ନୂଆଦିଲ୍ଲୀ: ଭାରତ ବିଶ୍ୱର ସର୍ବାଧିକ ୧୦୦ଟି ଦୁର୍ନିତିଗ୍ରସ୍ତ ଦେଶ ମାନଙ୍କ ଭିତରେ ସ୍ଥାନ ପାଇଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ଦ୍ୱାରା ପ୍ରକାଶିତ ୨୦୨୪ ଦୁର୍ନୀତି ଧାରଣା ସୂଚକାଙ୍କ (ସିପିଆଇ) ଅନୁଯାୟୀ ଏହି ତଥ୍ୟ ସାମ୍ନାକୁ ଆସିଛି। ଏଥିରେ ଭାରତ ଫୁଣି ଖରାପ ସ୍ଥାନ ବଜାୟ ରଖିଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭାରତ ଗୋଟିଏ ଅଙ୍କ କମ ପାଇଛି।
ଚଳିତ ବର୍ଷ ମୋଟ ୧୮୦ ଦେଶ ମାନଙ୍କ ମଧ୍ୟରେ ଭାରତ ୯୬ ତମ ସ୍ଥାନ ଅଧିକାର କରିଛି। ତେବେ ୨୦୨୩ ମସିହାରେ ଭାରତ ୯୯ ତମ ସ୍ଥାନ ପାଇଥିବା ବେଳେ ଏଥର ଦୁଇ ପଏଣ୍ଟ କମ ପାଇଛି। ୯୬ ତମ ସ୍ଥାନରେ ବିଶ୍ୱର ମୋଟ ତିନୋଟି ଦେଶ ରହିଛନ୍ତି। ଭାରତ ଛଡା ଗାମ୍ବିଆ ଓ ମାଳଦ୍ୱିପ ମଧ୍ୟ ଏହି ସ୍ଥାନରେ ରହିଛନ୍ତି।
ସିପିଆଇ ସମଗ୍ର ବିଶ୍ୱରେ ହେଉଥିବା ଦୁର୍ନୀତିକୁ ନେଇ ବାର୍ଷିକ ଭାବେ ଏକ ରିପୋର୍ଟ ପ୍ରକାଶ କରିଥାଏ। ଏହି ରିପୋର୍ଟ କାର୍ଡରେ ୦ (ଅତ୍ୟଧିକ ଦୁର୍ନୀତିଗ୍ରସ୍ତ) ରୁ ୧୦୦ (ଅତ୍ୟନ୍ତ ପରିଷ୍କାର) ଯାଏ ସ୍କୋର ପ୍ରଦାନ କରାଯାଇଥାଏ। ୨୦୨୪ ରେ, ଭାରତ ୩୮ ନମ୍ବର ପାଇଥିଲା, ୨୦୨୩ ରେ ୩୯ ଏବଂ ୨୦୨୨ ରେ ଭାରତକୁ ଏହି କ୍ଷେତ୍ରରେ ୪୦ ନମ୍ବର ମିଳିଥିଲା।
ଭାରତର ପୋଡେଶି ଦେଶମାନଙ୍କର ସ୍ଥିତି ଜାଣିବାକୁ ଆପଣଙ୍କ ମନରେ ଆଗ୍ରହ ହେଉଥିବ ନିଶ୍ଚୟ। ତେବେ ଚଳିତବର୍ଷ ପାକିସ୍ଥାନ ୧୩୫ ତମ ସ୍ଥାନ, ଶ୍ରୀଲଙ୍କା ୧୨୧ ତମ ସ୍ଥାନ, ବାଂଲାଦେଶ ୧୪୯ତମ ସ୍ଥାନ ଓ ଚାଇନା ୭୬ ତମ ସ୍ଥାନ ହାସଲ କରିଛନ୍ତି।
ଡେନମାର୍କ ୯୦ ସ୍କୋର ସହିତ ସବୁଠାରୁ କମ୍ ଦୁର୍ନୀତିଗ୍ରସ୍ତ ଦେଶ ଭାବରେ ତାଲିକାର ଶୀର୍ଷରେ ରହିଥିବା ବେଳେ, ତା’ ପଛକୁ ଫିନଲ୍ୟାଣ୍ଡ ୮୮, ସିଙ୍ଗାପୁର ୮୪ ଏବଂ ନ୍ୟୁଜିଲ୍ୟାଣ୍ଡ ୮୩ ଆଦି ଦେଶ ରହିଛନ୍ତି। ଲକ୍ସମବର୍ଗ, ନରୱେ ଓ ସ୍ୱିଜରଲ୍ୟାଣ୍ଡ ୮୧ ସ୍କୋର ସହିତ ପଞ୍ଚମ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱିଡେନ ୮୦ ଏବଂ ନେଦରଲ୍ୟାଣ୍ଡ ୭୮ ଯଥାକ୍ରମେ ଅଷ୍ଟମ ଓ ନବମ ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆ, ଆଇସଲ୍ୟାଣ୍ଡ ଏବଂ ଆୟର୍ଲାଣ୍ଡ ୭୭ ସ୍କୋର କରି ଦଶମ ସ୍ଥାନରେ ରହିଛନ୍ତି।
୨୦୧୨ ମସିହାରୁ ୩୨ଟି ଦେଶ ସେମାନଙ୍କ ଦୁର୍ନୀତି ସ୍ତରକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଛନ୍ତି। ଏହି ସମୟ ମଧ୍ୟରେ ୧୪୮ଟି ଦେଶ ସ୍ଥିର ପ୍ରଦର୍ଶନ କିମ୍ବା ଖରାପ ପ୍ରଦର୍ଶନ କରିଛନ୍ତି। ସମଗ୍ର ବିଶ୍ୱରେ ଦୁର୍ନିତିର ସ୍ତର ହାରାହାରି ୪୩ ରହିଛି। ଯାହା ଦୀର୍ଘ ବର୍ଷ ହେବ ଅପରିବର୍ତ୍ତିତ ରହିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ସ୍କୋରକାର୍ଡରେ ମୋଟ୍ ଦୁଇ-ତୃତୀୟାଂଶ ଦେଶ ୫୦ ରୁ କମ୍ ସ୍କୋର କରିଛନ୍ତି।