ଅହମ୍ମଦାବାଦ,୧୯/୦୪: ଚଳିତ ଆଇପିଏଲ୍ର ୩୫ତମ ଲିଗ୍ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଘରୋଇ ଗ୍ରାଉଣ୍ଡ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଅପରାହ୍ଣରେ ଖେଳାଯିବ ଏହି ମ୍ୟାଚ୍ । ଉଭୟ ଦଳ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନ ଦଖଲ କରି ରହିଛନ୍ତି । ତେଣୁ ଶୀର୍ଷ ସ୍ଥାନ ପାଇଁ ଉଭୟ ଦଳ ମଧ୍ୟରେ ଜୋରଦାର ସଂଘର୍ଷ ହେବ । ଦିଲ୍ଲୀ କ୍ୟାପିଟାଲ୍ସ ୬ଟି ମ୍ୟାଚ୍ରୁ ୫ବିଜୟ ସହ ମୋଟ୍ ୧୦ ପଏଣ୍ଟ ହାସଲ କରିଥିବାବେଳେ ଟାଇଟନ୍ସ ୬ଟି ମ୍ୟାଚ୍ରୁ ୪ ବିଜୟ ସହ ୮ ପଏଣ୍ଟ ସହ ଦ୍ୱିତୀୟରେ ରହିଛି ।
ଆଜି ଘରୋଇ ଗ୍ରାଉଣ୍ଡ୍ରେ ବିଜୟ ହାସଲ କଲେ ଟାଇଟନ୍ସ ଶୀର୍ଷକୁ ଉଠିପାରିବ । କ୍ୟାପିଟାଲ୍ସ ଜିତିଲେ ପ୍ଲେ-ଅଫ୍ର ନିକଟତର ହେବ । ପୂର୍ବ ରେକର୍ଡ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରେ ରହିଛି । ଉଭୟ ଦଳ ୫ଥର ସାମ୍ନା ସାମ୍ନି ହୋଇଛନ୍ତି । ଏଥିରୁ ଦିଲ୍ଲୀ କ୍ୟାପିଟାଲ୍ସ ୩ଟି ମ୍ୟାଚ୍ ଜିତିଛି । ଗତ ବର୍ଷ ଉଭୟ ଦଳ ମଧ୍ୟରେ ୨ଟି ମ୍ୟାଚ୍ ଖେଳାଯାଇଥିଲା ଓ ଦିଲ୍ଲୀ କ୍ୟାପିଟାଲ୍ସ ଉଭୟ ମ୍ୟାଚ୍ ଜିତିଥିଲା । ଚଳିତ ବର୍ଷର ପ୍ରଦର୍ଶନକୁ ଦେଖିଲେ ଏହି ମ୍ୟାଚ୍ର ପୂର୍ବାନୁମାନ କରିବା କଷ୍ଟକର । ଅକ୍ଷର ପଟେଲଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଚମତ୍କାର ପ୍ରଦର୍ଶନ କରୁଛି । କରୁଣ ନାଏର ଓ କେଏଲ ରାହୁଲଙ୍କ ଉପସ୍ଥିତି ବ୍ୟାଟିଂ ବିଭାଗକୁ ସୁଦୃଢ଼ କରିଛି । ବୋଲିଂ ବିଭାଗରେ ମଧ୍ୟ ବେଶ୍ ବିଭିନ୍ନତା ରହିଛି । ବିଶେଷ କରି ମଧ୍ୟ ଓଭର ଗୁଡ଼ିକରେ କୁଲଦୀପ ଯାଦବ ଶୃଙ୍ଖଳିତ ବୋଲିଂ କରୁଥିବାରୁ ଏହା ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି ।
ଟାଇଟନ୍ସର ବ୍ୟାଟିଂ ବିଭାଗ ମୁଖ୍ୟତଃ ଉପର ୩ ବ୍ୟାଟର ଶୁଭମନ ଗିଲ୍, ସାଇ ସୁଦର୍ଶନ ଓ ଜୋସ ବଟଲରଙ୍କ ଉପରେ ନିର୍ଭର କରୁଛି । ମଧ୍ୟକ୍ରମ ବ୍ୟାଟିଂ ବିଭାଗରେ ନିୟମିତ ଭାବେ ପରୀକ୍ଷା ନିରୀକ୍ଷା ଚାଲିଛି । କିନ୍ତୁ ଶୃଙ୍ଖଳିତ ପେସ୍ ବୋଲିଂ ବିଭାଗ ଯୋଗୁଁ ଟାଇଟନ୍ସ ଶକ୍ତିଶାଳୀ ଦଳ ରୂପେ ଉଭା ହୋଇଛି ।
