ମୁମ୍ବାଇ, ୨୩/୦୪ : ଚଳିତ ଆଇପିଏଲ୍ର ୪୧ତମ ଲିଗ୍ ମୁକାବିଲାରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହି ମ୍ୟାଚ୍ ଜରିଆରେ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଗତ ୧୭ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଭେଟ ହେଇଥିଲା । ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟ୍ରେ ବିଜୟ ହାସଲ କରିଥିଲା । ୫ଦିନ ପରେ ଉଭୟ ଦଳ ପୁଣି ଥରେ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି । ଏହି ସମୟ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଆଉ ଏକ ମ୍ୟାଚ୍ ଖେଳିଛି ଓ ଚେନ୍ନାଇ ସୁପରକିଙ୍ଗ୍ସକୁ ୯ ୱିକେଟ୍ରେ ହରାଇଛି । ସନରାଇଜର୍ସ ସେବେଠୁ କୌଣସି ମ୍ୟାଚ୍ ଖେଳିନାହିଁ। କେବଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛି । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ପୂର୍ବ ରେକର୍ଡ ମୁମ୍ବାଇ ପକ୍ଷରେ ରହିଛି । ଉଭୟ ଦଳ ଗତ ୧୭ ବର୍ଷ ମଧ୍ୟରେ ୨୪ଥର ସାମ୍ନା ସାମ୍ନି ହୋଇଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୧୪ଟି ଓ ସନରାଇଜର୍ସ ୧୦ଟି ମ୍ୟାଚ୍ ଜିତିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଇତି ମଧ୍ୟରେ ୮ଟି ମ୍ୟାଚ୍ରୁ ୪ବିଜୟ ସହ ମୋଟ୍ ୮ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠ ସ୍ଥାନରେ ରହିଛି । ଆଜି ଜିତିଲେ ଦଳ ତୃତୀୟ କିମ୍ବା ଚତୁର୍ଥ ସ୍ଥାନକୁ ଉଠି ପାରିବ । ସନରାଇଜର୍ସ ୭ଟି ମ୍ୟାଚ୍ରୁ ୪ ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ସନରାଇଜର୍ସକୁ ଅତି କମ୍ରେ ଆଉ ୫ଟି ମ୍ୟାଚ୍ ଜିତିବାକୁ ହେବ । ତେଣୁ ପ୍ରତ୍ୟେକ ମ୍ୟାଚ୍ରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ସଠିକ୍ ସମୟରେ ଖେଳାଳିମାନେ ୫ଦିନର ବିଶ୍ରାମ ପାଇଛନ୍ତି । ତେଣୁ ଆଜି ଏକ ସତେଜ ମନୋଭାବ ସହ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବ। ମୁମ୍ବାଇ ଇଣ୍ଡିଆନ୍ସ ଉପଲ୍ ଷ୍ଟାଡ଼ିୟମ୍ରେ ପୁଣି ଥରେ ରାଜୁତି କରିବାକୁ ଲକ୍ଷ୍ୟ ରଖିଛି ।
