ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା

ଗ୍ରସ୍‌ ଆଇଲେଟ୍‌, ୨୪/୦୬: ରବିବାର ସକାଳେ ଆଫଗାନିସ୍ତାନ ଯେଉଁ ମହାବିପର୍ଯ୍ୟୟ ରଚିଲା, ତାହା ଅତି ଅଦ୍ଭୁତ ଓ ଅବିଶ୍ୱସନୀୟ ଥିଲା । ଏହି ବିପର୍ଯ୍ୟୟ ସୁପର-୮ ଗ୍ରୁପ୍‌-ଏ’ରେ ଅଙ୍କ ଗଡ଼ ବଡ଼ କରି ଦେଇଛି । ଶକ୍ତିଶାଳୀ ଭାରତ ଓ ଅଷ୍ଟ୍ରେଲିଆ ନିଦ୍ୱର୍ନ୍ଦ୍ୱରେ ସେମି ଫାଇନାଲରେ ପ୍ରବେଶ କରିବେ ବୋଲି ପୂର୍ବରୁ ଯେଉଁ ଆଶା  ରହିଥିଲା, ଆଫଗାନିସ୍ତାନର ବିଜୟ ପରେ ସବୁ କିଛି ଏପଟ ସେପଟ ହୋଇ ଯାଇଛି । 

ସୋମବାର ଭାରତ ଓ ଅଷ୍ଟ୍ରେଲିଆ (ଗ୍ରୁପ୍‌-୧) ସାମ୍ନାସାମ୍ନି ହେବେ । ମ୍ୟାଚ୍‌ଟି ଦୁଇ ଦଳ  ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଶେଷ କରି ବର୍ଷା ମ୍ୟାଚ୍‌ରେ ବାଧକ ସାଜିପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯଦି ବର୍ଷା ହୋଇ ମ୍ୟାଚ୍‌ ଧୋଇ ଯାଏ ତେବେ ଭାରତର କୌଣସି ଅସୁବିଧା ନାହିଁ । ଅଷ୍ଟ୍ରେଲିଆ ମହାଦ୍ୱନ୍ଦ୍ୱରେ ରହିବ । ଏମିତିବି ଆଫଗାନିସ୍ତାନ ଠାରୁ ପରାଜିତ ହେବା ପରେ ଦଳର ସେମି ଫାଇନାଲ ଭାଗ୍ୟ ସୂତା ଖିଅରେ ଲଟକିଛି । 

ଭାରତର ଉନ୍ନତ ନେଟ୍‌ ରନରେଟ୍‌  

କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ଜିତି ସାରିଥିବା ଭାରତ ସୋମବାର ଅଷ୍ଟ୍ରେଲିଆକୁ ହରାଇଲେ ସୁପର-୮ରେ ବି ଅପରାଜେୟ  ସହ ଗ୍ରୁପ୍‌ ଟପ୍ପର ହୋଇ ସେମିରେ ପ୍ରବେଶ କରିବ । ପରାଜିତ ହେଲେ ମଧ୍ୟ ଦଳ ନିକଟରେ ସୁଯୋଗ ରହିଛି ।  ଭାରତ ଗ୍ରୁପ୍‌-୧ରେ ୪ପଏଣ୍ଟ ସହ ଶୀର୍ଷରେ ରହିଛି ।  ଦଳର ନେଟ୍‌ ରନରେଟ୍‌ (+୨.୪୨୫) ଉନ୍ନତ ରହିଛି ।  ଅଷ୍ଟ୍ରେଲିଆ (+୦.୨୨୩) ଓ ଆଫଗାନିସ୍ତାନ (-୦.୬୫୦)  ୨ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଦ୍ୱିତୀୟ  ଓ ତୃତୀୟରେ ରହିଛନ୍ତି । ଏହି ଗ୍ରୁପ୍‌ରେ  ବାଂଲାଦେଶ ୨ଟି ମ୍ୟାଚ୍‌ ପରାଜିତ ହୋଇଛି ।  ଭାରତକୁ ୪୧ ରନ୍‌ରେ ହରାଇଲେ ଅଷ୍ଟ୍ରେଲିଆ  ୪ ପଏଣ୍ଟ ସହ ନେଟ୍‌ ରନରେଟ୍‌ରେ ଶୀର୍ଷକୁ  ଉଠିପାରିବ । ଏହାପରେ ବାଂଲାଦେଶ- ଆଫଗାନିସ୍ତାନ ମ୍ୟାଚ୍‌ ଫଳାଫଳ ଉପରେ ଭାରତର ଭାଗ୍ୟ  ନିର୍ଭର କରିବ । ଆଫଗାନିସ୍ତାନ ୮୩ ରନ୍‌ରେ ବାଂଲାଦେଶକୁ  ହରାଇଲେ ଭାରତର ନେଟ୍‌ ରନ୍‌ରେଟ୍‌କୁ ଟପି ପାରିବ  ଏବଂ ସେମିରେ ପ୍ରବେଶ କରିବ । ତେବେ ଭାରତ ଓ  ବାଂଲାଦେଶ ଜିତିଲେ ଆଫଗାନିସ୍ତାନ ବାଦ୍‌ ପଡ଼ିବ ଏବଂ ଅଷ୍ଟ୍ରେଲିଆ ସେମିକୁ ଉନ୍ନୀତ ହୋଇ ପାରିବ । ଅଷ୍ଟ୍ରେଲିଆ  ଓ ବାଂଲାଦେଶ ଜିତିଲେ ଭାରତ ଓ ଅଷ୍ଟ୍ରେଲିଆ ସେମିରେ  ପ୍ରବେଶ କରିବେ । ସେହିପରି ଭାରତ ଓ ଆଫଗାନିସ୍ତାନ  ଜିତିଲେ ଅଷ୍ଟ୍ରେଲିଆର ଅଭିଯାନ ଶେଷ ହେବ ।  