ଆଜି ପେସ୍ ବୋଲର ମୋହିତ ଶର୍ମାଙ୍କ ଉପରେ ନଜର ରହିବ । ଭେଟେରାନ ମୋହିତ ୨୦୨୨ରୁ ୨୦୨୪ ସିଜନ ପର୍ଯ୍ୟନ୍ତ ଟାଇଟନ୍ସ ପକ୍ଷରୁ ଖେଳିଥିଲେ । ୨୦୨୩ ସିଜନରେ ସେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଥିଲେ । ଆଜି ସେ ନିଜ ପୂର୍ବ ଦଳ ବିପକ୍ଷରେ ଖେଳିବାକୁ ଯାଉଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶରେ ପରିବର୍ତ୍ତନ କରିବାର ସେଭଳି ସମ୍ଭାବନା ନାହିଁ । କେବଳ ଜେକ ଫ୍ରେଜର-ମ୍ୟାକଗର୍କଙ୍କ ସ୍ଥାନରେ ଫାଫ ଡୁ ପ୍ଲେସି ଖେଳିପାରନ୍ତି ।
ଟାଇଟନ୍ସ ଦଳ ମଧ୍ୟ ଅପରିବର୍ତ୍ତିତ ରହିବା ଏକ ପ୍ରକାର ନିଶ୍ଚିତ । ଆହତ ହୋଇ ବାଦ ପଡ଼ିଥିବା ଗ୍ଲେନ ଫିଲିପ୍ସଙ୍କ ସ୍ଥାନରେ ଡାସୁନ ସଣକା ଦଳରେ ଯୋଗ ଦେଇ ଅଭ୍ୟାସ କରୁଥିଲେ ହେଁ ଆସନ୍ତାକାଲି ଖେଳିବେ ନାହିଁ । ମୋଟ ଉପରେ କହିବାକୁ ଗଲେ ଉଭୟ ଦଳର ସ୍ପିନରଙ୍କ ମଧ୍ୟରେ ଅସଲ ଲଢ଼େଇ ଦେଖିବାକୁ ମିଳିବ । ଟାଇଟନ୍ସ ଦଳରେ ରସିଦ ଖାନ, ସାଇ କିଶୋର ଓ ୱାସିଂଟନ ସୁନ୍ଦର ରହିଛନ୍ତି । ସେହିପରି ଅକ୍ଷର, କୁଲଦୀପ ଓ ବିପ୍ରଜ ନିଗମ ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନ ବିଭାଗ ସମ୍ଭାଳୁଛନ୍ତି । ମୋଟେରା ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ।
ଆଜି କଳା ମାଟିରେ ପ୍ରସ୍ତୁତ ପିଚ୍ରେ ମ୍ୟାଚ୍ ଖେଳାଯିବ । ତେଣୁ ସ୍ପିନରମାନେ ପିଚ୍ର ଭରପୂର ଫାଇଦା ଉଠାଇ ପାରିବେ । ଅପରାହ୍ଣରେ ମ୍ୟାଚ୍ ଖେଳାଯାଉଥିବାରୁ ଟସ୍ର ସେଭଳି ଭୂମିକା ରହିବ ନାହିଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
-: ସମ୍ଭାବ୍ୟ ଦ୍ବାଦଶ:-
ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ସେରଫାନ ରଦରଫୋର୍ଡ, ଶାହରୁଖ ଖାନ, ୱାସିଂଟନ ସୁନ୍ଦର, ରାହୁଲ ତେୱାତିଆ, ରସିଦ ଖାନ, ଅର୍ସଦ ଖାନ, ସାଇ କିଶୋର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।
ଦିଲ୍ଲୀ କ୍ୟାପିଟାଲ୍ସ: ଫାଫ ଡୁ ପ୍ଲେସି/ଜେକ ଫ୍ରେଜର-ମ୍ୟାକଗର୍କ, ଅଭିଷେକ ପୋରେଲ, କରୁଣ ନାଏର, କେଏଲ ରାହୁଲ, ଅକ୍ଷର ପଟେଲ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଆଶୁତୋଷ ଶର୍ମା, ବିପ୍ରଜ ନିଗମ, ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ, ମୋହିତ ଶର୍ମା, ମୁକେଶ କୁମାର ।
IPL-2025: ବେଙ୍ଗାଲୁରୁକୁ ୫ ୱିକେଟରେ ହରାଇଲା ପଞ୍ଜାବ; ନେହାଲଙ୍କ ଶାଣିତ ପ୍ରଦର୍ଶନ, ୧୯ ବଲ୍ରେ ହାସଲ କଲେ ୩୩ ରନ୍