ନୂଆଦିଲ୍ଲୀ: ସମ୍ପତ୍ତି ପାଇଁ ମଣିଷ କେତେ ତଳକୁ ଖସିଯାଇପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ସୂଚନା ମୁତାବକ ହାଇଦ୍ରାବାଦର ଜଣେ ୮୬ ବର୍ଷିୟ ଶିଳ୍ପପତିଙ୍କୁ ତାଙ୍କ ନାତି ଛୁରି ଭୁସି ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡିଛି। ମୃତ ଶିଳ୍ପପତିଙ୍କ ନାମ ଭେଲାମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓ ହୋଇଥିବା ବେଳେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ପୋଲିସ ସୂଚନା ପ୍ରଦାନ କରିଛି।
ସୂଚନା ମୁତାବକ, ଶ୍ରୀ ରାଓ ଭେଲଜାନ ଗ୍ରୁଫକୁ ପ୍ରତିଷ୍ଠା କରିବା ସହ ଏହାର ଅଧ୍ୟକ୍ଷ ଭାବେ କାମ କରିଆସୁଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଗ୍ରୁଫ ଶକ୍ତି, ଯାହାଜ ନିର୍ମାଣ ସହ ଅନେକ ଶିଳ୍ପରେ ସାମିଲ ଥିଲା। ତେବେ ନିକଟରେ ସେ ନିଜର ପାରିବାରିକ ସମ୍ପତ୍ତିକୁ ପରିବାରର ବିଭିନ୍ନ ସଦସ୍ୟ ମାନଙ୍କ ମଧ୍ୟରେ ଭାଗବାଣ୍ଟ କରିଥିଲେ। ଏହି ଭାଗବଣ୍ଟାରୁ ତାଙ୍କର ୨୯ ବର୍ଷିୟ ନାତି କିଲାରୁ କିର୍ଥୀ ତେଜାକୁ ୪ କୋଟି ଟଙ୍କା ମିଳିଥିଲେ ମଧ୍ୟ ଏଥିରେ ସେ ଖୁସି ନଥିଲା। ଆଉ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା। ଆଉ ଶେଷରେ ଜେଜଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେବାକୁ ଯୋଜନା କରିଥିଲା ନାତି।
ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବାବେଳେ ତେଜା ହଠାତ୍ ନିକଟରେ ପଡିଥିବା ଏକ ଛୁରି ଆଣି ଶ୍ରୀ ରାଓଙ୍କୁ ଭୁସି ଦେଇଥିଲା। କ୍ରୋଧରେ ଥିବା ତେଜା ଏତିକିରେ ନ ଅଟକି ଥରଥର କରି ଶ୍ରୀ ରାଓଙ୍କୁ ଛୁରି ଭୁସି ଚାଲିଥିଲା। ପାଖାପାଖି ୭୦ ଥରରୁ ଅଧିକ ଛୁରି ଭୁସି ସାରିଲା ପରେ ଘଟଣା ସ୍ଥଳରେ ତେଜାର ମା ପହଞ୍ଚିଥିଲେ। ସେ ତେଜାକୁ ଏଥିରୁ ନିବୃତ ରହିବାକୁ ଅଟକାଇବା ବେଳେ ନିଜେ ମଧ୍ୟ ଆଘାତ ହୋଇଥିଲେ। ଏହି ଘଟଣା ଏତେ ଭୟଙ୍କର ଥିଲା ଯେ ଶ୍ରୀ ରାଓଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ଗୁରୁତର ଆହାତ ହୋଇଥିବା ତେଜାଙ୍କ ମା ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ତେଜା ନିକଟରେ ଆମେରିକାରେ ନିଜର ମାଷ୍ଟର୍ସର ପଢା ଶେଷକରି ଭାରତକୁ ଫେରିଥିଲେ। ତେବେ ପୋଲିସ ତେଜାକୁ ଗିରଫ କରିବା ସହ ଏହି ମାମଲାର ଯୈଞ୍ଚ ଜାରି ରଖିଛି ବୋଲି ସୂଚନା ପ୍ରଦାନ କରିଛି।