ନୂଆଦିଲ୍ଲୀ,୧୦ /୦୩ : ସରିଯାଇଛି ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ । ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ ଇଣ୍ଡିଆନ ପ୍ରିମିୟର ଲିଗ୍ । ଏହାପୂର୍ବରୁ ବଡ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସ୍ବାସ୍ଥ୍ୟକୁ ଧ୍ୟାନ ଦେଇ ଆଇପିଏଲରେ ତମାଖୁ ବିଜ୍ଞାପନ ବ୍ୟାନ କରିବାକୁ ନିର୍ଦ୍ଦେଶ ହୋଇଛି । ଆଇପିଏଲରେ ତମାଖୁ, ଆଲକହଲ ପରି ବିଜ୍ଞାପନ ପ୍ରସାରଣ ନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରଣାଳୟ ଆଇପିଏଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ତମାଖୁ ବିଜ୍ଞାପନ ଉପରେ ରୋକ୍ ଲାଗିଛି ।
ସ୍ବାସ୍ଥ୍ୟକୁ ଗୁରୁତ୍ବ- ଆଇପିଏଲ ଅଧ୍ୟକ୍ଷ ଅରୁଣ ସିଂହ ଧୁମଲଙ୍କୁ ଚିଠି ଲେଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମହାନିର୍ଦ୍ଦେଶକ ଅତୁଲ ଗୋଏଲ କହିଛନ୍ତି କି, ଆଇପିଏଲ ପ୍ରସାରଣ ସମୟରେ ଯେପରି ତମାଖୁ ବିଜ୍ଞାପନ ପ୍ରସାରିତ ନ ହୁଏ । ସିଗାରେଟ ସହିତ ତମାଖୁ ବିଜ୍ଞାପନ ଉପରେ ବ୍ୟାନ ଲଗାଯାଉ । ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପଦକ୍ଷେପ ଯୁବଗୋଷ୍ଠୀ ଏବଂ କ୍ରିକେଟ ପ୍ରେମୀଙ୍କ ସ୍ବାସ୍ଥ୍ୟକୁ ଅଧିକ ଧ୍ୟାନ ଦେଇ ନିଆଯାଇଛି । ହାନିକାରକ ଉତ୍ପାଦର ପ୍ରଚାର ପ୍ରସାର ଯେତେ କମ୍ ହେବ ତାକୁ ଗୁରୁତ୍ବ ଦିଆଯାଇଛି । ତମାଖୁ ସେବନ ହୃଦରୋଗ, କ୍ୟାନ୍ସର, ମଧୁମେହ ପରି ସ୍ବାସ୍ଥ୍ୟଜନିତ ସମସ୍ୟାର କାରଣ ହୋଇଥାଏ । ୭୦ପ୍ରତିଶତ ମୃତ୍ୟୁର କାରଣ ସାଜିଥାଏ । ତମାଖୁ ସେବନ ଯୋଗୁଁ ପ୍ରତିବର୍ଷ ପାଖାପାଖି ୧୪ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ଏହି ଲିଷ୍ଟରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଏହି ଚିଠି ମାର୍ଚ୍ଚ ୫ ତାରିଖରେ ଲେଖାଯାଇଥିଲା ।
କହି ରଖୁଛୁ କି, ଆସନ୍ତା ୨୨ ତାରିଖରୁ ଆଇପିଏଲ ଆରମ୍ଭ ହେବ । ୧୦ ଟିମ୍ ମଧ୍ୟରେ ହେବ ଟକ୍କର । ମୋଟ ୭୦ଟି ଲିଗ୍ ମ୍ୟାଚ ଖେଳାଯିବ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ମେ ୨୫ ତାରିଖରେ ଫାଇନାଲ ଫାଇଟ୍ ହେବ । ୨୦୨୪ରେ କୋଲକାତା ହୋଇଥିଲା ଚାମ୍ପିଆନ୍ ।