ପ୍ରମୂଖ ଖବର
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ନୂଆ ରଙ୍ଗ, ନୂଆ ରୂପ ନେବ ରାଜଧାନୀ ଭୁବନେଶ୍ୱର: ଗଡ଼ିବ ମେଟ୍ରୋ, ଠିଆ ହେବ ନୂଆ ସଚିବାଳୟ

Published By : Prameya | April 13, 2025 8:48 AM

ଭୁବନେଶ୍ୱର ୧୩/୦୪ (ସ୍ମୃତିରଞ୍ଜନ ବିଶ୍ୱାଳ): ୭୭ ଛୁଇଁଲା ରାଜଧାନୀକୁ । ସୁନେଲି ସ୍ୱପ୍ନର ମଞ୍ଜି  ବୁଣି ରାଜଧାନୀ ଦୌଡ଼ୁଛି  ଆଗକୁ ଆଗକୁ । ମେଟ୍ରୋ, ରିଙ୍ଗ୍‌ରୋଡ, ଏଲିଭେଟେଡ କରିଡର,  ନ୍ୟୁ ସିଟି ପରିକଳ୍ପନାର  ନିଅଁ ପଡ଼ିଛି । ପୁଣି ଆସୁଛି  ଇନଫୋସିଟି-୩ । ନୂଆ  ପରିକଳ୍ପନାର ସ୍ୱପ୍ନ ଭିତରେ  ମୁଣ୍ଡ ଟେକିଲାଣି ମାଳମାଳ  ଆହ୍ୱାନ। ପରିବେଶ  ଗଲାଣି ଚୂଲିକୁ । କଂକ୍ରିଟ  ଆଁ ଭିତରେ ସିଝିଲେଣି  ସହରବାସୀ । ଡ୍ରେନେଜ,  ଜବରଦଖଲ ଓ ଟ୍ରାଫିକ  ଯନ୍ତ୍ରଣାର ବୁଢ଼ିଆଣୀ ଜାଲ  ଅଣନିଃଶ୍ୱାସୀ କଲାଣି ।  ତଥାପି ବିକାଶର ନିରନ୍ତର  ସ୍ରୋତ ପାଇଁ ଦେଶର  ଅନ୍ୟତମ ପସନ୍ଦ ସହର  ପାଲଟିଛି ଭୁବନେଶ୍ୱର ।  ନଭଶ୍ଚୁମ୍ବୀ ଅଟ୍ଟାଳିକାର ଧାଡ଼ି  ଲମ୍ବିଲାଣି ପୂର୍ବରୁ ପଶ୍ଚିମ,  ଉତ୍ତରରୁ ଦକ୍ଷିଣ । କିନ୍ତୁ,  ଏ ମହଙ୍ଗା ସହରରେ  ସାଧାରଣ ଲୋକଙ୍କୁ  ସ୍ୱପ୍ନ ଦେଖିବା ମନା।

ମନ୍ଦିରମାଳିନୀ ସହର ପାଲଟିବ ମେଟ୍ରୋ ସିଟି ।  ଭୁବନେଶ୍ୱରରୁ କଟକକୁ ଧାଇଁବ ମେଟ୍ରୋ । ରାଜଧାନୀ  ପାଇଁ ମୁଣ୍ଡବିନ୍ଧା ପାଲଟିଥିବା ଟ୍ରାଫିକ୍‌ ଭିଡ଼ ହଟିବ । ଏଲିଭଟେଡ୍‌  କରିଡର ସାଙ୍ଗକୁ ଇନର ଓ ଆଉଟର ରିଙ୍ଗରୋଡ୍‌ ତିଆରି  ହେବ । ଏକାଧିକ ଫ୍ଲାଏଓଭର ଆଉ ଭୂତଳ ରାସ୍ତା ଫିଟିବ । ସହର ଉପକଣ୍ଠରେ ଛିଡ଼ା ହେବ ନିଉ ସିଟି । ଇନ୍‌ଫୋସିଟି-୩  ପାଇଁ ବି ଯୋଜନା ଆଗେଇଲାଣି । 

