ବେଙ୍ଗାଲୁରୁ, ୨୪/୦୪: ଚଳିତ ଆଇପିଏଲ୍ର ୪୨ତମ ଲିଗ୍ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡ୍ରେ ରାଜସ୍ଥାନ ରୟାଲ୍ସକୁ ଭେଟିବାକୁ ଯାଉଛି । ୮ଟି ମ୍ୟାଚ୍ରୁ ୧୦ ପଏଣ୍ଟ ହାସଲ କରିସାରିଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ଘରୋଇ ଗ୍ରାଉଣ୍ଡ୍ରେ ଏବେବି ବିଜୟ ସନ୍ଧାନରେ ରହିଛି । ରାଜସ୍ଥାନ ରୟାଲ୍ସ ପାଇଁ ବିଜୟ ଜରୁରି ହୋଇ ଯାଇଛି । ପ୍ଲେ- ଅଫ୍ରେ ପ୍ରବେଶ କରିବାକୁ ହେଲେ ଶେଷ ୬ଟି ଲିଗ୍ ମ୍ୟାଚ୍ରୁ ରାଜସ୍ଥାନ ରୟାଲ୍ସକୁ ଅତି କମ୍ରେ ୫ଟି ମ୍ୟାଚ୍ ଜିତିବାକୁ ହେବ । ଖାଲି ସେତିକି ନୁହେଁ, ଜୟପୁର ପରାଜୟର ପ୍ରତିଶୋଧ ଚିନ୍ନାସ୍ୱାମୀରେ ନେବାକୁ ମଧ୍ୟ ଦଳ ପ୍ରୟାସ କରିବ । ତେଣୁ ଆଜିର ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ।
ଗତ ୧୩ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ଉକ୍ତ ମ୍ୟାଚ୍କୁ ୯ ୱିକେଟ୍ରେ ଜିତିଥିଲା । ଫିଲ ସଲ୍ଟ ଓ ବିରାଟ କୋହଲି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଦେବଦତ୍ତ ପାଡ଼ିକଲ ମଧ୍ୟ ବିସ୍ଫୋରକ ଇନିଂସ ଖେଳିଥିଲେ । କିନ୍ତୁ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ଏଥର ୩ଟି ମ୍ୟାଚ୍ ଖେଳି ସାରିଛି ଓ ସମସ୍ତ ମ୍ୟାଚ୍ରେ ପରାଜିତ ହୋଇଛି । ତେଣୁକରି ଆଜିର ମ୍ୟାଚ ଘରୋଇ ଦଳ ପାଇଁ ଜରୁରି ହୋଇ ପଡ଼ିଛି ।
ରାଜସ୍ଥାନ ରୟାଲ୍ସ ପ୍ରଥମତଃ ଫର୍ମ ଫେରିପାଇବାକୁ ସଂଘର୍ଷ କରୁଛି । ଅଧିନାୟକ ସଞ୍ଜୁ ସାମସନ ଆହତ ହୋଇ ବାଦ ପଡ଼ିବା ଦ୍ୱାରା ଦଳ ଚିନ୍ତା ବଢି ଯାଇଛି । ମଧ୍ୟକ୍ରମ ବ୍ୟାଟିଂ ବିଭାଗ ମଧ୍ୟ ଅସନ୍ତୁଳିତ ରହିଛି, ଯାହା ଦଳର ପ୍ରଦର୍ଶନକୁ ପ୍ରଭାବିତ କରୁଛି । ରୟାଲ୍ ଚ୍ୟାଲେଞ୍ଜର୍ସ ଚଳିତ ସିଜନରେ ଚମତ୍କାର ପ୍ରଦର୍ଶନ କରୁଛି । ବୋଲିଂ ବିଭାଗ ଶୃଙ୍ଖଳିତ ରହିଥିବାରୁ ରୟାଲ୍ ଚ୍ୟାଲେଞ୍ଜର୍ସ ପଏଣ୍ଟ ତାଲିକାର ପ୍ରଥମ ୪ଟି ସ୍ଥାନ ମଧ୍ୟରେ ନିଜକୁ ସୁରକ୍ଷିତ ରଖିଛି ।
