ଜୟପୁର,୧୯/୦୪: ଆଜି ରାତ୍ରି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଘରୋଇ ଗ୍ରାଉଣ୍ଡ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ଭେଟିବ । କ୍ରମାନ୍ୱୟରେ ୩ଟି ମ୍ୟାଚ୍ ହାରି ସାରିଥିବା ରାଜସ୍ଥାନ ରୟାଲ୍ସ ବିଜୟଧାରାକୁ ଫେରିବା ପାଇଁ ବ୍ୟାକୁଳ । ସେହିପରି ସୁପରଜାଏଣ୍ଟ୍ସ ନିକଟରେ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବା ପାଇଁ ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏହି ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ।
ସୁପରଜାଏଣ୍ଟ୍ସ ୮ପଏଣ୍ଟ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ମାତ୍ର ରାଜସ୍ଥାନ ରୟାଲ୍ସର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି । ୭ଟି ମ୍ୟାଚ୍ ଖେଳି ରାଜସ୍ଥାନ ରୟାଲ୍ସ ୨ବିଜୟ ସହ ମାତ୍ର ୪ ପଏଣ୍ଟ ହାସଲ କରି ଅଷ୍ଟମ ସ୍ଥାନରେ ରହିଛି । ତେଣୁ ରୟାଲ୍ସ ଦଳ ପାଇଁ ବିଜୟ ଅତ୍ୟନ୍ତ ଜରୁରି ହୋଇଯାଇଛି ।
ଚଳିତ ବର୍ଷର ପ୍ରଦର୍ଶନକୁ ଦେଖିଲେ ସୁପରଜାଏଣ୍ଟ୍ସର ପଲା ଭାରି ରହିବ । ମାତ୍ର ଘରୋଇ ଗ୍ରାଉଣ୍ଡ ଓ ସମର୍ଥନ ରାଜସ୍ଥାନ ରୟାଲ୍ସକୁ ସହାୟତା କରିବ ବୋଲି ଆଶା କରାଯାଉଛି । ପୂର୍ବ ରେକର୍ଡ ମଧ୍ୟ ରାଜସ୍ଥାନ ରୟାଲ୍ସ ପକ୍ଷରେ ରହିଛି । ଉଭୟ ଦଳ ମଧ୍ୟରେ ୫ଟି ମ୍ୟାଚ ଖେଳାଯାଇଛି । ଏଥିରୁ ରାଜସ୍ଥାନ ରୟାଲ୍ସ ୪ଟି ମ୍ୟାଚ୍ ଜିତିଛି । ଗତ ବର୍ଷ ଉଭୟ ଦଳ ମଧ୍ୟରେ ୨ଟି ମ୍ୟାଚ୍ ଖେଳାଯାଇଥିଲା ଓ ରାଜସ୍ଥାନ ରୟାଲ୍ସ ଉଭୟ ମ୍ୟାଚ୍ ଜିତିଥିଲା । ୨୦୨୨ରେ ମଧ୍ୟ ଦଳ ଉଭୟ ମ୍ୟାଚ୍ ଜିତିଥିଲା ।
ରାଜସ୍ଥାନ ରୟାଲ୍ସ ଏକାଦଶରେ ସାମାନ୍ୟ ପରିବର୍ତ୍ତନ କରିବ । ଅଧିନାୟକ ସଞ୍ଜୁ ସାମସନ ଆହତ ହୋଇଛନ୍ତି । ତେଣୁ ସେ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ୧୪ବର୍ଷୀୟ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ପଦାର୍ପଣ କରିବା ସମ୍ଭାବନା ରହିଛି । ସୁପରଜାଏଣ୍ଟ୍ସ ଦଳରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ଫିଟ୍ ହୋଇ ଫେରିଥିବା ଫାଷ୍ଟ ବୋଲର ମୟଙ୍କ ଯାଦବ ଖେଳିବା ସମ୍ଭାବନା ରହିଛି । ମାତ୍ର ଏହା ପୂର୍ବରୁ ତାଙ୍କୁ ଫିଟ୍ନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ।
ସୱାଇ ମାନସିଂ ଷ୍ଟାଡ଼ିୟମ୍ର ପିଚ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଏଠାରେ ବିଶାଳ ସ୍କୋର ସଂଗୃହୀତ ହେବା ଆଶା କରାଯାଉଛି । ରାତ୍ରିରେ ମ୍ୟାଚ ରହିଥିବାରୁ କାକର ପ୍ରଭାବ ଦେଖିବାକୁ ମିଳିବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।
ସମ୍ଭାବ୍ୟ ଦ୍ୱାଦଶ
ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ, ବୈଭବ ସୂର୍ଯ୍ୟବଂଶୀ/ଶୁଭମ ଦୁବେ, ନୀତିଶ ରାଣା, ରିୟାନ ପରାଗ (ଅଧିନାୟକ), ଧ୍ରୁବ ଜୁରେଲ, ସିମରନ ହେତମାୟର, ୱାନିଣ୍ଡୁ ହସରଙ୍ଗା, ଜୋଫ୍ରା ଆର୍ଚର, ମହୀଶ ତୀକ୍ଷଣା, ସନ୍ଦିପ ଶର୍ମା, ତୁଷାର ଦେଶପାଣ୍ଡେ, କୁମାର କାର୍ତ୍ତିକେୟ ।
ଲକ୍ଷ୍ନୌ ସୁପରଜାଏଣ୍ଟ୍ସ: ଆଡେନ ମାରକ୍ରମ, ମିଚେଲ ମାର୍ଶ, ନିକୋଲାସ ପୂରନ, ରିଷଭ ପନ୍ତ (ଅଧିନାୟକ), ଆୟୂଷ ବାଦୋନି, ଡେଭିଡ୍ ମିଲର, ଅବଦୁଲ ସମଦ, ସର୍ଦୁଲ ଠାକୁର, ଅଭେଶ ଖାନ, ମୟଙ୍କ ଯାଦବ, ଦିଗବେଶ ରାଠି, ରବି ବିଷ୍ଣୋଇ ।