ଗତ ବର୍ଷ ଏଠାରେ ପରାଜୟର ସାମ୍ନା କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ସନରାଇଜର୍ସ ୩/୨୭୭ ରନ ସଂଗ୍ରହ କରିଥିଲା ଓ ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍ ହରାଇ ୨୪୬ ରନ କରିବାକୁ ସକ୍ଷମ ହୋଇଥିଲା । ଗତ ୧୨ ତାରିଖରେ ସନରାଇଜର୍ସ ଏହି ଗ୍ରାଉଣ୍ଡ୍ରେ ପଞ୍ଜାବ କିଙ୍ଗ୍ସକୁ ଭେଟିଥିଲା ଓ ଅଭିଷେକ ଶର୍ମାଙ୍କ ଶତକ ବଳରେ ବିଜୟ ହାସଲ କରିଥିଲା । ଆଜି ମଧ୍ୟ ଘରୋଇ ଦଳ ବିଶାଳ ସ୍କୋର ସଂଗ୍ରହ କରିବାକୁ ପ୍ରୟାସ କରିବ । ଅଭିଷେକଙ୍କ ସହ ଟ୍ରେଭିସ୍ ହେଡ୍ ଓ ଇଶାନ କିଷନଙ୍କୁ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବାକୁ ହେବ । ଉଭୟ ଦଳରେ ତାରକା ଖେଳାଳି ଭରପୁର । ମାତ୍ର ଫର୍ମକୁ ନେଇ ଉଭୟ ଦଳ ଚିନ୍ତାରେ ରହିଛନ୍ତି । ବିଳମ୍ବରେ ହେଉ ପଛେ ରୋହିତ ଶର୍ମା ଫର୍ମ ଫେରିପାଇଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ଆଶ୍ୱସ୍ତ । ଅନ୍ୟ ଓପନର ର୍ୟାନ ରିକେଲଟନ ମଧ୍ୟ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ବାକି ମଧ୍ୟ କ୍ରମରେ ସବୁ ବ୍ୟାଟର ଧୂଆଁଧାର ବ୍ୟାଟିଂ ପାଇଁ ପରିଚିତ ।
ଆଜି ଉଭୟ ଦଳ ଏକାଦଶ ଅପରିବର୍ତ୍ତିତ ରଖିବା ଆଶା କରାଯାଉଛି । ସନରାଇଜର୍ସ ଅଭିନବ ମନୋହରଙ୍କୁ ଏକାଦଶରୁ ଡ଼କାଇପାରେ । କିମ୍ବା ବ୍ୟାଟିଂ ବିଭାଗକୁ ସୁଦୃଢ କରିବା ପାଇଁ ଅଥର୍ବ ତାଇଡେଙ୍କୁ ଖେଳାଇବା ଆଶା କରାଯାଉଛି । ଇମ୍ପାକ୍ଟ ଖେଳାଳି ଭାବେ ଇଶାନ ମାଲିଙ୍ଗାଙ୍କୁ ଅଗ୍ରାଧିକାର ମିଳିବ । ଉଭୟ ଦଳର କିଛି ଖେଳାଳି ବୁମରା ଓ ହେଡ୍, ରୋହିତ ଓ କମିନ୍ସଙ୍କ ମଧ୍ୟରେ ଏକ ଅଘୋଷିତ ଲଢ଼େଇ ଦେଖିବାକୁ ମିଳିପାରେ । ଗତ ବର୍ଡରଗାଭାସ୍କର ଟ୍ରଫିରୁ ଏହି ଲଢ଼େଇ ଆରମ୍ଭ ହୋଇଛି । ଉପଲ ଷ୍ଟାଡ଼ିୟମର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଏଠାରେ ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ । ରାତ୍ରିରେ ଖେଳ ହେଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦ୍ୱାଦଶ
ମୁମ୍ବାଇ ଇଣ୍ଡିଆନ୍ସ :- ରୋହିତ ଶର୍ମା, ର୍ୟାନ ରିକେଲଟନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧିର, ୱିଲ ଜ୍ୟାକ୍ସ, ମିଚେଲ ସାଣ୍ଟନର, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା, କରଣ ଶର୍ମା/ବିଘ୍ନେଶ ପୁଥୂର ।
ସନରାଇଜର୍ସ ହାଇଦ୍ରାବାଦ :- ଟ୍ରେଭିସ ହେଡ୍, ଅଭିଷେକ ଶର୍ମା, ଇଶାନ କିଷନ, ନୀତିଶ କୁମାର ରେଡ୍ଡୀ, ହେନରିକ କ୍ଲାସେନ, ଅନିକେତ ବର୍ମା, ଅଭିନବ ମନୋହର, ପ୍ୟାଟ୍ କମିନ୍ସ (ଅଧିନାୟକ), ହର୍ଷଲ ପଟେଲ, ମହମ୍ମଦ ସାମି, ଜିସନ ଅନସାରୀ, ଇଶାନ ମାଲିଙ୍ଗା/ୱିଆନ ମୋଲ୍ଡର ।