ଭଦ୍ରକ,୨୫/୦୮: ଦାଉ ସାଜିଛି ନଦୀ । ଲଗାଣ ବର୍ଷା ପରେ ନିୟମିତ ଆସୁଛି ବନ୍ୟା । ନଦୀରୁ ଉଛୁଳି ଗାଁ ମୁହାଁ ହେଉଛି ବନ୍ୟା ଜଳ । ଜନ ବସତିରେ ପଶୁଛି, ଘର ଭାଙ୍ଗୁଛି, ଚାଷ ନଷ୍ଟ ହେଉଛି । ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ୩ଥର ବନ୍ୟା ଆସିଥିବାରୁ ଚିନ୍ତାରେ ପଡ଼ିଛନ୍ତି ଧାମନଗର ଅଞ୍ଚଳବାସୀ । ଚାଷ ଛାରଖାର ହୋଇଛି । ବିଶେଷକରି ହସନାବାଦବାସୀଙ୍କ ହସ ହଜିଯାଇଛି ।
ଅର୍ଜୁନପୁରବାସୀ ଆଉ ଏବର୍ଷ ଚାଷକୁ ଭରସା କରି ନାହାନ୍ତି । ଅମଳ ହେବନି ବୋଲି ଜମିର ସ୍ଥିତି ଦେଖିଲେ ଜଣାପଡୁଛି ବୋଲି ଚାଷୀ ହରିଶଙ୍କର ସାହାଣୀ କହିଛନ୍ତି । କେବଳ ଏହି ଦୁଇ ପଞ୍ଚାୟତ ନୁହଁ, ଏହି ବ୍ଲକର ୧୫ଟି ପଞ୍ଚାୟତ ଅବସ୍ଥା ସାଙ୍ଘାତିକ ହୋଇଛି । ଅଗଷ୍ଟରେ ଦୁଇଥର ବନ୍ୟାଜଳ ଆସିଛି। ଏହି ବନ୍ୟା ପାଣି ପୂରା ଚାଷ ସର୍ବନାଶ କରିଛି । ପରିବା ଚାଷୀଙ୍କ ଅଣ୍ଟା ପୁରା ଦୋହଲି ଯାଇଛି । ବନ୍ୟାର ପ୍ରତିକାର ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । କାହା ଘରେ ଅଣ୍ଟାଏ ପାଣି ତ ଆଉ କାହା ଘରେ ବେକେ ପାଣି । ତଳ ମହଲା ବୁଡି ଯାଇଛି । ବଡ଼ ଦୟନୀୟ ଅବସ୍ଥାରେ ଅଛନ୍ତି । ଶୋଇଥିବା ବେଳେ ବନ୍ୟା ଜଳ ଆସୁଛି । କଣ୍ଟିଘାଇ, ମଲ୍ଲୀ ମହାରା ସମେତ ଗେଙ୍ଗୁଟି ନଦୀ ବିପଦ ସାଜିଛି । ଆଜି ଜିଲ୍ଲାପାଳ ଜଳବନ୍ଦୀ ଅଞ୍ଚଳ ବୁଲି ରିଲିଫ ଦେଇଛନ୍ତି । ବନ୍ୟା ମୁକାବିଲା ଲାଗି ବ୍ଳକ ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ସଜାଗ ଅଛି ବୋଲି ଜରୁରୀ କାଳୀନ ଅଧିକାରୀ କହିଛନ୍ତି ।