ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଗୋପାଳପୁର ଜେଡଏସଆଇ ପକ୍ଷରୁ ଉଡ଼ନ୍ତା ମାଛ ଚିହ୍ନଟ

Published By : Prameya | February 6, 2025 5:29 PM

 ଭୁବନେଶ୍ବର,୬।୨:  ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ପକ୍ଷରୁ ପ୍ରଥମ ଥର ଉଡ଼ନ୍ତା ମାଛ ଚେଲିପୋଗନ ଆର୍ର୍ଟିସେପ୍ସ ଚିହ୍ନଟ ହୋଇଛି l ଏହା ପ୍ରଥମେ ପ୍ରଶାନ୍ତ ମହାସାଗରରେ ରହୁଥିବା ବେଳେ ବର୍ତ୍ତମାନ ଭାରତ ମହାସାଗରରେ ପ୍ରଥମ ଥର ଚିହ୍ନଟ ହୋଇଛି l 

ଏହି ମାଛଟି  ୨୦୨୧ ମସିହାରେ ପଶ୍ଚିମବଙ୍ଗର ପେଟୁଆଘାଟ ମାଛ ଅବତରଣ କେନ୍ଦ୍ରରୁ ସଂଗ୍ରହ କରାଯାଇଥିଲା l ଏହି ମାଛର ଡେଣା ଗୁଡ଼ିକ ଲମ୍ବା ଏବଂ ଓସାର ରହିଥିବାରୁ ସମୁଦ୍ରରେ ପ୍ରାୟ ୧୦ ରୁ ୧୫ ମିଟର ପର୍ଯ୍ୟନ୍ତ ଲମ୍ବରେ ଉଡି ପାରନ୍ତି l ଏହାର ରଙ୍ଗ ପିଠି ଭାଗ ଟି ଇସତ ନୀଳ ଏବଂ ପେଟ ଭାଗଟି ରୂପା ଭଳି ଧଳା ରଙ୍ଗ ଅଟେ l ଏମାନଙ୍କ ଡେଣାରେ କିଛି କଳା ଚିହ୍ନ ରହୁଥିବାରୁ ଅନ୍ୟ ପ୍ରଜାତି ଠାରୁ ଭିନ୍ନ ରହିଥାଏ l ଏହି ମାଛର ଲମ୍ବ ୧୫ ରୁ ୧୭ ସେଣ୍ଟି ମିଟର ଅଟେ l 

ପୂର୍ବରୁ ଏହି ମାଛ ଚାଇନା, ଫିଲିପାଇନ୍ସ, ଇଣ୍ଡୋନେସିଆ, ଭିଏତନାମା, ଜାପାନ, ଥାଇଲାଣ୍ଡରେ ଦେଖିବାକୁ ମିଳିଥିଲା l ଏହି ପ୍ରଜାତିର ମାଛ ଭୂପୃଷ୍ଠ ଜଳରେ ମିଳିଥାଏ ଏବଂ କେବେ ଖୋଲା ସମୁଦ୍ରରେ ବିସ୍ତାର ହୋଇନଥାଏ l ଭାରତ ଉପକୂଳରେ ବହୁ ପ୍ରଜାତିର ଉଡ଼ନ୍ତା ମାଛ ଦେଖା ଯାଇଥାନ୍ତି l ଏହି ମାଛ ବିଷାକ୍ତ ନୁହନ୍ତି l ବର୍ତ୍ତମାନ ସୁଦ୍ଧା ପୃଥିବୀରେ ସମୁଦାୟ ଏହି ଭଳି ୮୦ଟି ପ୍ରଜାତିର ଉଡ଼ନ୍ତା ମାଛ ଚିହ୍ନଟ ହୋଇଥିବା ବେଳେ ୨୪ଟି ପ୍ରଜାତିର ମାଛ ଭାରତ ଉପକୂଳରେ ଦେଖା ଯାଇଥାନ୍ତି l 

ଏହି ମାଛ ଟିକୁ ଗୋପାଳପୁର ଜେ. ଏସ. ଆଇର ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର,ବୈଜ୍ଞାନିକ ଶୁଭ୍ରେନ୍ଦୁ ଶେଖର ମିଶ୍ର, ବାଙ୍ଗଲାଦେଶର ବାଜକୂଳ ମିଲନି ମହାବିଦ୍ୟାଳୟ ର ଆସିଷ୍ଟାଣ୍ଟ ପ୍ରଫେସର ଡ଼ ଦୀପାଞ୍ଜନ ରାୟ, ଗବେଷକ ସାନମିତ୍ର ରାୟ ଏବଂ ତପନ ଖଟୁଆଙ୍କ ମିଳିତରେ ଏହି ମାଛର ପରୀକ୍ଷା ନିରୀକ୍ଷା କରାଯାଇଥିଲା। ସମ୍ପୂର୍ଣ୍ଣ ତଥ୍ୟକୁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପତ୍ରିକା “ଜର୍ଣ୍ଣାଲ ଅଫ ମେରାଇନ ବାୟୋଲୋଜିକାଲ ଆସୋସିଏସନ’କୁ ପ୍ରଦାନ କରାଯାଇଥିଲା l ପ୍ରଥମ ଥର ଏହି ପ୍ରଜାତିର ମାଛ ଭାରତ ମହାସାଗରରୁ ମିଳି ଥିବାରୁ ଜର୍ଣ୍ଣାଲ ଅଫ ମେରାଇନ ବାୟୋଲୋଜିକାଲ ଆସୋସିଏସନ”ରେ ପ୍ରକାଶ ପାଇଛି।  ଏହି ମାଛକୁ ସଂଗ୍ରକ୍ଷଣ କରାଯାଇ ଅଧିକରୁ ଅଧିକ ଗବେଷଣା କରାଯିବ ବୋଲି ଗୋପାଳପୁର ଜେଡ. ଏସ. ଆଇର ବୈଜ୍ଞାନିକ ଡ଼. ମହାପାତ୍ର ସୂଚନା ଦେଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.