କୋଲକାତା, ୨୧/୦୪: ଆଇପିଏଲ୍ର ୩୯ତମ ଲିଗ୍ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ଓ ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସ ସାମ୍ନାସାମ୍ନି ହେବେ । ଅଜିଙ୍କ୍ୟ ରାହାଣେଙ୍କ ନାଇଟ୍ ରାଇଡର୍ସ ତା’ର ଘରୋଇ ଗ୍ରାଉଣ୍ଡ ଇଡେନ୍ ଗାର୍ଡେନ୍ସରେ ବିଜୟକୁ ଫେରିବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଶୁଭମନ ଗିଲଙ୍କ ଟାଇଟନ୍ସ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନକୁ ଦୃଢ଼ କରିବା ପାଇଁ ସବୁ ଶକ୍ତି ଖଟାଇବ । ଫଳରେ ମ୍ୟାଚ୍ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।
ନାଇଟ୍ ରାଇଡର୍ସ ୭ଟି ମ୍ୟାଚ୍ରୁ ୩ଟିରେ ବିଜୟ ସହ ମୋଟ ୬ପଏଣ୍ଟ ପାଇଛି । ଦଳ ଘରୋଇ ଗ୍ରାଉଣ୍ଡରେ ୩ଟି ମ୍ୟାଚ୍ ଖେଳି ୨ଟି ହାରିସାରିଛି । ଗତ ୧୫ ତାରିଖରେ ଦଳ ଘରୋଇ ପଞ୍ଜାବ କିଙ୍ଗ୍ସକୁ ଭେଟିଥିଲା ଏବଂ ୧୬ରନ୍ରେ ପରାଜିତ ହୋଇଥିଲା । ଦଳ ୧୧୨ରନ୍ ବିଜୟ ଲକ୍ଷ୍ୟର ପିଛା କରି ମାତ୍ର ୯୫ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ସିଜନରେ ଅଧା ମ୍ୟାଚ୍ ଶେଷ ହୋଇସାରିଥିବାରୁ ଦଳ ପାଇଁ ବିଜୟ ଜରୁରୀ ହୋଇ ପଡ଼ିଛି । ଅନ୍ୟ ପଟରେ ଟାଇଟନ୍ସ ୭ଟିରୁ ୫ଟି ମ୍ୟାଚ୍ ଜିତି ୧୦ପଏଣ୍ଟ ସହ ଶୀର୍ଷରେ ରହିଛି । ଦଳ ଆଉ ୨ପଏଣ୍ଟ ହାତେଇବାକୁ ପ୍ରୟାସ କରିବ ।
ପୂର୍ବରୁ ଉଭୟ ଦଳ ମଧ୍ୟରେ ୪ଟି ମ୍ୟାଚ୍ ଖେଳାଯାଇଛି । ଟାଇଟନ୍ସ ୨ଟି ଓ ନାଇଟ୍ ରାଇଡର୍ସ ଗୋଟିଏ ଜିତିଥିବାବେଳେ ଗୋଟିଏ ବିନା ଫଳାଫଳରେ ଶେଷ ହୋଇଛି । ତେଣୁ ଆଜିର ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା ମୁସ୍କିଲ । ଉଭୟ ଦଳରେ ଏକାଧିକ ଷ୍ଟାର୍ ବ୍ୟାଟର ଓ ସ୍ପିନର ରହିଛନ୍ତି । ନାଇଟ୍ ରାଇଡର୍ସ ପେସ୍ ବୋଲର ଆନରିଚ ନର୍ଜଙ୍କ ସ୍ଥାନରେ ମୋଇନ୍ ଅଲିଙ୍କୁ ଏକାଦଶରେ ସାମିଲ କରିବା ସମ୍ଭାବନା ରହିଛି । ଟାଇଟନ୍ସ ଦଳ ଅପରିବର୍ତ୍ତିତ ରହିବା ଏକ ପ୍ରକାର ନିଶ୍ଚିତ । ଆଜି ଘରୋଇ ଦଳର ତାରକା ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ ଟାଇଟନ୍ସ ବ୍ୟାଟର ଜୋସ ବଟଲରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ବଟଲର ଗତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଅପରାଜିତ ୯୭ରନ୍ର ଧୂଆଁଧାର ଇନିଂସ୍ ଖେଳି ଦଳକୁ ଜିତାଇଥିଲେ ।
ଇଡେନ୍ ଗାର୍ଡେନ୍ସ ପିଚ୍ ଉଭୟ ବ୍ୟାଟର ଓ ବୋଲରଙ୍କ ପାଇଁ ଅନୁକୂଳ । ଚଳିତ ସିଜନରେ ଏଠାରେ ପୂର୍ବରୁ ୩ଟି ମ୍ୟାଚ୍ ଖେଳାଯାଇଛି ଏବଂ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଆଜି ମଧ୍ୟ ଟସ୍ ବିଜୟୀ ଦଳ ଫିଲ୍ଡିଂ ନେବା ଆଶା କରାଯାଉଛି ।
-:ସମ୍ଭାବ୍ୟ ଦ୍ୱାଦଶ:-
ନାଇଟ୍ ରାଇଡର୍ସ: ସୁନିଲ ନାରାଏନ, କ୍ୱିଣ୍ଟନ ଡି’କକ୍, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଭେଙ୍କଟେଶ ଆୟର, ଅଙ୍ଗକ୍ରିଶ ରଘୁବଂଶୀ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ହର୍ଷିତ ରାଣା, ମୋଇନ୍ ଅଲି/ଆନରିଚ ନର୍ଜ, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ ।
ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ (ଅଧିନାୟକ), ବି ସାଇ ସୁଦର୍ଶନ, ଜୋସ ବଟଲର, ସେରଫାନ୍ ରଦରଫୋର୍ଡ, ଶାହରୁଖ ଖାନ, ରାହୁଲ ତେୱାତିଆ, ରସିଦ ଖାନ, ଅର୍ଶଦ ଖାନ, ସାଇ କିଶୋର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଈଶାନ୍ତ ଶର୍ମା/ୱାସିଂଟନ ସୁନ୍ଦର/କୁଲୱନ୍ତ ଖେଜ୍ରୋଲିଆ ।
ରୋହିତ-ସୂର୍ଯ୍ୟକୁମାରଙ୍କ ଧୁଆଁଧାର ପ୍ରଦର୍ଶନ; ୯ ଓ୍ବିକେଟରେ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