କୋଲକାତା: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟ ତିନି ଜଣ ବିଜେପି ବିଧାୟକଙ୍କୁ ସେମାନଙ୍କ ଅଶାଳୀନ ଆଚରଣ ପାଇଁ ସୋମବାର ରାଜ୍ୟ ବିଧାନସଭାରୁ ନିଲମ୍ବିତ କରାଯାଇଛି । ପଶ୍ଚିମବଙ୍ଗ ବିଧାନସଭାର ବଜେଟ ଅଧିବେଶନ ସମୟରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଚାରି ଜଣ ବିଜେପି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଜେପି ବିଧାୟକମାନଙ୍କୁ ବିଧାନସଭାରୁ ୩୦ ଦିନ ପାଇଁ ନିଲମ୍ବିତ କରାଯାଇଛି । ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟତୀତ ବିଧାୟକ ଅଗ୍ନିମିତ୍ର ପାଲ, ବିଶ୍ୱନାଥ କାର୍କ ଏବଂ ବଙ୍କିମ ଘୋଷଙ୍କୁ ନିଲମ୍ବିତ କରାଯାଇଛି । ଗୃହରେ ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ସୋମବାର ବିଧାନସଭା ବାଚସ୍ପତି ସମସ୍ତଙ୍କୁ ବଜେଟ ଅଧିବେଶନରୁ ନିଲମ୍ବିତ କରିଛନ୍ତି । ବିଜେପି ନେତାମାନେ ବାଚସ୍ପତିଙ୍କ ଚୌକି ପାଖକୁ ଆସି ଗୃହର କାର୍ଯ୍ୟ ସହ ଜଡିତ କାଗଜପତ୍ର ଚିରି ଫୋପାଡ଼ି ଦେଇଥିଲେ। ଏହା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ବିଜେପି ବିଧାୟକ ଅଗ୍ନିମିତ୍ର ପାଲଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ବାଚସ୍ପତି ମନା କରିବା ପରେ, ଅଧିକାରୀଙ୍କ ନେତୃତ୍ୱରେ ବିଜେପି ସଦସ୍ୟମାନେ ସ୍ଲୋଗାନ ଦେଇ ବାଚସ୍ପତିଙ୍କ ଚୌକି ପାଖକୁ ଆସିଥିଲେ। ଏହା ପରେ ବିଜେପି ବିଧାୟକମାନେ ଗୃହରୁ ଚାଲିଯାଇଥିଲେ । ଚଳିତ ମାସ ଆରମ୍ଭରେ ସରସ୍ୱତୀ ପୂଜା ପାଳନକୁ ନେଇ ରାଜ୍ୟର କିଛି ସ୍ଥାନରେ ଦିଆଯାଇଥିବା ଧମକ ପ୍ରସଙ୍ଗ ଉଠାଇ ବିଜେପି ପକ୍ଷରୁ ଏକ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା । ପରେ, ପାଲ ବିଧାନସଭା ବାହାରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ, କୋଲକାତାର ଏକ ଆଇନ କଲେଜ ସମେତ ରାଜ୍ୟର କିଛି ସ୍ଥାନରେ ପୋଲିସ ସୁରକ୍ଷା ସହିତ ସରସ୍ୱତୀ ପୂଜା ଆୟୋଜନ କରାଯାଇଥିଲା। ପାଲ କହିଛନ୍ତି ଯେ, ଦଳର ବିଧାୟକଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ବାଚସ୍ପତି ମନା କରିବା ପ୍ରତିବାଦରେ ବିଜେପି ବିଧାୟକମାନେ ଗୃହରୁ ବାହାରକୁ ଚାଲିଯାଇଥିଲେ ।
ବାଚସ୍ପତି ଗୃହରେ ଆଲୋଚନା ପାଇଁ ଅନୁମତି ନ ଦେଇ ଜଣେ ବିଜେପି ବିଧାୟକଙ୍କୁ ପ୍ରସ୍ତାବ ପଢ଼ିବାକୁ ଅନୁମତି ଦେଇଥିଲେ। ପାଲ ଗୃହରେ ପ୍ରସ୍ତାବ ପାଠ କରିବା ପରେ, ବିଜେପି ବିଧାୟକମାନେ ସ୍ଲୋଗାନ ଦେଇ ଏବଂ ପ୍ଲାକାର୍ଡ ଧରି ପ୍ରତିବାଦ କରିବା ଆରମ୍ଭ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଶାସକ ତୃଣମୂଳ କଂଗ୍ରେସ ନିର୍ବାଚନୀ ଲାଭ ପାଇଁ ତୁଷ୍ଟୀକରଣରେ ଲିପ୍ତ ରହିଛି। ତୃଣମୂଳ କଂଗ୍ରେସ ମୁଖ୍ୟ ସଚେତକ ନିର୍ମଳ ଘୋଷ ଗୃହରେ ଏକ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ଦାବି କରାଯାଇଥିଲା ଯେ, ବିଜେପି ବିଧାୟକମାନଙ୍କ ପ୍ରତିବାଦ ବିଧାନସଭା ସଂସ୍କୃତି ବିରୋଧରେ ଥିଲା । ସେମାନଙ୍କ ବିରୋଧରେ ନିର୍ମଳ ଘୋଷ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।