ନୂଆଦିଲ୍ଲୀ ୦୭/୦୨: ମୋଦି ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍କୁ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ପରବର୍ତ୍ତୀ ସପ୍ତାହରେ ନୂଆ ଆୟକର ବିଲ୍ ଉପସ୍ଥାପନ ହେବ । ଏବେ ଏହାକୁ ନେଇ ଏକ ବଡ଼ ଅପ୍ଡେଟ୍ ଆସିଛି । ସୂତ୍ରରୁ ଜଣାପଡ଼ିଛି ଯେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କ୍ୟାବିନେଟ୍ ବୈଠକରେ ନୂଆ ଆୟ କର ବିଲ୍କୁ ମଞ୍ଜୁରି ମିଳିପାରେ । ଅର୍ଥମନ୍ତ୍ରୀ ସୀତାରମଣ ବଜେଟ୍ ଆଗତ କରି ନୂଆ ଆୟକର ବିଲ୍ ଉପରେ ସୂଚନା ଦେଇଥିଲେ ।
ଏବେ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ଶୁକ୍ରବାର ବସିବାକୁ ଥିବା କ୍ୟାବିନେଟ୍ ବୈଠକରେ ଏ ବିଲ୍କୁ ମଞ୍ଜୁରି ମିଳିପାରେ ଏବଂ ସୋମବାର ଏହାକୁ ଲୋକସଭାରେ ଆଗତ କରାଯାଇପାରେ । ସରକାର ପୂର୍ବରୁ ହିଁ ସ୍ପଷ୍ଟ କରିଦେଇଛନ୍ତି ଯେ, ନୂଆ ଆୟକର ବିଲ୍ରେ କୌଣସି ନୂଆ ପ୍ରକାର ଟିକସ ଲଗାଇବାର ପ୍ରବନ୍ଧନ ହେବ ନାହିଁ । ବରଂ ନୂଆ ବିଲ୍ରେ କେବଳ ଟିକସ ଢାଞ୍ଚାକୁ ତର୍କସଂଗତ ଏବଂ ସହଜ କରାଯିବ ।
ସୂତ୍ର ଅନୁସାରେ, ଏଥିରେ ବର୍ତ୍ତମାନର ଆୟକର ଆଇନରେ ଅନେକ ନୂଆ ସୁଧାର ଅଣାଯାଇପାରେ ଏବଂ ଅନେକ ଅପରାଧ ପାଇଁ ଦଣ୍ଡ କରିବାର ପ୍ରବନ୍ଧନ ବି ହୋଇପାରେ । ବ୍ୟକ୍ତିଗତ ଟିକସଦାତାଙ୍କ ପାଇଁ ଅନୁପାଳନ ବୋଝ କମାଇବା ପାଇଁ ଏହି ନୂଆ ଆୟକର ବିଲ୍ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।
ଏହି ନୂଆ ଆଇନ ସରଳ ହେବ ଏବଂ ଟିକସ ବିବାଦକୁ କମାଇବାରେ ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍ ଅଭିଭାଷଣରେ ପ୍ରକାଶ କରିଥିଲେ । ଏହି ନୂଆ ଆଇନ ମାଧ୍ୟମରେ ବକେୟା ଟିକସକୁ ହିସାବ କରିବା ଏବଂ ରିଟର୍ଣ୍ଣ ଫାଇଲ୍ କରିବା ସହଜ ହେବ ।
ବର୍ତ୍ତମାନର ଆୟକର ଆଇନକୁ ସରଳ କରିବା ନୂଆ ଆୟକର କୋଡ୍ର ଉଦ୍ଦେଶ୍ୟ । ଟିକସଦାତାଙ୍କ ପାଇଁ ଏହାକୁ ବୁଝିବା ସହଜ ହେବ । ଏହା ମାଧ୍ୟମରେ ଆୟକର ଆଇନ-୧୯୬୧ର ପୃଷ୍ଠା ସଂଖ୍ୟା କମିଯିବ । ଆୟକର ଆଇନ-୧୯୬୧ରେ ୨୩ଟି ଅଧ୍ୟାୟ ଏବଂ ୨୯୮ଟି ଧାରା ରହିଛି । ନୂଆ ଆଇନ ଦ୍ୱାରା ଏ ସଂଖ୍ୟା କମିଯିବ ।
ଅନୁମାନ କରାଯାଉଛି, ନୂଆ ଆଇନ ଜରିଆରେ ଆର୍ଥିକ ବର୍ଷ(ଏଫ୍ୱାଇ) ଏବଂ ହିସାବ ବର୍ଷ(ଏୱାଇ) କନ୍ସେପ୍ଟକୁ ହଟାଇ ଦିଆଯାଇପାରେ, ଯାହାକି ସର୍ବଦା ଦ୍ୱନ୍ଦ୍ୱ ଆଣିଥାଏ । ଏଲ୍ଆଇସି ପଲିସିରୁ ହେଉଥିବା ଆୟ ଉପରେ ୫% ଟିକସ ଲଗାଯାଇଯାଇପାରେ, ଯାହାକି ୧୯୬୧ ଆଇନ ଅଧୀନରେ ଟିକସମୁକ୍ତ ଥିଲା ।
୧୯୬୧ ଆଇନ ଅଧୀନରେ ଟିକସ ଅଡିଟ୍ କେବଳ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ମାନଙ୍କ ଦ୍ୱାରା ହେଉଥିଲା କିନ୍ତୁ ନୂଆ କୋଡ୍ କମ୍ପାନି ସେକ୍ରେଟାରୀ ଏବଂ କଷ୍ଟ୍ ମ୍ୟାନେଜ୍ମେଣ୍ଟ ଆକାଉଣ୍ଟାଣ୍ଟମାନଙ୍କୁ ଏହି କାର୍ଯ୍ୟ ସମ୍ଭାଳିବାର ଅନୁମତି ଦେଇପାରେ ।
ପୁଞ୍ଜି ଆୟ ପାଇଁ ଭିନ୍ନ ଭିନ୍ନ ଆସେଟ୍ ବର୍ଗ ଉପରେ ଭିନ୍ନ ଟିକସ ବ୍ୟବସ୍ଥାକୁ ହଟାଯାଇପାରେ । ନୂଆ ଆୟକର ଆଇନ ହୁଏତ ଦୁଇଟି ଟିକସ ବ୍ୟବସ୍ଥାକୁ ବାଛିବାର ଅନୁମତି ଦେଇ ନ ପାରେ । ନୂଆ ଟିକସ ଢ଼ାଞ୍ଚା ଅଧୀନରେ ଡିଡକ୍ସନ ଏବଂ ଛାଡ଼ ମଧ୍ୟ କମିପାରେ ।