ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ; ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ

Published By : Manoj | August 25, 2025 8:04 AM

ଭବନେଶ୍ୱର ୨୫/୦୮: କନ୍ଧମାଳ  ଜିଲ୍ଲା ବାଲିଗୁଡ଼ାର ପୂର୍ବତନ ବିଧାୟକ  କରେନ୍ଦ୍ର ମାଝୀ (୫୧)ଙ୍କ ରବିବାର  ସନ୍ଧ୍ୟା ପ୍ରାୟ ସାଢ଼େ ୯ଟାରେ ପରଲୋକ ଘଟିଛି । କିଛି ଦିନ  ହେଲା ସେ କିଡନୀଜନିତ ରୋଗରେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,  ରାଜ୍ୟ ବିଜେପି ସଭାପତି ମନମୋହନ  ସାମଲ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ମାଝୀ ବିଜେପି ଦଳରୁ  ୨୦୦୪ ଓ ୨୦୦୯ ମସିହାରେ ବିଧାୟକ  ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୪ ଓ ୨୦୧୯  ମସିହାରେ ବାଲିଗୁଡ଼ାରୁ ବିଜେପି ପ୍ରାର୍ଥୀ  ଭାବେ ବିଧାନସଭା ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । 

୨୦୨୪ ନିର୍ବାଚନରେ ତାଙ୍କୁ ଦଳୀୟ ଟିକଟ ମିଳି  ନଥିଲା । କୁଟିଆ କନ୍ଧ ଆଦିବାସୀ ସମ୍ପ୍ରଦାୟର ଜଣେ ଜଣାଶୁଣା ନେତା ଥିଲେ କରେନ୍ଦ୍ର ମାଝୀ । ଫୁଲବାଣୀ ସରକାରୀ କଲେଜରୁ ୧୯୯୪- ୯୫ରେ ରାଜନୀତି ବିଜ୍ଞାନରେ ସ୍ନାତକ ଶିକ୍ଷା  ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ଏହି  ଜିଲ୍ଲାରେ ବିଜେପିକୁ ତୃଣମୂଳସ୍ତରରୁ ସଙ୍ଗଠିତ  କରିବା ସହ ଏକ ଅଗ୍ରଣୀ ରାଜନୈତିକ  ଦଳରେ ପରିଣତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କନ୍ଧମାଳ ଜିଲ୍ଲାରେ  ଦୀର୍ଘ ବର୍ଷ ଧରି ସେ ବିଜେପି ସଙ୍ଗଠନକୁ  ମଜବୁତ କରାଇ ଆସିଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଯୁବ ବିଧାୟକ ଭାବେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁର୍ଗମ ଗ୍ରାମାଞ୍ଚଳର ବିକାଶ  ପ୍ରତି ଗୁରୁତ୍ୱ ଦେଇ ଆସୁଥିଲେ । ତାଙ୍କ ପ୍ରଥମ ପତ୍ନୀଙ୍କ ବିୟୋଗ ଘଟି ସାରିଥିବା ବେଳେ  ତାଙ୍କ ଔରସରୁ ଗୋଟିଏ ପୁଅ, ଦୁଇଟି ଝିଅ  ରହିଛନ୍ତି । ସେହିପରି ବର୍ତ୍ତମାନ ଦ୍ୱିତୀୟ ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି ।  

ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ ଲେଖିଛନ୍ତି,  ଆମ ଦଳର ବରିଷ୍ଠ ନେତା ତଥା ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ  ଦେହାନ୍ତ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ  ଓ ମର୍ମାହତ । ତାଙ୍କ ବିୟୋଗ ଆମ ସମସ୍ତଙ୍କ  ପାଇଁ ଏକ ଅପୂରଣୀୟ କ୍ଷତି  । ଶୋକସନ୍ତପ୍ତ  ପରିବାର ପ୍ରତି ମୋର ସମବେଦନା ଜଣାଇବା  ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।  

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ  କହିଛନ୍ତି, ସରଳ ଓ ପରୋପକାରୀ ସ୍ୱଭାବର  ବ୍ୟକ୍ତି ଥିଲେ । ବିଶେଷଭାବରେ ଜନଜାତିଙ୍କ କଲ୍ୟାଣ ଓ ସେବା ଦିଗରେ ସବୁବେଳେ ତତ୍ପର  ହୋଇଥିଲେ । ନିଜ ନିର୍ବାଚନମଣ୍ଡଳୀ ପାଇଁ ସେ  କରିଥିବା କାମ ପାଇଁ ସେ ସ୍ମରଣୀୟ ହୋଇରହିବେ ।   

ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ ଓ  ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ  କୁମାର ମହାନ୍ତିଙ୍କ ସମେତ ମନ୍ତ୍ରୀ ରବି ନାରାୟଣ ନାୟକ, ଡ. ମୁକେଶ ମହାଲିଙ୍ଗ ପ୍ରମୁଖ ଅମର  ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ  ନିକଟରେ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ  ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.