ରାଜସ୍ଥାନ ରୟାଲ୍ସକୁ ମ୍ୟାଚ୍ ଜିତିବାକୁ ହେଲେ ଘରୋଇ ଦଳର ପ୍ରଥମ ୩ ବ୍ୟାଟରଙ୍କୁ ସହଳ ପାଭିଲିୟନ ପଠାଇବାକୁ ହେବ । ଦୁଇ ଶ୍ରୀଲଙ୍କା ସ୍ପିନର ମହୀଶ ତୀକ୍ଷଣା ଓ ୱାନିଣ୍ଡୁ ହସରଙ୍ଗାଙ୍କୁ ଗୁରୁଦାୟିତ୍ୱ ସମ୍ଭାଳିବାକୁ ହେବ । ହସରଙ୍ଗା ପୂର୍ବରୁ ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳିସାରିଛନ୍ତି । ତେଣୁ ସେ ବିରାଟ କୋହଲି ଓ ସାଥୀ ବ୍ୟାଟରଙ୍କୁ ଅଟକାଇବାକୁ ଉପାୟ କରିବେ ବୋଲି ଆଶା କରାଯାଉଛି । ସାମସନ ଆହତ ହେବା ଫଳରେ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ବିଭାଗ ଦୁର୍ବଳ ହୋଇ ଯାଇଛି । କେବଳ ଯଶସ୍ୱୀ ଜୈସ୍ୱାଲଙ୍କୁ ଛାଡ଼ିଦେଲେ ଅନ୍ୟ କେହି ନିୟମିତ ଭାବେ ସଫଳ ହେଉନାହାନ୍ତି । ରୟାଲ୍ ଚ୍ୟାଲେଞ୍ଜର୍ସ ଦଳଗତ ପ୍ରଦର୍ଶନ କରୁଛି । ପ୍ରତି ସ୍ଥାନ ପାଇଁ ବିକଳ୍ପ ମହଜୁଦ ରହିଛି । ମାତ୍ର ରାଜସ୍ଥାନ ରୟାଲ୍ସର ଭାଗ୍ୟ ପେସ୍ ବୋଲର ଜୋଫ୍ରା ଆର୍ଚର ଓ ଓପନରଙ୍କ ଉପରେ ନିର୍ଭର କରିବ । ୧୪ବର୍ଷିୟ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ପଦାର୍ପଣ ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେ ଆଜି ନଜରରେ ରହିବେ
ଗତ ୨୦ ତାରିଖରେ ଘରୋଇ ଦଳ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ପଞ୍ଜାବ କିଙ୍ଗ୍ସକୁ ଭେଟିଥିଲା । ବର୍ଷା ଯୋଗୁଁ ଉକ୍ତ ମ୍ୟାଚ୍ ୧୪ଓଭର ବିଶିଷ୍ଟ କରାଯାଇଥିଲା । ପିଚ୍ ବୋଲରଙ୍କୁ ସହାୟତା କରିଥିଲା । ମାତ୍ର ଗତ ୪ଦିନ ହେଲା ବେଙ୍ଗାଲୁରୁ ପ୍ରବଳ ଖରା ହେଉଛି । ପିଚ୍କୁ ସତେଜ ରଖିବା ପାଇଁ ଘୋଡ଼ାଇ ରଖାଯାଇଛି । ତେଣୁ ପିଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ତଥାପି ପିଚ୍ ମନ୍ଥର ରହିବା ଅନୁମାନ କରାଯାଉଛି । ଏଠାରେ ବଡ଼ ସ୍କୋର ହେବ ନାହିଁ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦ୍ବାଦଶ
ରୟାଲ୍ ଚ୍ୟାଲେଞ୍ଜର୍ସ: ଫିଲ ସଲ୍ଟ, ବିରାଟ କୋହଲି, ଦେବଦତ୍ତ ପାଡ଼ିକଲ, ରଜତ ପାତିଦାର(ଅଧିନାୟକ),ଜିତେଶ ଶର୍ମା, ରୋମାରିଓ ସେପର୍ଡ, ଟିମ ଡେଭିଡ୍, କୃନାଲ୍ ପାଣ୍ଡ୍ୟ, ଭୁବନେଶ୍ୱର କୁମାର, ଜୋସ ହାଜେଲଉଡ୍, ୟଶ ଦୟାଲ, ସୁୟାଶ ଶର୍ମା ।
ରାଜସ୍ଥାନ ରୟାଲ୍ସ: ବୈଭବ ସୂର୍ଯ୍ୟବଂଶୀ, ଯଶସ୍ୱୀ ଜୈସ୍ୱାଲ, ନୀତିଶ ରାଣା, ରିୟାନ ପରାଗ(ଅଧିନାୟକ), ଧ୍ରୁବ ଜୁରେଲ, ସିମରନ ହେତମାୟର, ଶୁଭମ ଦୁବେ, ୱାନିଣ୍ଡୁ ହସରଙ୍ଗା, ଜୋଫ୍ରା ଆର୍ଚର, ମହୀଶ ତୀକ୍ଷଣା, ତୁଷାର ଦେଶପାଣ୍ଡେ, ସନ୍ଦିପ ଶର୍ମା/ଆକାଶ ମଧୱାଲ।
IPL-2025: ଲଗାତାର ଚତୁର୍ଥ ମ୍ୟାଚ୍ ଜିତିଲା ମୁମ୍ୱାଇ; ହାଇଦ୍ରାବାଦକୁ ୭ ୱିକେଟରେ ହରାଇ ଟପ-୩ରେ ସ୍ଥାନ କରିଲା ପକ୍କା