ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଶୁକ୍ରବାର ଶିଶୁ ଭବନ ନୂଆ କୋଠା ଉଦ୍‌ଘାଟନ, ଗୋଟିଏ ଛାତ ତଳେ ମିଳିବ ସବୁ ସୁବିଧା

Published By : Prameya | April 11, 2025 10:27 AM

କଟକ,୧୧/୦୪: ପ୍ରତିକ୍ଷାର ଅନ୍ତ। ଆଜି ଉଦ୍‌ଘାଟନ ହେବ ଶିଶୁ ଭବନର ନୂଆ କୋଠା। ୧୬୨ କୋଟି ଟଙ୍କାରୁ ଅଧିକ ବ୍ୟୟରେ  ନିର୍ମିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ  ଚିକିତ୍ସା ପ୍ରତିଷ୍ଠାନର ଉଦ୍‌ଘାଟନ ହେବ । ୭ ମହଲା ବିଶିଷ୍ଟ ଏହି କୋଠାର କିଛି  ଅଂଶରେ ଚିକିତ୍ସା ଆରମ୍ଭ ହୋଇଥିଲେ ହେଁ ଆଜିଠୁ ଏ  ସୌଧ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହେବ । ଏଥିଲାଗି ମେଡିକାଲ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କାଠଯୋଡ଼ି  ରିଂ ବନ୍ଧରୁ ମେଡିକାଲ୍‌କୁ ଲମ୍ବିଥିବା ମୁଖ୍ୟ ପ୍ରବେଶ ପଥ କାର୍ଯ୍ୟ  ଯୁଦ୍ଧକାଳୀନ ଭିତିରେ ଶେଷ କରାଯାଇଛି । 

ସେହିପରି ନୂଆ କୋଠାରେ ଅସମ୍ପୂର୍ଣ୍ଣ ରହିଥିବା ସବୁ କାମ ତୁରନ୍ତ ଶେଷ କରିବା ପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ  ମନ୍ତ୍ରୀ ଜେପି ନଡ୍ଡା, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ  ଓ ଅନ୍ୟ ମନ୍ତ୍ରୀ, ଅତିଥିମାନେ ପ୍ରକଳ୍ପ ଉଦ୍‌ଘାଟନ କରି ୱାର୍ଡ  ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ବୃହତ  ପ୍ରକଳ୍ପ ଓ ବିରାଟ ଭିତ୍ତିଭୂମି ମଧ୍ୟରେ ଶିଶୁ ଭବନରେ ମାନବ  ସମ୍ବଳ ଏବଂ ଅନେକ ଚିକିତ୍ସା ଉପକରଣ ଅଭାବ ରହିଛି ।  ହସ୍ପିଟାଲ୍‌ କର୍ତ୍ତୃପକ୍ଷ ମାନବ ସମ୍ବଳ ଅଭାବ ଓ ଅନ୍ୟାନ୍ୟ  ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଏହାର  ସମାଧାନ ଲାଗି ପ୍ରସ୍ତାବ ରଖିବେ ବୋଲି ପ୍ରସ୍ତୁତ ହେଉଛନ୍ତି । 

