ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ସାଧୁ-ସନ୍ଥଙ୍କ ଅନ୍ତିମ ସଂସ୍କାର କରାଏ ଗୋଦଡ଼ ଆଖଡ଼ା, ଏଠି ବିଦେଶୀ ଗ୍ରହଣ କରନ୍ତି ସନାତନ ଧର୍ମ

Published By : Prameya | February 14, 2025 2:31 PM

ପ୍ରୟାଗରାଜ ୧୪/୦୨:  ମହାକୁମ୍ଭକୁ ଆସିଥିବା ପ୍ରାୟ ସମସ୍ତ ଆଖଡ଼ାର ପେଣ୍ଡାଲ ନିଜର ଭବ୍ୟତା ପାଇଁ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ଶ୍ରୀ ଦଶନାମ ଗୋଦଡ଼ ଆଖଡ଼ାର ପେଣ୍ଡାଲରେ ସେଭଳି ଭବ୍ୟତା ନାହିଁ । ଆଖଡ଼ାରେ ଚମକ ମଧ୍ୟ ନାହିଁ । ଏବେ ଆଖଡ଼ାରେ ରୁଷ୍‌ର ଇଜରାଙ୍କ ସମେତ ଅନ୍ୟ ଦୁଇ ଜଣ ରୁଷୀୟ ଶିଷ୍ୟ ପହଞ୍ଚିଛନ୍ତି । ସେମାନେ ଆଖଡ଼ାରେ ମନ୍ତ୍ରୋଚ୍ଚାରଣ କରୁଛନ୍ତି । ଶୈବ ଆଖଡ଼ାର ପରମ୍ପରାରେ ୭ ସନ୍ନ୍ୟାସୀ ଆଖଡ଼ାଙ୍କ ଦାନରୁ ମିଳିଥିବା ସାଧୁଙ୍କ ଦ୍ୱାରା ଗୋଦଡ଼ ଆଖଡ଼ା ପରିଚାଳିତ ହୁଏ । ଗୋଦଡ଼ ଆଖଡ଼ାର ସନ୍ଥ, ଶୈବ ଆଖଡ଼ାର ଦେହତ୍ୟାଗ କରିଥିବା ସନ୍ଥଙ୍କୁ ସମାଧି ଦେଇଥାନ୍ତି । ଦେହ ତ୍ୟାଗୀ ସାଧୁଙ୍କ ଷୋଡ଼ଶ ସଂସ୍କାରରେ ଗୋଦଡ଼ ଆଖଡ଼ାର ସନ୍ଥଙ୍କର ପ୍ରମୁଖ ସ୍ଥାନ ଥାଏ । ଶୈବ ଆଖଡ଼ାର ଯେଉଁ ସନ୍ଥଙ୍କୁ ସମାଧି ଦିଆଯାଏ, ତା’ର କିଛି ଶିଷ୍ୟ ଏହି ଆଖଡ଼ାକୁ ଦାନରେ ମିଳନ୍ତି । ଏହି ପ୍ରକ୍ରିୟାରେ ଗୋଦଡ଼ ଆଖଡ଼ାକୁ ସାଧୁଙ୍କ ଆଗମନ ହୋଇଥାଏ ।

ଗୋଦଡ଼ ଆଖଡ଼ାର ମହନ୍ତ ସତ୍ୟାନନ୍ଦ ଗିରି ଓରଫ ଲାଲୀ ବାବା କହିଛନ୍ତି, ରୁଖଡ଼ ସୁଖଦ ଓ ଗୁଦଡ଼ ଶବ୍ଦ ସହ ଯୋଡ଼ି ଗୋଦଡ଼ ଆଖଡ଼ାର ମୂଳଦୁଆ ପଡ଼ିଥିଲା । ବ୍ରହ୍ମପୁରୀ ମହାରାଜ ଗୋଦଡ଼ ଆଖଡ଼ା ସ୍ଥାପନା କରିଥିଲେ । ଏହାର ମୁଖ୍ୟ କେନ୍ଦ୍ର ଜୁନାଗଡ଼ରେ ଅଛି । ଏହା ୭ ଆଖଡ଼ା ସହ ସମ୍ବନ୍ଧୀୟ । ଶୈବ ସମ୍ପ୍ରଦାୟର ଆଖଡ଼ା ଯେଉଁଠି ଯେଉଁଠି ଅଛି, ସେଠି ଗୋଦଡ଼ ଆଖଡ଼ା ଅଛି । ଗୋଦଡ଼ ଆଖଡ଼ାର ସନ୍ଥ ଶୈବ ସମ୍ପ୍ରଦାୟର ୭ ଆଖଡ଼ା (ଅଗ୍ନି ବ୍ୟତୀତ)ର ମୃତକ ସାଧୁଙ୍କୁ ସମାଧି ଦିଅନ୍ତି । ସନ୍ଥଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଗୋଦଡ଼ ଆଖଡ଼ାର ସ୍ୱତନ୍ତ୍ର ଭୂମିକା ଥାଏ । ଲାଲୀ ବାବାଙ୍କ ଅନୁସାରେ, ଆଖଡ଼ାର ସାଧୁ କୌଣସି ମହାତ୍ମାଙ୍କ ସମାଧି ସ୍ଥଳରେ ଗାୟତ୍ରୀ ପାଠ କରି ସେମାନଙ୍କୁ ମୁକ୍ତି ଦିଅନ୍ତି । ସମାଧି ସ୍ଥଳରେ ୧୦୮ ଗାୟତ୍ରୀ ମନ୍ତ୍ର ଜପ କରିବା ପ୍ରମୁଖ କାର୍ଯ୍ୟ । କିନ୍ତୁ ଏହି ପରମ୍ପରା ଆପାତତଃ ଶେଷ ହୋଇଗଲାଣି । ଏହି ଆଖଡ଼ାର ସନ୍ଥ ଶାହୀ ସ୍ନାନ କରନ୍ତି ନାହିଁ । ଏଥିରେ କୌଣସି ମହାମଣ୍ଡଳେଶ୍ୱର ବି ନାହାନ୍ତି । ଗୁରୁଙ୍କର କେବଳ ଜଣେ ଚେଲା ଥାନ୍ତି । 