ପ୍ରତିଶୋଧ ଲକ୍ଷ୍ୟରେ ଭାରତ 

ରେକର୍ଡ଼ ଏବଂ ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ  ଭାରତର ପଲା ଭାରି ରହିବା ସ୍ୱାଭାବିକ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ୫ ଥର  ପରସ୍ପରକୁ ଭେଟିଥିବାବେଳେ ଭାରତ ୩ଟିରେ  ବିଜୟୀ ହୋଇଛି । ଟି-ଟ୍ୱେଣ୍ଟିରେ ଉଭୟ ଦଳ ମଧ୍ୟରେ  ୩୧ଟି ମ୍ୟାଚ୍‌ ଖେଳାଯାଇଛି । ଏଥିରେ ଭାରତ ୧୯ଟି  ଓ ଅଷ୍ଟ୍ରେଲିଆ ୧୧ଟି ଜିତିଥିବାବେଳେ ଗୋଟିଏ  ମ୍ୟାଚ୍‌ ବାତିଲ ହୋଇଥିଲା । ଚଳିତ ବିଶ୍ୱକପ୍‌ରେ  ଭାରତ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି । ଦଳର  ପ୍ରତ୍ୟେକ ଖେଳାଳି ଫର୍ମରେ ଥିବାବେଳେ ବିଜୟରେ  ଯୋଗଦାନ ଦେଉଛନ୍ତି । ସୋମବାର ରୋହିତ ବାହିନୀ  ଅଷ୍ଟ୍ରେଲିଆ ନିକଟରୁ ଦିନିକିଆ ବିଶ୍ୱକପ୍‌ ଫାଇନାଲ୍‌  ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ଏବେ ସଙ୍କଟରେ ରହିଛି । ତେଣୁ ସୋମବାର ଭାରତକୁ ହରାଇବା ପାଇଁ ଦଳ ସବୁ ଶକ୍ତି ଲଗାଇ ଦେବ । ଗ୍ଲେନ୍‌ ମ୍ୟାକ୍ସୱେଲ ଫର୍ମକୁ ଫେରିଥିବାବେଳେ ପ୍ୟାଟ୍‌ କମିନ୍ସ ଭଲ ଲୟରେ ରହିଛନ୍ତି । ଉଭୟ ଦଳର ବ୍ୟାଟିଂ ଓ  ବୋଲିଂ ବିଭାଗ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । 

ଗତ ୧୫ ତାରିଖ ଅଷ୍ଟ୍ରେଲିଆ ଗ୍ରସ୍‌ ଆଇଲେଟ୍‌  ପିଚ୍‌ରେ ସ୍କଟଲାଣ୍ଡ୍‌କୁ ଭେଟିଥିଲା । ଏହି ମ୍ୟାଚ୍‌ରେ  ଦଳକୁ ବିଜୟ (୫ରନ୍‌ରେ) ପାଇଁ ନାକେଦମ  ହେବାକୁ ପଡ଼ିଥିଲା । ଗ୍ରସ୍‌ ଆଇଲେଟ୍‌ ପିଚ୍‌ ବ୍ୟାଟିଂ  ପାଇଁ ଅନୁକୂଳ । ଚଳିତ ସଂସ୍କରଣରେ ଏହି ପିଚ୍‌ରେ  ମୋଟ ୫ଟି ମ୍ୟାଚ୍‌ ଖେଳାଯାଇଛି । ଦ୍ୱିତୀୟ ଭାଗରେ ବ୍ୟାଟିଂ କରିଥିବା ଦଳ ୨ଟି ଏବଂ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ଟି ମ୍ୟାଚ୍‌ ଜିତିଛନ୍ତି । ତଥାପି ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଫଳପ୍ରଦ ହେବ।

ସମ୍ଭାବ୍ୟ ଏକାଦଶ

ଭାରତ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି,  ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ,  ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା,  ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା । 

ଅଷ୍ଟ୍ରେଲିଆ: ଡେଭିଡ୍‌ ୱାର୍ଣ୍ଣର, ଟ୍ରେଭିସ୍‌ ହେଡ୍‌,  ମିଚେଲ ମାର୍ଶ (ଅଧିନାୟକ), ଗ୍ଲେନ ମ୍ୟାକ୍ସୱେଲ,  ମାର୍କସ ଷ୍ଟଇନିସ୍‌, ଟିମ୍‌ ଡେଭିଡ୍‌, ମାଥ୍ୟୁ ୱେଡ୍‌, ପ୍ୟାଟ୍‌ କମିନ୍ସ, ମିଚେଲ ଷ୍ଟାର୍କ/ଆଷ୍ଟନ  ଆଗର, ଆଡାମ ଜାମ୍ପା, ଜୋଶ ହାଜେଲଉଡ୍‌ ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.