଇଛନ୍ତି। ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୧୩ଟି ଓ ସନରାଇଜର୍ସ ୧୦ଟି ମ୍ୟାଚ୍ ଜିତିଛନ୍ତି । ଗତ ସିଜନରେ ଉଭୟ ଦଳ ମଧ୍ୟରେ ୨ଟି ମ୍ୟାଚ୍ ଖେଳାଯାଇଥିଲା । ଏଥିରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲେ ।
ଉଭୟ ଦଳ ଇତି ମଧ୍ୟରେ ୬ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି ଓ ୨ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ପଏଣ୍ଟ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ସପ୍ତମ ଓ ସନରାଇଜର୍ସ ନବମ ସ୍ଥାନରେ ରହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଆଜି ଜିତିଲେ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇପାରିବ । ଘରୋଇ ଗ୍ରାଉଣ୍ଡ ଓ ଦର୍ଶକ ସମର୍ଥନ ମୁମ୍ବାଇକୁ ସହାୟତା କରିବ । ସନରାଇଜର୍ସ ମଧ୍ୟ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ।
ଗତ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍ରେ ଅଭିଷେକ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ସନରାଇଜର୍ସ ବିଜୟ ହାସଲ କରିଥିଲା । ଆଜି ୱାଙ୍ଖଡ଼େ ଷ୍ଟାଡ଼ିୟମ୍ର ବ୍ୟାଟିଂ ଅନୁକୂଳ ପିଚ୍ରେ ତାଙ୍କ ବ୍ୟାଟ୍ରୁ ବଡ଼ ସ୍କୋର ଦେଖିବାକୁ ଦର୍ଶକ ଆଶା ରଖିବେ। ଟ୍ରେଭିସ୍ ହେଡ୍ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି । ମାତ୍ର ସନରାଇଜର୍ସର ଉଭୟ ଓପନରଙ୍କୁ ଅଟକାଇବା ଭଳି ବୋଲିଂ ବିଭାଗ ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ରହିଛି ।
ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ଓ ଦୀପକ ଚହରଙ୍କୁ ନେଇ ଗଠିତ ପେସ୍ ବାହିନୀ ଯେକୌଣସି ବ୍ୟାଟିଂ ବିଭାଗକୁ ଧ୍ୱଂସ କରିବାର କ୍ଷମତା ରଖିଛି । ଆଜି ସମସ୍ତଙ୍କ ନଜର ଇଶାନ କିଷନଙ୍କ ଉପରେ ରହିବ । ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୨୦୧୮ରୁ ୨୦୨୩ ସିଜନ ପର୍ଯ୍ୟନ୍ତ ଖେଳିଛନ୍ତି । ୱାଙ୍ଖଡ଼େ ତାଙ୍କ ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ କହିଲେ ଭୁଲ ହେବ ନାହିଁ ।
ଆଜି ସେ ସନରାଇଜର୍ସ ପକ୍ଷରୁ ୱାଙ୍ଖଡ଼େକୁ ଓହ୍ଲାଇବେ । ଉଭୟ ଦଳରେ ତାରକା ଖେଳାଳି ଭରପୁର । ମାତ୍ର ଫର୍ମକୁ ନେଇ ଉଭୟ ଦଳ ଚିନ୍ତାରେ ରହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଓପନର ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ଏପର୍ଯ୍ୟନ୍ତ ବଡ଼ ଇନିଂସ ବାହାରି ନାହିଁ । ଅନ୍ୟ ଓପନର ର୍ୟାନ ରିକେଲଟନଙ୍କ ପ୍ରଦର୍ଶନ ମଧ୍ୟ ଅସ୍ଥିର ରହିଛି । ଅବଶ୍ୟ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ଫର୍ମକୁ ଫେରିଥିବାରୁ ଦଳ ସାମାନ୍ୟ ଆସ୍ୱସ୍ତ ରହିଛି ।