ଲାଲୀ ବାବା ଆହୁରି କହିଛନ୍ତି, ଅନେକ ବିଦେଶୀ ଶ୍ରଦ୍ଧାଳୁ ଏହି ଆଖଡ଼ା ସହ ଯୋଡ଼ି ହୋଇଛନ୍ତି । ଏମାନେ ଏଭଳି ଶ୍ରଦ୍ଧାଳୁ, ଯିଏ ସବୁକିଛି ସମର୍ପଣ କରିବାକୁ ଆଗେଇ ଆସନ୍ତି । କେବଳ ସନାତନ ଧର୍ମର ପ୍ରଚାର ଆଖଡ଼ାର ଉଦ୍ଦେଶ୍ୟ । ଏହା ବ୍ୟତୀତ ଆଉ କିଛି ଚାହାନ୍ତି ନାହିଁ ବୋଲି ସେ କହିଛନ୍ତି । ଗୋଦଡ଼ ଆଖଡ଼ାକୁ ଆସିଥିବା ରୁଷ୍‌ର ମନସ୍ତତ୍ତ୍ୱବିତ୍‌ ଇଜରା କହିଛନ୍ତି, ମୁଁ ପ୍ରଥମ ଥର ମହାକୁମ୍ଭକୁ ଆସିଛି । ଏହା ପ୍ରଥମ ଏଭଳି ଆଧ୍ୟାତ୍ମିକ ମେଳା, ଯାହା ବିଶ୍ୱରେ ଅନ୍ୟ କେଉଁଠି ହୁଏନାହିଁ । ଏଠାରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଗୁରୁ ଅଛନ୍ତି । ଆମେ ଗୁରୁଙ୍କ ମାଧ୍ୟମରେ ଅନନ୍ୟ ଆଧ୍ୟାତ୍ମିକ ଉର୍ଜ୍ଜା ଦେଖିପାରୁଛୁ ।’ ଇଜରା ଗୋଦଡ଼ ଆଖଡ଼ାରେ ଲାଲୀ ବାବାଙ୍କଠୁ ଦୀକ୍ଷା ନେଇଛନ୍ତି । ଏକ ଗଣମାଧ୍ୟମକୁ ସେ କହିଛନ୍ତି ‘ମୋର କୌଣସି ସନାତନ ନାଁ ନାହିଁ । ପାସ୍‌ପୋର୍ଟ ନାଁ ହିଁ ମୋର ବର୍ତ୍ତମାନର ପରିଚୟ । ମୁଁ ଜୀବନକୁ ଖୁବ୍‌ ଅନ୍ଧକାରମୟ ଓ ରହସ୍ୟମୟୀ ଅନୁଭବ କରୁଥିଲି । ସର୍ଚ୍ଚ କରିବାରୁ ଭାରତ ବିଷୟରେ ଜାଣିଲି । ମୋ ବାପା ଭାରତୀୟ ଓ ମା’ ରୁଷୀୟ । ମୋ ଭଳି ରୁଷ୍‌ର ଅନେକ ଯୁବା ଶ୍ରୀ ଦଶନାମ ଗୋଦଡ଼ ଆଖଡ଼ାରେ ଅଛନ୍ତି । ସେମାନେ ହିନ୍ଦୀ ଜାଣିନାହାନ୍ତି । କିନ୍ତୁ ସଂସ୍କୃତର ଜଟିଳ ଶ୍ଳୋକ ଭଲଭାବେ ମନେରଖିଛନ୍ତି ।’ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.