ରାଜଧାନୀର ବୟସ ସହିତ ତାଳ ଦେଇ ଏହାର ରୂପ ଓ  ରଙ୍ଗ ବଦଳାଇବାକୁ ସରକାର ବିରାଟ ପରିକଳ୍ପନା କରିଛନ୍ତି ।  ସହରକୁ ବିଶ୍ୱସ୍ତରୀୟ କରିବାକୁ ଏକାଧିକ ଯୋଜନା ହୋଇଛି । ଜୟଦେବ ବିହାର ଛକରୁ ନନ୍ଦନକାନନ ଯାଏ ଏଲିଭଟେଡ୍‌  କରିଡର ହେବ । ମୁଖ୍ୟ ରାସ୍ତା ଉପରେ ଦୁଇଥାକିଆ ବ୍ରିଜ୍‌  ହେବ । ପ୍ରଥମ ବ୍ରିଜ୍‌ରେ ଗାଡ଼ିମୋଟର ଚଳାଚଳ କରିବ ।  ଏହା ଉପରେ ଆଉ ଏକ ବ୍ରିଜ୍‌ ହେବ ଓ ଏଥିରେ ମେଟ୍ରା ଚାଲିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ  କଟକ ତ୍ରିଶୁଳିଆ ଯାଏ ମେଟ୍ରୋ ଚାଲିବ । ମେଟ୍ରୋ ପ୍ରକଳ୍ପରେ  ୬୨୨୫ କୋଟି ଟଙ୍କା ଖର୍ଚ୍ଚ ହେବ । ମେଟ୍ରୋ ପାଇଁ ଡିପୋ କାମ  ଏବେ ଜୋର୍‌ରେ ଆଗଉଛି । 

ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣା, ମଳିପଡ଼ା ଓ  ଦାସପୁରରେ ନିଉ ସିଟିର ପରିକଳ୍ପନା ହୋଇଛି । ୮୨୨ ଏକର  ଜମି ଉପରେ ସମ୍ପୂର୍ଣ୍ଣ ନୂଆ ସହର ଗଢ଼ାଯିବ । ଏଠାରେ ୨ଲକ୍ଷ  ଲୋକ ରହିବା ଭଳି ସୁବିଧା ସୁଯୋଗ ରହିବ । ଆବାସିକ ଘରଠାରୁ ନେଇ ରେଷ୍ଟୁରାଣ୍ଟ, ମଲ୍‌, ହୋଟେଲ, ରିଟେଲ ଆଉଟଲେଟ୍‌,  ସାଂସ୍କୃତିକ କେନ୍ଦ୍ର, ଇନୋଭେସନ ହବ୍‌ ରଖିବାକୁ ବିଡିଏ ଯୋଜନା  କରୁଛି । ବସ୍‌ ଓ ମେଟ୍ରୋ ଜରିଆରେ ଏହି ଅଞ୍ଚଳକୁ ରାଜଧାନୀର  ପ୍ରମୁଖ ଅଞ୍ଚଳ ସହ ଯୋଡ଼ିବାକୁ ଯୋଜନା ରହିଛି । 

ଭୁବନେଶ୍ୱରକୁ ଆଇଟି ହବ୍‌ ଭାବେ ଗଢ଼ି ତୋଳିବାକୁ ସରକାର ଇନଫୋସିଟି-୩ ପାଇଁ ପରିକଳ୍ପନା କରିଛନ୍ତି ।  ଶିଖରଚଣ୍ଡୀ ପାଖରେ ଇନ୍‌ଫୋସିଟି-୧ ଓ ମଦନପୁରରେ  ଇନ୍‌ଫୋସିଟି-୨ ପରେ ଏବେ ଇନ୍‌ଫୋସିଟି-୩ କରିବାକୁ  ଯାଉଛନ୍ତି । ଏଥିପାଇଁ ଉପଯୁକ୍ତ ଜାଗା ଖୋଜା ଚାଲିଛି । ରେଳଷ୍ଟେସନ ପୁନଃବିକାଶ ଯୋଜନାରେ ସହରର ମୁଖ୍ୟ  ରେଳଷ୍ଟେସନକୁ ବିଶ୍ୱସ୍ତରୀୟ ରୂପ ଦିଆଚାଲିଛି । ୧୧ ମହଲାର  ଷ୍ଟେସନ ବିଲ୍ଡିଂ ସହ ଉଭୟ ମାଷ୍ଟରକ୍ୟାଣ୍ଟିନ୍‌ ଓ କଟକ ରୋଡ୍‌କୁ  ଯୋଡ଼ିବାକୁ ଏୟାର କନ୍‌କୋର୍ସ ତିଆରି ହୋଇଛି । ୧୦୮ ମିଟର  ଲମ୍ବା କନକୋର୍ସରେ ଲୋକେ ସିଧା ଷ୍ଟେସନ ପାଖକୁ ଗାଡ଼ି  ଯୋଗେ ଯାଇ ଓହ୍ଲାଇ ପାରିବେ ।  

