ନୂଆଦିଲ୍ଲୀ,୦୩/୦୧: ତ୍ରୁଟି ସୁଧାରିଲା ନା ପ୍ରଦର୍ଶନରେ ପରିବର୍ତ୍ତନ ଆଣିଲା । ଆଡିଲେଡ, ମେଲବର୍ଣ୍ଣ ଟେଷ୍ଟ ପରି ସିଡନୀରେ ମଧ୍ୟ ଟିମ୍ ଇଣ୍ଡିଆର ଫ୍ଲପ ଶୋ ଦେଖିବାକୁ ମିଳିଛି । ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ସିଡନୀରେ ଆରମ୍ଭ ହୋଇଛି । ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ଭଲ ଆରମ୍ଭ କରିନାହିଁ । ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ପ୍ରଥମ ଇନିଂସରେ ଗୋଟିଏ ଦିନ ବି ତିଷ୍ଠି ପାରିଲାନାହିଁ ଟିମ୍ ଇଣ୍ଡିଆ । ୨୦୦ ଛୁଇଁ ପାରିଲାନି ଦଳୀୟ ସ୍କୋର । ପ୍ରଥମ ଇନିଂସରେ ୧୮୫ରନରେ ଅଟିକି ଯାଇଛି ଭାରତର ରନ ଗାଡି । ପ୍ରଥମ ଦିନ କଙ୍ଗାରୁ ଦଳ ନାମରେ ରହିଛି । ଅଷ୍ଟ୍ରେଲିଆ ଗୋଟିଏ ୱିକେଟ ହରାଇ ୯ ରନ କରିଛି । ୧୭୬ରନ ଟ୍ରାଏଲ କରୁଛି ଅଷ୍ଟ୍ରେଲିଆ ।
ସିଡନୀ ଟେଷ୍ଟରୁ ବାଦ୍ ପଡିଛନ୍ତି ରୋହିତ ଶର୍ମା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଯଶପ୍ରୀତ ବୁମରାଙ୍କ ଅଧିନାୟକତ୍ବରେ ପ୍ରଥମ ଇନିଂସ ପାଳି ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । ଯଶସ୍ବୀ ଜୈସ୍ବାଲ ଓ କେଏଲ ରାହୁଲ ଓପନିଂ କରିଥିଲେ । ଏହି ଯୋଡିକୁ ସଅଳ ଭାଙ୍ଗି ଦେଇଥିଲେ ମିଚେଲ ଷ୍ଟାର୍କ । ମାତ୍ର ୪ ରନ କରି ପାଭିଲିୟନ ଫେରିଥିଲେ କେଏଲ ରାହୁଲ । ପରେ ପରେ ଜୈସ୍ବାଲ ୧୦ ରନ କରି ବୋଲାଣ୍ଡଙ୍କ ବଲରେ ଆଉଟ ହୋଇଥିଲେ । ଦଳୀୟ ସ୍କୋର ୫୭ରେ ଶୁଭମନଙ୍କୁ ଶିକାର କରିଥିଲେ ନାଥନ ଲାଏନ । ବ୍ରେକ ପରେ ମାତ୍ର ୧୭ ରନ କରି ବୋଲଣ୍ଡଙ୍କ ବଲରେ ଆଉଟ ହୋଇଥିଲେ ବିରାଟ କୋହଲି । ଋଷବ ପନ୍ତ କିଛି ସମୟ ସ୍ଥିତି ସମ୍ଭାଳି ଖେଳିଥିଲେ । ମାତ୍ର ଦଳୀୟ ସ୍କୋର ୧୨୦ରେ ୪୦ ରନ କରି ବୋଲାଣ୍ଡଙ୍କ ବଲରେ ଆଉଟ ହୋଇଥିଲେ ପନ୍ତ । ପରେ ପରେ ନୀତିଶ କୁମାର ରେଡ୍ଡୀ ଖାତା ଖୋଲି ନପାରି ବୋଲାଣ୍ଡଙ୍କ ବଲରେ ସଅଳ ପାଭିଲିୟନ ଫେରିଥିଲେ ।
୬୨ତମ ଓଭରରେ ୨୬ ରନ କରି ଆଉଟ ହୋଇଥିଲେ ରବିନ୍ଦ୍ର ଜାଡେଜା । ଏହାପରେ ୧୪ ରନ କରି କମିନ୍ସଙ୍କ ଶିକାର ହୋଇଥିଲେ ୱାଶିଂଟନ ସୁନ୍ଦର । ୬୮ତମ ଓଭରରେ ୪ ରନ କରି ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ ପ୍ରସିଦ୍ଧ କ୍ରିଷ୍ଣା । ଏହାପରେ ୨୨ ରନ କରି କମିନ୍ସଙ୍କ ବଲରେ ଆଉଟ ହୋଇଥିରେ ବୁମରା । କୋହଲି, କେଏଲ ରାହୁଲ ସମସ୍ତେ ନିରାଶ କରିଥଲେ । ଅଷ୍ଟ୍ରେଲିଆ ପକ୍ଷରୁ ବୋଲାଣ୍ଡ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଛନ୍ତି । ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ଏବେ ବୋଲର ଭରସା । କଙ୍ଗାରୁ ଦଳରୁ ବଡ ସ୍କୋରରୁ ଅଟକାଇବାକୁ ହେଲେ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କୁ କିଛି ଚମତ୍କାର କରିବାକୁ ହେବ ।