ନୂଆଦିଲ୍ଲୀ: ପାକିସ୍ତାନର ଗୁପ୍ତଚର ଏଜେନ୍ସି ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ର ନୂତନ ମହାନିର୍ଦେଶକ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଅସୀମ ମଲିକ । ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କୁ ନିଯୁକ୍ତ କରିଛନ୍ତି । ସେ ସେପ୍ଟେମ୍ବର ୩୦ରେ ଦାୟିତ୍ବ ଗ୍ରହଣ କରିବେ। ଅସୀମ ମଲିକ ବର୍ତ୍ତମାନ ରାୱଲପିଣ୍ଡିର ଜେନେରାଲ ମୁଖ୍ୟାଳୟରେ ଆଡଜୁଟାଣ୍ଟ ଜେନେରାଲ ଭାବରେ କାର୍ଯ୍ୟରତ ଅଛନ୍ତି।
ସୂଚନାଥାଉକି, ପାକିସ୍ତାନୀ ସେନାରେ ଆଇଏସଆଇ ମୁଖ୍ୟଙ୍କ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପାକିସ୍ତାନର ୭୭ ବର୍ଷରୁ ଅଧାରୁ ଅଧିକ ସମୟ ପାଇଁ ସେନା ପାକିସ୍ତାନକୁ ଶାସନ କରିଛି। ସୁରକ୍ଷା ଏବଂ ବୈଦେଶିକ ନୀତି ସହ ଜଡିତ ଅନେକ ପ୍ରସଙ୍ଗରେ ସେନା ଏପର୍ଯ୍ୟନ୍ତ ନିଜର ଅଧିକାର ଏବଂ ଶକ୍ତି ପ୍ରୟୋଗ କରିଛି । ଆଇଏସଆଇ ମୁଖ୍ୟଙ୍କୁ ସେନା ମୁଖ୍ୟଙ୍କ ପରାମର୍ଶରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି।
ଲେଫ୍ଟନାଣ୍ଟ ଜେନେରାଲ୍ ମଲିକ୍ ବାଲୁଚିସ୍ତାନରେ ଇନଫେଣ୍ଟ୍ରି ଡିଭିଜନ ଏବଂ ୱାଜିରିସ୍ତାନରେ ଇନଫେଣ୍ଟ୍ରି ବ୍ରିଗେଡର ଦାୟିତ୍ବ ସମ୍ଭାଳିଛନ୍ତି। ସେ ତାଙ୍କ ପାଠ୍ୟକ୍ରମରେ ସୋର୍ଡ ଅଫ୍ ଅନର୍ ମଧ୍ୟ ପାଇଛନ୍ତି । ମଲିକ ନ୍ୟାସନାଲ ଡିଫେନ୍ସ ୟୁନିଭରସିଟି (NDU) ର ମୁଖ୍ୟ ପ୍ରଶିକ୍ଷକ ତଥା କ୍ୱେଟାର କମାଣ୍ଡ ଆଣ୍ଡ ଷ୍ଟାଫ୍ କଲେଜରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି । ସେ ଫୋର୍ଟ ଲିଭେନଓ୍ବର୍ଥ ଏବଂ ରୟାଲ୍ କଲେଜ୍ ଅଫ୍ ଡିଫେନ୍ସ ଷ୍ଟଡିଜରେ ସ୍ନାତକ ହାସଲ କରିଛନ୍ତି । ବର୍ଷ ବର୍ଷ ଧରି ସେନାରେ ବିଭିନ୍ନ ନେତୃତ୍ୱ ଭୂମିକା ଗ୍ରହଣ କରିଛନ୍ତି ।
ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲେଫ୍ଟନାଣ୍ଟ ଜେନେରାଲ ନାଦିମ ଅଞ୍ଜୁମଙ୍କୁ ୨୦୨୧ ମସିହାରେ ଡିଜି ଆଇଏସଆଇ ଭାବରେ ନିଯୁକ୍ତ କରିଥିଲେ।