ନୂଆଦିଲ୍ଲୀ, ୯/୩ : ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ୍ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି। ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଭାରତ ପାଇଁ ୨୫୨ରନର ଟାର୍ଗେଟ ରଖିଥିଲା। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏହି ମ୍ୟାଚ୍ ସମ୍ପର୍କରେ ଏକ ପୋଷ୍ଟ କରିଥିଲେ । ଯାହା ଉପରେ ପ୍ରଶଂସକମାନେ ରାଗି ଯାଇଥିଲେ । ୟୁଜର୍ସମାନେ ତାଙ୍କୁ ବେଟିଂ ଆପ୍ ପ୍ରଚାର ପ୍ରମୋଟ କରିବା ନେଇ ଟ୍ରୋଲ୍ କରୁଛନ୍ତି।
ଗୌତମ ଗମ୍ଭୀର ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ଫାଇନାଲ ମ୍ୟାଚ୍ ସମ୍ପର୍କରେ ଏକ ପ୍ରମୋସନ୍ ପୋଷ୍ଟ କରିଛନ୍ତି। ଆପ୍ର ଡାଉନଲୋଡ୍ ଲିଙ୍କ୍ ସେୟାର କରି ସେ କ୍ୟାପସନ୍ରେ ଲେଖିଛନ୍ତି, "ରୋକୋ ଯୋଡ଼ି ଭାରତକୁ ଆଉ ଏକ ଚାମ୍ପିଅନ୍ସ ଓଡିଆଇ ଟ୍ରଫି ଜିତିବାରେ ସାହାଯ୍ୟ କରିବେ କି ?" ଏକ ଆପ୍ର ନାମ ଲେଖି ସେ ଲେଖିଲେ, ' ହଁ ଏବଂ ନା ପ୍ରଶ୍ନର ଉତ୍ତର ଦେଇ ଜିତନ୍ତୁ ପ୍ରଚୁର ପୁରସ୍କାର ।'
ଗୌତମ ଗମ୍ଭୀରଙ୍କ ଏହି ପୋଷ୍ଟରେ କିଛି ୟୁଜର୍ସ ଏକ ପୁରୁଣା ଖବରର ସ୍କ୍ରିନସଟ୍ ସେୟାର କରିଛନ୍ତି। ସେହି ଖବରରେ, ଗୌତମ ଗମ୍ଭୀର ତତ୍କାଳୀନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବିଷୟରେ କହୁଛନ୍ତି ଯେ, ଯଦି ବିସିସିଆଇ ସଭାପତି ଏକ ଫ୍ୟାଣ୍ଟସି ଲିଗ୍ ଆପ୍ ପ୍ରୋତ୍ସାହିତ କରନ୍ତି, ତେବେ ଖେଳାଳିମାନଙ୍କଠାରୁ କ'ଣ ଆଶା କରାଯିବା ଉଚିତ। ଭାରତୀୟ ଦଳର ମୁଖ୍ୟ କୋଚ୍ ଥିବା ସମୟରେ ଗୌତମ ଗମ୍ଭୀର ଏପରି ଏକ ଆପ୍ ପ୍ରଚାର କରିବା ପାଇଁ ଅନେକ ବ୍ୟବହାରକାରୀ ତାଙ୍କୁ ସମାଲୋଚନା କରୁଛନ୍ତି ।