ଭୁବନେଶ୍ବର,୧୧/୦୨: ସପନ ହେଲାଣି ସୁନା କିଣିବା । ହୁ ହୁ ହୋଇ ବଢୁଛି ଦର । ଦିନକୁ ଦିନ ନୂଆ ରେକର୍ଡ କରି ଚାଲିଛି ଏହି ହଳିଦିଆ ଧାତୁ । ସେନସେକ୍ସ ଖସୁଛି ସୁନା ଦର ବଢୁଛି । ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ବିଶ୍ୱ ବଜାରରେ ହଲଚଲ ଯୋଗୁ ଏହି ଧାତୁରେ ନିବେଶ ବୃଦ୍ଧି ପାଇଛି, ଯାହା ଦର ବଢ଼ିବାର ପ୍ରମୁଖ କାରଣ ହୋଇଛି । ସାରା ବିଶ୍ବରେ ସୁନା ମହଙ୍ଗା ହୋଇଛି । ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୮୭,୦୦୦ ଟଙ୍କା ପାର୍ କରିଛି । ଏହାର ଦାମ ୩୯୦ ଟଙ୍କା ବଢ଼ି ୮୭,୦୬୦ ଟଙ୍କା ହୋଇଛି । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ୩୫୦ ଟଙ୍କା ବଢି ୭୯,୮୦୦ ଟଙ୍କା ହୋଇଛି । ଯାହା ସୁନାପ୍ରେମୀଙ୍କୁ ଚିନ୍ତାରେ ପକାଇଛି । ଏ ବର୍ଷ ସୁନା ଦର ୯୦ ହଜାର ଯାଏ ଯାଇପାରେ ।
ସୁନା ମହଙ୍ଗା ହେବାର ଅନେକ କାରଣ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରାମକ ବାଣିଜ୍ୟ ନୀତି ଏବଂ ଟାରିଫ୍ ଯୁଦ୍ଧ ଭିତରେ ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ଦେଖିବାକୁ ମିଳିଛି । ବିଶ୍ବ ଅସ୍ଥିରତା ମଧ୍ୟରେ ସୁନାରେ ନିବେଶ ବୃଦ୍ଧି ପାଇଛି, ଯାହାକି ଦରକୁ ଉପରମୁହାଁ କରିଛି । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ମଧ୍ୟ ସୁନାକୁ ମହଙ୍ଗା କରୁଛି । ସେୟାର ବଜାରରେ ଉତ୍ଥାନ-ପତନ କାରଣରୁ ଲୋକେ ସୁନାରେ ନିବେଶ ବଢ଼ାଉଛନ୍ତି । ଯାହା ସୁନା ଦର ବଢ଼ିବାର ଅନ୍ୟତମ ପ୍ରମୁଖ କାରଣ ପାଲଟିଛି । ବିଶ୍ୱ ବଜାରରେ ଅସ୍ଥିରତା ପାଇଁ ଭାରତୀୟ ଇକ୍ୱିଟି ବଜାରରେ ହ୍ରାସ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସେନ୍ସେକ୍ସ ୫୪୮ ପଏଣ୍ଟ ଖସି ୭୭,୩୧୧.୮୦ ପଏଣ୍ଟରେ ବନ୍ଦ ହୋଇଛି । ନିଫ୍ଟି ୧୮୩ ପଏଣ୍ଟ ଖସି ୨୩,୩୭୭.୧୦ ପଏଣ୍ଟରେ ବନ୍ଦ ହୋଇଛି । ଟ୍ରମ୍ପଙ୍କ ଟାରିଫ୍ ଘୋଷଣା, ଦୁର୍ବଳ ଟଙ୍କା ଏବଂ ବିଦେଶୀ ନିବେଶକଙ୍କ ପୁଞ୍ଜି ଭାରତୀୟ ଇକ୍ୱିଟି ବଜାରକୁ ପ୍ରଭାବିତ କରିଛି । ଏଭଳି ସ୍ଥିତିରେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣୁଛନ୍ତି ଲୋକେ । ଏହା ଦରକୁ ବଢ଼ାଉଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି ।
ଅଧିକ ପଢନ୍ତୁ...ବଢୁଛି ସୁନାର ଚମକ, ନୂଆବର୍ଷରେ ୬ ହଜାରରୁ ଅଧିକ ମହଙ୍ଗା ହେଲା ସୁନା
ଜାନୁଆରୀରୁ ଏଯାବତ୍ ସୁନା ଦର ୯,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଥିବା ଜଣାପଡ଼ିଛି । ଗତବର୍ଷ ସୁନା ଦର ୨୦.୨୨% ବୃଦ୍ଧି ପାଇଥିଲା । ଆଗକୁ ୧୦ ଗ୍ରାମ ପିଛା ଏହା ୯୦,୦୦୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ । ସେପଟେ ରୁପା ଦର ବି କିଛି କମ ନାହିଁ । ପୂର୍ବ ବର୍ଷ ତୁଳନାରେ ୧୭.୧୯% ବଢିଛି । କିଲୋଗ୍ରାମ ପିଛା ଲକ୍ଷେ ୭ ହଜାର ଟଙ୍କା ରହିଛି ରୁପା । ଜାନୁଆରୀରୁ ଏଯାବତ୍ ସୁନା ଦର ୯,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଥିବା ଜଣାପଡ଼ିଛି । ବିବାହ ଋୁତୁ ଚାଲିଥିବା ବେଳେ ସୁନା ଦରରେ ଲମ୍ବା ଲମ୍ପ ଚିନ୍ତା ବଢାଇଛି । ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ଏବେ ସାତ ସପନ ହୋଇଛି ।