ପ୍ରମୂଖ ଖବର
  • ଏପ୍ରିଲ ୨୪ରୁ ମିଳିବ ନୂଆ ରାସନ କାର୍ଡ, ପଞ୍ଚାୟତିରାଜ ଦିବସରେ ବାଣ୍ଟିବେ ସରକାର
  • ||
  • ବେଙ୍ଗାଲୁରୁ ବିପକ୍ଷରେ ଖେଳିବେନି ସାମସନ୍‌, ନେତୃତ୍ୱ ନେବେ ରିୟାନ ପରାଗ
  • ||
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି

Published By : Prameya | April 22, 2025 9:21 AM

ଲକ୍ଷ୍ନୌ ୨୨/୦୪: ଚଳିତ ଆଇପିଏଲ୍‌ର ୪୦ତମ ଲିଗ୍‌ ମୁକାବିଲାରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ସମଗ୍ର ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ନଜର ରହିବ ଏହି ମ୍ୟାଚ୍‌ ଉପରେ । ତାହା ପୁଣି କେଏଲ ରାହୁଲଙ୍କ ପାଇଁ । ୨୦୨୨ ସିଜନରୁ ୨୦୨୪ ପର୍ଯ୍ୟନ୍ତ ସେ ସୁପରଜାଏଣ୍ଟ୍‌ସର ଅଧିନାୟକ ରହିଥିଲେ । 

ଗତ ସିଜନରେ ଦଳ ପ୍ଲେ- ଅଫକୁ ଯୋଗ୍ୟତା ଅର୍ଜନ କରିବାରେ  ବିଫଳ ହେବା ପରେ ରାହୁଲଙ୍କୁ ଗ୍ରାଉଣ୍ଡ ଭିତରେ ଫ୍ରାଞ୍ଚାଇଜ୍‌ ମାଲିକ ସଞ୍ଜୀବ ଗୋଏଙ୍କା ଗାଳି କରିଥିଲେ । ଏଥର ମେଗା ନିଲାମ ପୂର୍ବରୁ ରାହୁଲ ସୁପରଜାଏଣ୍ଟ୍‌ସରୁ  ବାହାରି ଆସିଥିଲେ । ସେ ବର୍ତ୍ତମାନ  ଦିଲ୍ଲୀ କ୍ୟାପିଟାଲ୍ସର ସଦସ୍ୟ ଓ ଚମତ୍କାର ଫର୍ମରେ ରହିଛନ୍ତି । ଆଜି ସେ ନିଜ  ପୂର୍ବ ଦଳ ବିପକ୍ଷରେ ଏକାନ୍ନା ଷ୍ଟାଡ଼ିୟମକୁ ଓହ୍ଲାଇବେ । 

ଉଭୟ ଦଳ ମଧ୍ୟରେ ପୂର୍ବରୁ ଗୋଟିଏ ମ୍ୟାଚ୍‌ ଖେଳାଯାଇଥିଲା ଓ ରାହୁଲ ଉକ୍ତ ମ୍ୟାଚ୍‌ ଖେଳି ନଥିଲେ । ତେଣୁ ତାଙ୍କୁ ନେଇ ଦର୍ଶକ ମହଲରେ ଜୋରଦାର ଉତ୍କଣ୍ଠା ବୃଦ୍ଧି ପାଇଛି । ରିଷଭ ପନ୍ତ ମଧ୍ୟ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିଲେ ଓ ଏଥର ସେ ସୁପରଜାଏଣ୍ଟ୍‌ସ  ଦଳର ନେତୃତ୍ୱ ନେଉଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଓ ସୁପରଜାଏଣ୍ଟ୍‌ସ  ମଧ୍ୟରେ ମୋଟ୍‌ ୬ଟି ମ୍ୟାଚ୍‌ ଖେଳାଯାଇଛି  ଓ ଉଭୟ ଦଳ ୩ଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି । ମାର୍ଚ୍ଚ ୨୪ ତାରିଖରେ ଉଭୟ ଦଳ ମଧ୍ୟରେ ସିଜନର ପ୍ରଥମ ଭେଟ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ  ମୁକାବିଲାରେ କ୍ୟାପିଟାଲ୍ସ ୧ ୱିକେଟ୍‌ରେ  ବିଜୟ ହାସଲ କରିଥିଲା । ଆଶୁତୋଷ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଶେଷ  ମୁହୂର୍ତ୍ତରେ ସୁପରଜାଏଣ୍ଟ୍‌ସ ଠାରୁ  ବିଜୟ ଛଡ଼ାଇ ନେଇଥିଲେ । ଏଥର  ସୁପରଜାଏଣ୍ଟ୍‌ସ ପୂର୍ବ ପରାଜୟର  ପ୍ରତିଶୋଧ ନେବ । 

