ଚେନ୍ନାଇ,୨୫/୦୪: ଚଳିତ ଆଇପିଏଲ୍ର ୪୩ତମ ଲିଗ୍ ମୁକାବିଲାରେ ୫ଥର ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସ ଘରୋଇ ଗ୍ରାଉଣ୍ଡ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବାକୁ ଯାଉଛି । ଚଳିତ ସିଜନରେ ଉଭୟ ଦଳ ପ୍ରଥମ କରି ପରସ୍ପରକୁ ଭେଟିବେ । ସମ୍ପ୍ରତି ସୁପରକିଙ୍ଗ୍ସ ଓ ସନରାଇଜର୍ସ ପଏଣ୍ଟ ତାଲିକାର ଶେଷ ୨ଟି ସ୍ଥାନରେ ରହିଛନ୍ତି । ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ଉଭୟ ଦଳ ପାଇଁ ବିଜୟ ନିହାତି ଜରୁରି । ତେଣୁ ଆଜି ଉଭୟ ଦଳ ସବୁ ଶକ୍ତି ଲଗାଇ ଜିତିବାକୁ ପ୍ରୟାସ କରିବେ ।
ସୁପରକିଙ୍ଗ୍ସ ଓ ସନରାଇଜର୍ସ ୮ଟି ଲେଖାଏଁ ମ୍ୟାଚ୍ ଖେଳି ୪ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି । ପ୍ଲେ-ଅଫରେ ପ୍ରବେଶ କରିବାକୁ ହେଲେ ପରବର୍ତ୍ତୀ ୬ଟି ଲିଗ୍ ମ୍ୟାଚ୍ରୁ ଅତି କମ୍ରେ ୫ଟି ଲେଖାଏଁ ଜିତିବାକୁ ହେବ । ତେଣୁ ପ୍ରତ୍ୟେକ ମ୍ୟାଚ୍ରେ ବିଜୟ ଗୁରୁତ୍ୱପୂର୍ଣ୍ଣ ।
ପ୍ରମୁଖ ଖେଳାଳିଙ୍କ ଫର୍ମହାନୀ ସାଙ୍ଗକୁ ଅଧିନାୟକ ଋତୁରାଜ ଗାଏକୱାଡ୍ ଆହତ ହୋଇ ବାଦ ପଡ଼ିବା ଫଳରେ ସୁପରକିଙ୍ଗ୍ସ ଏକ ସନ୍ତୁଳିତ ଦଳ ଗଠନ କରିବାରେ ବିଫଳ ହୋଇଛି । ଯାହା ଦଳର ପ୍ରଦର୍ଶନକୁ ପ୍ରଭାବିତ କରିଛି । ସନରାଇଜର୍ସ କେବଳ ବିସ୍ଫୋରକ ବ୍ୟାଟିଂକୁ ପ୍ରାଥମିକତା ଦେଇ ବିଫଳ ହୋଇଛି ।
ଗତ ସିଜନରେ ଦଳ ବିସ୍ଫୋରକ ବ୍ୟାଟିଂ କରି ଫାଇନାଲ୍ରେ ପ୍ରବେଶ କରିଥିଲା । ମାତ୍ର ଏଥର ସାଲିଭା ବ୍ୟବହାର ଓ ଦ୍ୱିତୀୟ ଇନିଂସରେ ବଲ୍ ପରିବର୍ତ୍ତନ ନିୟମ ଯୋଗୁଁ ସନରାଇଜର୍ସର ସବୁ ଯୋଜନା ପଣ୍ଡ ହୋଇଥିଲା । ଦଳ ଏପର୍ଯ୍ୟନ୍ତ ଚେତି ନାହିଁ । ମଧ୍ୟ କ୍ରମ ବ୍ୟାଟିଂ ବିଭାଗକୁ ସୁଦୃଢ଼ କରିବାରେ ବିଫଳ ହେବାରୁ ବାରମ୍ବାର ପରାଜୟର ସାମ୍ନା କରିଛି । ଆଜି ଉଭୟ ଦଳ ଏକାଦଶରେ ସେଭଳି ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ୧୭ ବର୍ଷିୟ ଯୁବ ବ୍ୟାଟର ଆୟୂଷ ମାହତ୍ରେଙ୍କୁ ଏକାଦଶରେ ସାମିଲ କରିବା ପରେ ସୁପରକିଙ୍ଗ୍ସର ବ୍ୟାଟିଂ ବିଭାଗ ସନ୍ତୁଳିତ ହୋଇଛି ।
ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ସେ ଏକ ଚିତ୍ତାକର୍ଷକ ଇନିଂସ ଖେଳିଥିଲେ । ସେହିପରି ଓପନ କରୁଥିବା ସାଇକ ରସିଦ ମଧ୍ୟ ବେଶ୍ ପ୍ରତିଭାବାନ ଥିବା ସ୍ପଷ୍ଟ ହୋଇଛି । କେବଳ ତାଙ୍କ ବ୍ୟାଟ୍ରୁ ଦଳ ଏକ ବଡ଼ ଇନିଂସ ଅପେକ୍ଷାରେ ରହିଛି ।
ସନରାଇଜର୍ସର ବ୍ୟାଟିଂ ବିଭାଗ ଗତ ସିଜନରେ ଆତଙ୍କ ଖେଳାଇଥିଲା । ଏଥର ଆରମ୍ଭରୁ ମଧ୍ୟ କିଛି ଦମ୍ଦାର ଇନିଂସ ଦେଖିବାକୁ ମିଳିଥିଲା । ମାତ୍ର ଏବେ ସବୁ ଲୟ ହରାଇଛନ୍ତି । କେବଳ ହେନରିକ୍ କ୍ଲାସେନଙ୍କୁ ଛାଡ଼ିଦେଲେ ଆଉ କାହା ବ୍ୟାଟ୍ରୁ ନିୟମିତ ରନ ବାହାରୁନାହିଁ ।
ଆଜି ମହେନ୍ଦ୍ର ସିଂହ ଧୋନି ଚତୁର୍ଥ ଭାରତୀୟ ଭାବେ ୪୦୦ତମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବେ । ଅନ୍ୟମାନଙ୍କ ମଧ୍ୟରେ କେବଳ ରୋହିତ ଶର୍ମା ୪୫୬, ଦିନେଶ କାର୍ତ୍ତିକ ୪୧୨ ଓ ବିରାଟ କୋହଲି ୪୦୭ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି ।
ଚିପକ ଷ୍ଟାଡ଼ିୟମ୍ର ପିଚ୍ ସ୍ପିନରଙ୍କୁ ସହାୟତା କରୁଛି । ଏଠାରେ ଖେଳାଯାଇଥିବା ୪ଟି ମ୍ୟାଚ୍ରେ ୫୦ଟି ୱିକେଟ୍ର ପତନ ଘଟିଛି ଓ ଏଥିରୁ ସ୍ପିନରମାନେ ୨୭ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଆଜି ମଧ୍ୟ ସ୍ପିନରଙ୍କୁ ପିଚ୍ ସହାୟତା କରିବ । ତେଣୁ ସୁପରକିଙ୍ଗ୍ସ ପୁନର୍ବାର ବିଜୟ ଧାରାକୁ ଫେରିବା ଆଶା କରାଯାଉଛି । ରାତ୍ରିରେ ମ୍ୟାଚ୍ ରହିଥିବାରୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।
ସମ୍ଭାବ୍ୟ ଦ୍ବାଦଶ
ସୁପରକିଙ୍ଗ୍ସ: ରଚିନ ରବିନ୍ଦ୍ର, ସାଇକ ରସିଦ, ଆୟୂଷ ମାହତ୍ରେ, ରବିନ୍ଦ୍ର ଜାଡ଼େଜା, ଶିବମ ଦୁବେ, ବିଜୟ ଶଙ୍କର, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଜାମି ଓଭରଟନ, ଆର ଅଶ୍ୱିନ, ନୂର ଅହମ୍ମଦ, ଖଲିଲ ଅହମ୍ମଦ, ମଥିଶା ପତିରଣା ।
ସନରାଇଜର୍ସ: ଅଭିଷେକ ଶର୍ମା, ଟ୍ରେଭିସ୍ ହେଡ୍, ଇଶାନ କିଷନ, ନୀତିଶ କୁମାର ରେଡ୍ଡୀ, ହେନରିକ କ୍ଲାସେନ, ଅନିକେତ ବର୍ମା, ଅଭିନବ ମନୋହର, ପ୍ୟାଟ୍ କମିନ୍ସ (ଅଧିନାୟକ), ହର୍ଷଲ ପଟେଲ, ଜୟଦେବ ଉନାକାତ, ଜୀଶନ ଅନସାରୀ, କାମିଣ୍ଡୁ ମେଣ୍ଡିସ୍।
IPL-2025: ହୋମଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ ଜିତିଲା ବେଙ୍ଗାଲୁରୁ; ୧୧ ରନରେ ହାରିଲା ରାଜସ୍ଥାନ