୭ ମହଲା ବିଶିଷ୍ଟ ଏହି କୋଠା ନିର୍ମାଣ କାର୍ଯ୍ୟ ଅଢ଼େଇ  ବର୍ଷରୁ ଅଧିକ ହେବ ସରିଥିଲେ ହେଁ ଏବେ ବି ଅନେକ କାର୍ଯ୍ୟ  ବାକି ରହିଛି । ନୂଆ କୋଠାର ପ୍ରଥମ ମହଲାରେ ଆଉଟ୍‌ଡୋର,  ଟିକେଟ୍‌ କାଉଣ୍ଟର, ନିରାମୟ କେନ୍ଦ୍ର ଚାଲିଛି । ଦ୍ୱିତୀୟ ମହଲାରେ  ୱାର୍ଡ (ଇନ୍‌ଡୋର)ରେ ରୋଗୀ ସେବା ଚାଲିଛି । ଗୁରୁତର  ଶିଶୁ ଓ ନବଜାତକଙ୍କ ଚିକିତ୍ସା ପାଇଁ ଏହି ନୂତନ କୋଠାରେ  ଆଇସିୟୁ ଥାଇ ମଧ୍ୟ ସେବା ଆରମ୍ଭ ହୋଇପାରିନାହିଁ । ଆଇସିୟୁ  ପାଇଁ ଶଯ୍ୟା, ମନିଟର, ଅକ୍ସିଜେନ୍‌ ପାଇପ୍‌ ଲାଇନ୍‌, ୱାର୍ମର  ବେଡ୍‌ ଆଦି ସୁବିଧା ରହିଛି । ଏହି ନବ ନିର୍ମିତ କୋଠାରେ  ଗୋଟିଏ ଛାତ ତଳେ ଶିଶୁ ରୋଗୀମାନଙ୍କୁ ସମସ୍ତ ଚିକିତ୍ସା ସୁବିଧା  ଯୋଗାଇ ଦିଆଯାଇପାରିବ । ମାତ୍ର କିଛି ସରଞ୍ଜାମ ଓ ମାନବ ସମ୍ବଳର ଅଭାବ ଯୋଗୁଁ ନବଜାତକଙ୍କ ଚିକିତ୍ସା ଲାଗି ନିଓନାଟାଲ୍‌  ଇଣ୍ଟେନସିଭ୍‌ କେୟାର ୟୁନିଟ୍‌ (ନିକୁ), ସ୍ପେସାଲ୍‌ ନ୍ୟୁବର୍ଣ୍ଣ  କେୟାର ୟୁନିଟ୍‌ (ଏସ୍‌ଏନସିୟୁ), ପେଡିଆଟ୍ରିକ୍‌ କେୟାର  ୟୁନିଟ୍‌ (ପିକୁ), ହାଇ ଡିପେଣ୍ଡେନସି ୟୁନିଟ୍‌ (ଏଚ୍‌ଡିୟୁ)ଆଦି  ଖୋଲିପାରୁନାହିଁ । ଫଳରେ ଗୁରୁତର ଶିଶୁ ରୋଗୀ ଓ  ନବଜାତକମାନେ ପୂର୍ବପରି ଏବେ ବି ଫେରୁଛନ୍ତି । ସେହିପରି  ମର୍ଡୁଲାର ଓଟି ନିର୍ମାଣ କରାଯାଇଥିଲେ ହେଁ ଏଠାରେ ଶିଶୁ ରୋଗୀଙ୍କ ଅପରେସନ୍‌ ଆରମ୍ଭ ହୋଇପାରୁ ନାହିଁ । ନିଦାନ ସୁବିଧା  ପାଇଁ ଏକାଧିକ ପ୍ରକୋଷ୍ଠ ନିର୍ମାଣ କରାଯାଇଥିଲେ ହେଁ ସିଟି ସ୍କାନ୍‌, ଏମ୍‌ଆର୍‌ଆଇ, ଡିଜିଟାଲ୍‌ ଏକ୍ସରେ ମେସିନ୍‌ ନାହିଁ । ସେହିପରି  ତଳ ମହଲାରେ ଆଉଟ୍‌ଡୋର୍‌ ପରିସରରେ ଶିଶୁ ଓ ସେମାନଙ୍କ  ଅଭିଭାବକମାନଙ୍କ ସୁବିଧା ପାଇଁ କାଫେଟରିଆ ପାଇଁ ବନ୍ଦୋବସ୍ତ  କରାଯାଇଥିଲେ ତାହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ ।  

ସୂଚନାଯୋଗ୍ୟ, ଶିଶୁ ଭବନ ଆଉଟ୍‌ଡୋରକୁ ଦିନକୁ  ପାଖପାଖି ୫୦୦ ରୋଗୀ ଆସୁଛନ୍ତି । ସେହିପରି ଏଠାରେ  ୱାର୍ଡରେ ଚିକିତ୍ସା ପାଇଁ ୨୦୦ ମଞ୍ଜୁରିପ୍ରାପ୍ତ ବେଡ୍‌ ରହିଥିଲେ ହେଁ  କାଜୁଆଲଟି ଓ ୱାର୍ଡ, ଆଇସିୟୁ ଆଦି ମିଶି ପ୍ରାୟ ୪୨୨ ଶହ  ବେଡ୍‌ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ନୂଆ କୋଠା ହେବା  ପରେ ମଞ୍ଜୁରିପ୍ରାପ୍ତ ବେଡ୍‌ ସଂଖ୍ୟା ୫୩୯କୁ ବୃଦ୍ଧି ପାଇଛି ।  ଆଇସିୟୁ ବେଡ୍‌ ସଂଖ୍ୟା ଶହେକୁ ବୃଦ୍ଧି ପାଇଛି। ଦ୍ୱିତୀୟ ମହଲା  ଓ ତୃତୀୟ ମହଲାରେ ୱାର୍ଡ ସହ ଆଇସିୟୁ ରହିଛି । ନୂଆ ୱାର୍ଡ  ଖୋଲିବା ପରେ ଏଠାରେ ରୋଗୀମାନେ ଭର୍ତ୍ତି ହୋଇ ଚିକିତ୍ସିତ  ହେଉଥିବା ବେଳେ ଆଇସିୟୁରେ କିନ୍ତୁ ତାଲା ପଡ଼ିଛି । ସେହିପରି  ୪ର୍ଥ, ୫ମ ଓ ଷଷ୍ଠ ମହଲାରେ ରୋଗୀଙ୍କ ଚିକିତ୍ସାଠାରୁ ଆରମ୍ଭ  କରି ମେଡିକାଲ୍‌ ପିଜି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଲାଗି  ସେମିନାର ହଲ୍‌, ପ୍ରଶାସନିକ ଅଫିସ୍‌ ପାଇଁ ବ୍ୟବସ୍ଥା ରହିଥିଲେ  ହେଁ ତାହା ଆରମ୍ଭ ହୋଇପାରିନାହିଁ । ନବନିର୍ମିତ କୋଠା ସମ୍ପୂର୍ଣ୍ଣ  କାର୍ଯ୍ୟକ୍ଷମ ହୋଇଗଲେ ରୋଗୀଙ୍କୁ ନେଇ ଅଭିଭାବକମାନେ ଆଉ  ଏଠିସେଠି ହେବେ ନାହିଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.