ଦିନକୁ ଦିନ ଗାଡ଼ିମୋଟର ସଂଖ୍ୟା ବଢୁଛି । ଦିନ ହେଉ  କି ରାତି, ସବୁ ସମୟରେ ଟ୍ରାଫିକ ଭିଡ଼ ଅସମ୍ଭାଳ ହେଲାଣି ।  ସବୁ ପ୍ରମୁଖ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ରେ ଫସୁଛନ୍ତି ଲୋକେ ।  ଏଥିରୁ ମୁକ୍ତି ପାଇଁ ସରକାର ୧୪ ହଜାର କୋଟିର ମେଗା ପ୍ଲାନ୍‌  କରିଛନ୍ତି । ସହର ଭିତର ଓ ଏହାର ଚାରିପାଖରେ ରାସ୍ତାକୁ  ପ୍ରଶସ୍ତ କରାଯିବ । ଲୋକେ ଚୁଟ୍‌କିରେ ନିଜ ଗନ୍ତବ୍ୟସ୍ଥଳରେ  ପହଞ୍ଚିବେ । ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ଅର୍ଥନୈତିକ  ଅଞ୍ଚଳ ଗଢ଼ାଯିବ । ନୂଆ ଗ୍ରେଟର ଭୁବନେଶ୍ୱରର ପରିକଳ୍ପନା  ହୋଇଛି । ଏହାର କେନ୍ଦ୍ରସ୍ଥଳ ହେବ ଭୁବନେଶ୍ୱର ।  

୬୧୫୨ କୋଟି ଟଙ୍କାରେ ଭୁବନେଶ୍ୱର ଆଉଟର ରିଙ୍ଗରୋଡ୍‌  ତିଆରି ହେବ । ଏହି ରିଙ୍ଗରୋଡ୍‌ ଜାତୀୟ ରାଜପଥ-୩୧୬ ପିପିଲି  ପାଖରୁ ବାହାରି ଜାତୀୟ ରାଜପଥ-୧୬ରେ ଥିବା କେଏମ୍‌ବିବି  କଲେଜ, ଜାତୀୟ ରାଜପଥ-୫୭ ତରତୁଆ, ହରିରାଜପୁର  ଓ ଚକ୍ରଧରପୁର, ଜାତୀୟ ରାଜପଥ-୧୬ ବାଲିକୁଦା ଦେଇ  ରାଜ୍ୟ ରାଜପଥ-୬୦ ସୁନ୍ଦରଗାଁ ଓ ବାଲିପାଟଣା ଦେଇ ରାଜ୍ୟ  ରାଜପଥ-୧୩ ଶାଳଜଙ୍ଗ ହୋଇ ପୁଣି ପିପିଲି ପାଖରେ ସରିବ ।  ମୋଟ ୧୪୮ କିମି ଦୂରତାର ରାସ୍ତାକୁ ନେଇ ଏହି ରିଙ୍ଗରୋଡ୍‌  କରାଯିବି ।

