ନୂଆଦିଲ୍ଲୀ: ବରିଷ୍ଠ ପ୍ରଶାସନିକ ଅଧିକାରୀ ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି । ସେ ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଚୟନ ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଜ୍ଞାନେଶ କୁମାରଙ୍କ ନାଁ ଉପରେ ମୋହର ବାଜିଛି । ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି ଜ୍ଞାନେଶ କୁମାର ।
ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ, ‘ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟାନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ) ଆଇନ, ୨୦୨୩ (୨୦୨୩ର ଆଇନ ସଂଖ୍ୟା ୪୯)ର ଧାରା ୪ ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, ରାଷ୍ଟ୍ରପତି ୧୯ ଫେବୃଆରୀ, ୨୦୨୫ ଠାରୁ ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରିଛନ୍ତି ।’ ନୂତନ ସିଇସି ବିହାର ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ବେଙ୍ଗଲ ଏବଂ ତାମିଲନାଡୁ ସମେତ ଅନ୍ୟାନ୍ୟ ନିର୍ବାଚନ ପରିଚାଳନା କରିବେ। ସେହିଭଳି ୧୯୮୯ ବ୍ୟାଚର IAS ଡକ୍ଟର ବିବେକ ଯୋଶୀଙ୍କୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଛି।
ସୋମବାର (୧୭ ଫେବୃଆରୀ ୨୦୨୫) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ନୂତନ ନିର୍ବାଚନ କମିଶନରଙ୍କ ଚୟନ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଇଥିଲେ । ରାହୁଲ ଗାନ୍ଧୀ ବୈଠକରୁ ବାହାରକୁ ଆସିବା ପରେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ବୈଠକର ବୈଧତା ଉପରେ ପ୍ରଶ୍ନ ଉଠାଇଥିଲେ । କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଏବଂ ଅଜୟ ମାକେନ କହିଥିଲେ, ଆମର ଦାବି ହେଉଛି ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦେଉଥିବା କମିଟିରେ ଭାରତର ପ୍ରଧାନ ବିଚାରପତି ରହିବା ଉଚିତ ।
ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା । ନିର୍ବାଚନ କମିଶନଙ୍କ ନିଯୁକ୍ତିରେ ପ୍ରଧାନ ବିଚାରପତିଙ୍କୁ ସାମିଲ କରାଯିବା ଉଚିତ । ଏକ ସ୍ୱାଧୀନ ନିର୍ବାଚନ କମିଶନ ରହିବା ଉଚିତ । ସମ୍ପ୍ରତି ନିର୍ବାଚନ କମିଶନଙ୍କ ସମ୍ପର୍କରେ ଅନେକ ପ୍ରଶ୍ନ ଉଠିଛି । କଂଗ୍ରେସ ନେତା ଅଜୟ ମାକେନ କହିଥିଲେ, ଆପଣମାନେ ସମସ୍ତେ ଜାଣନ୍ତି ଯେ ଆଜି ମୁଖ୍ୟ ନିର୍ବାଚନ କମିଶନରଙ୍କ ଚୟନ ସମ୍ପର୍କରେ ଏକ ବୈଠକ ହୋଇଥିଲା। କିନ୍ତୁ ସୁପ୍ରିମକୋର୍ଟ କହିଛନ୍ତି ଯେ, ଫେବୃଆରୀ ୧୯ରେ ଏହି ମାମଲାର ଶୁଣାଣି ହେବ ଏବଂ କମିଟିର ଗଠନ କିପରି ହେବା ଉଚିତ ସେ ବିଷୟରେ ନିଷ୍ପତ୍ତି ନିଆଯିବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ଉପରେ କୌଣସି ବୈଠକ ନେହେଉ ବୋଲି କଂଗ୍ରେସ ଦାବି କରିଥିଲା ।