ସନରାଇଜର୍ସ ପକ୍ଷରୁ ଉଭୟ ଇଶାନ ଓ ଅଭିଷେକ ଶତକ ଅର୍ଜନ କରିସାରିଛନ୍ତି । ହେଡ୍ ମଧ୍ୟ ୩ଟି ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି। ମାତ୍ର ମଧ୍ୟ କ୍ରମ ବ୍ୟାଟରମାନେ ଏବେବି ସଂଘର୍ଷ କରୁଛନ୍ତି । ବୋଲିଂ ବିଭାଗ ମଧ୍ୟ ଅସନ୍ତୁଳିତ ରହିଛି । ପ୍ୟାଟ୍ କମିନ୍ସଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ବୋଲର ବ୍ୟୟ ବହୁଳ ସାବ୍ୟସ୍ତ ହୋଇଛନ୍ତି ।
ଆଜି ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ଆଶା କରାଯାଉଛି । ସୂର୍ଯ୍ୟକୁମାର ଓ ତିଳକ ଯଥାକ୍ରମେ ୩ ଓ ୪ନଂ ସ୍ଥାନରେ ବ୍ୟାଟିଂ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ବିଭାଗ ସନ୍ତୁଳିତ ହୋଇଛି । ତେଣୁ ୱିଲ ଜ୍ୟାକ୍ସଙ୍କ ସ୍ଥାନରେ ବେଭନ ଜାକବ୍ସ କିମ୍ବା କର୍ବିନ ବସ୍କଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ବସ୍କ ଆଜି ନେଟ୍ସରେ ଦୀର୍ଘ ସମୟ ଧରି ଅଭ୍ୟାସ କରିଛନ୍ତି । ସନରାଇଜର୍ସ ମଧ୍ୟ ଜଣେ ଅଲରାଉଣ୍ଡର ଭାବେ ୱିଆନ ମୋଲ୍ଡରଙ୍କୁ ଏକାଦଶରେ ସ୍ଥାନ ଦେଇପାରେ । ଫଳରେ ଇଶାନ ମାଲିଙ୍ଗା କିମ୍ବାଙ୍କୁ ଏକାଦଶରୁ ବାଦ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଜି ଉଭୟ ଦଳର କିଛି ଖେଳାଳି ବୁମରା ଓ ହେଡ୍, ରୋହିତ ଓ କମିନ୍ସଙ୍କ ମଧ୍ୟରେ ଏକ ଅଘୋଷିତ ଲଢେଇ ଦେଖିବାକୁ ମିଳିପାରେ । ଗତ ବର୍ଡର-ଗାଭାସ୍କର ଟ୍ରଫିରୁ ଏହି ଲଢେଇ ଆରମ୍ଭ ହୋଇଛି ।
ୱାଙ୍ଖଡ଼େ ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ମାତ୍ର ସଂଧ୍ୟା ସମୟରେ ସମୁଦ୍ର ପଟୁ ପବନ ବହୁଥିବାରୁ ପେସ୍ ବୋଲରମାନେ ପିଚ୍ର ଫାଇଦା ଉଠାଇ ପାରିବେ । ପ୍ରଥମାର୍ଦ୍ଧରେ ଏଠାରେ ନୂଆ ବଲ୍ ସୁଇଂ କରିବ । ଫଳରେ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦ୍ୱାଦଶ
ମୁମ୍ବାଇ ଇଣ୍ଡିଆନ୍ସ:- ରୋହିତ ଶର୍ମା, ର୍ୟାନ ରିକେଲଟନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ନମନ ଧିର, ୱିଲ ଜ୍ୟାକ୍ସ/କର୍ବିନ ବସ୍କ, ମିଚେଲ ସାଣ୍ଟନର, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା, କରଣ ଶର୍ମା/ବିଘ୍ନେଶ ପୁଥୁର ।
ସନରାଇଜର୍ସ ହାଇଦ୍ରାବାଦ :- ଟ୍ରେଭିସ ହେଡ୍, ଅଭିଷେକ ଶର୍ମା, ଇଶାନ କିଷନ, ନୀତିଶ କୁମାର ରେଡ୍ଡୀ, ହେନରିକ କ୍ଲାସେନ, ଅନିକେତ ବର୍ମା, ଅଭିନବ ମନୋହର, ପ୍ୟାଟ୍ କମିନ୍ସ(ଅଧିନାୟକ), ହର୍ଷଲ ପଟେଲ, ମହମ୍ମଦ ସାମି, ଜୀସନ ଅନସାରୀ, ଇଶାନ ମାଲିଙ୍ଗା/ ୱିଆନ ମୋଲ୍ଡର ।
IPL-2025: ରାଜସ୍ଥାନକୁ ସୁପର ଓଭରରେ ହରାଇଲା ଦିଲ୍ଲୀ; ଛକା ମାରି ଜିତାଇଲେ ଷ୍ଟବ୍ସ