 ଏହାକୁ ତିଆରି ପାଇଁ ୧୫୫୯ କୋଟି ଟଙ୍କା ଖର୍ଚ୍ଚ  କରିବାକୁ ଯୋଜନା ଅଛି । ଉଭୟ ଇନର ଓ ଆଉଟର ରିଙ୍ଗରୋଡ୍‌  ରାସ୍ତା ୬ ଲେନ୍‌ ବିଶିଷ୍ଟ ହେବ । ଏହି ରିଙ୍ଗରୋଡ୍‌ରେ ଅନେକ  ବ୍ରିଜ୍‌ ଓ ଛକ ରହିବ । ବିଦେଶ ଭଳି ରାଜଧାନୀରେ ହ୍ୱାଇଟ୍‌ ଟପିଂ  ରାସ୍ତା ତିଆରି ପାଇଁ ବି ଯୋଜନା ହୋଇଛି । ଏଥିରେ ରାସ୍ତାର  ଆୟୂଷ ୭ରୁ ୧୦ ବର୍ଷ ବଢ଼ିଯିବ । ୭୦୦ କୋଟି ଟଙ୍କା ଖର୍ଚ୍ଚରେ  କଳ୍ପନା ଛକରେ ନୂଆ ଫ୍ଲାଏଓଭର ହେବ । ମାଉସୀ ମା’ ମନ୍ଦିର  ଛକରୁ ଶିଶୁଭବନକୁ ନୂଆ ରେଳ ଓଭରବ୍ରିଜ୍‌ ହେବ । 

ଆଗକୁ ପୂରା ରାଜଧାନୀ ଆବର୍ଜନାମୁକ୍ତ ହେବ । ସହର  ଭିତରେ ଆଉ କେଉଁଠି ଅଳିଆର ପାହାଡ଼ ଦେଖିବାକୁ ମିଳିବନି  କି ଗନ୍ଧ ନାକରେ ବାଜିବନି । ସହରରୁ ପ୍ରତିଦିନ ବାହାରୁଥିବା  ଅଳିଆରୁ ବାୟୋ ଗ୍ୟାସ୍‌ ଉତ୍ପାଦନ କରାଯିବ । ବାୟୋ ଗ୍ୟାସ୍‌  ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅଏଲ ଇଣ୍ଡିଆ ଲିଃ ସହ ଏମଓୟୁ କରିଛି  ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) । 

ନୂଆ ସଚିବାଳୟ କୋଠା ଠିଆ ହେବ । ଏହାର ଡିଜାଇନ୍‌ ବି  ପ୍ରସ୍ତୁତ ହୋଇଛି । ୟୁନିଟ୍‌-୨କୁ ନୂଆ ରୂପ ଦିଆଯିବ । ଏଠାରେ ନୂଆ ସରକାରୀ କ୍ୱାର୍ଟର୍ସ ଓ ବାଣିଜ୍ୟିକ କୋଠା ଛିଡ଼ା ହେବ । ଏବେ ଚନ୍ଦ୍ରଶେଖରପୁରରେ ଥିବା ଓମଫେଡ୍‌ ପ୍ଲାଣ୍ଟ ପରିସରରେ  ଥିବା ୧୮ଏକର ଜାଗାରେ ବିଶ୍ୱସ୍ତରୀୟ କନଭେନସନ ସେଣ୍ଟର ତିଆରି ହେବ । ଏକାଧିକ ମିଟିଂ ହଲ୍‌ ସାଙ୍ଗକୁ ସମ୍ମିଳନୀ କକ୍ଷ,  ବିଜନେସ୍‌ ସେଣ୍ଟର, ଇନଡୋର ଏକଜିବିସନ ହଲ୍‌ ରହିବ । ସର୍କିଟ୍‌ ହାଉସ୍‌କୁ ଭାଙ୍ଗି ନୂଆ ସର୍କିଟ ହାଉସ୍‌ ତିଆରି ହେବ ।  ଶିଖରଚଣ୍ଡୀ ପାହାଡ଼ ନୂଆ ରୂପ ନେବ ।

ରାଜଧାନୀକୁ ଛୁଇଁଲା ୭୭, ସ୍ୱପ୍ନର ସହର ଭୁବନେଶ୍ୱର....


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.