ଆଜି ଉଭୟ ଦଳ ଏକାଦଶରେ ସେଭଳି ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । କେବଳ ଫାଷ୍ଟ ବୋଲର ମୟଙ୍କ ଯାଦବ ଏକାଦଶରେ ସୁଯୋଗ ପାଇପାରନ୍ତି । ଗତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସେ ଇମ୍ପାକ୍ଟ ଖେଳାଳି ତାଲିକାରେ ରହିଥିଲେ ହେଁ ସୁଯୋଗ  ପାଇ ନଥିଲେ ।ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ  ଓପନର ସ୍ଥାନ ପାଇଁ ଫାଫ ଡୁପ୍ଲେସି କିମ୍ବା  ଡୋନୋଭାନ ଫରେରାଙ୍କ ମଧ୍ୟରୁ ଜଣଙ୍କୁ ଡକାଇପାରେ । ଡୁ ପ୍ଲେସି ଫିଟ୍‌ ହେଲେ  ଖେଳିବା ନିଶ୍ଚିତ । 

ଏକାନ୍ନା ଷ୍ଟାଡ଼ିୟମ୍‌ରେ ମ୍ୟାଚ୍‌ ପାଇଁ ନାଲି ମାଟି ପିଚ୍‌ ପ୍ରସ୍ତୁତ କରାଯାଇଛି । ଏହି ପିଚ୍‌ରେ ପୂର୍ବରୁ ସୁପରଜାଏଣ୍ଟ୍‌ସ ଓ ପଞ୍ଜାବ  କିଙ୍ଗ୍‌ସ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା  ଓ ପଞ୍ଜାବ କିଙ୍ଗ୍‌ସ ଉକ୍ତ ମ୍ୟାଚ ଜିତିଥିଲା । ଆଜି ମଧ୍ୟ ପିଚ୍‌ରେ ବଡ଼ ସ୍କୋର ହେବା ଆଶା କରାଯାଉଛି । ରାତ୍ରିରେ ବ୍ୟାଟିଂ ସହଜ ହେବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ।

-:ସମ୍ଭାବ୍ୟ ଦଳ:-

ସୁପରଜାଏଣ୍ଟ୍‌ସ:- ମିଚେଲ ମାର୍ଶ, ଆଡେନ ମାରକ୍ରମ,  ନିକୋଲାସ ପୂରନ, ରିଷଭ ପନ୍ତ  (ଅଧିନାୟକ), ଆୟୂଷ ବାଦୋନି,  ଡେଭିଡ ମିଲର, ଅବଦୁଲ ସମଦ,  ସର୍ଦୁଲ ଠାକୁର, ରବି ବିଷ୍ଣୋଇ, ପ୍ରିନ୍ସ  ଯାଦବ/ମୟଙ୍କ ଯାଦବ, ଦିଗବେଶ  ରାଠି, ଅଭେଶ ଖାନ । 

ଦିଲ୍ଲୀ କ୍ୟାପିଟାଲ୍ସ :-  ଅଭିଷେକ ପୋରେଲ, ଫାଫ ଡୁ  ପ୍ଲେସି/ଡୋନୋଭାନ ଫରେରା, କରୁଣ  ନାଏର, କେଏଲ ରାହୁଲ, ଅକ୍ଷର  ପଟେଲ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ,  ଆଶୁତୋଷ ଶର୍ମା, ବିପ୍ରଜ ନିଗମ,  ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ,  ମୋହିତ ଶର୍ମା, ମୁକେଶ କୁମାର ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.