ବାସୁଦେବପୁର,୧୨।୮ : ବାସୁଦେବପୁର ଥାନା ପଢୁଆଁ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଘରେ ପଶି ଡକାୟତି କରିଛନ୍ତି। ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ଘରେ ପଶି ଦୁଇ ମହିଳାଙ୍କ ହାତ ଗୋଡ ବାନ୍ଧି ଭୁଜାଲି ଓ ବନ୍ଧୁକ ଲଗାଇ ସୁନା ଗହଣା ସହ ଟଙ୍କା ଲୁଟି ନେଇଛନ୍ତି । ଡକାୟତଙ୍କ ମାଡ଼ରେ ଦୁଇ ମହିଳା ମଧ୍ୟ ଆହତ ହୋଇଛନ୍ତି। ଆହତ ମହିଳାମାନେ ହେଲେ ସତ୍ୟଭାମା ମିଶ୍ର ଓ ବୈଦେଇ ସାହୁ।
ମଙ୍ଗଳବାର ସନ୍ଧ୍ୟା ସମୟରେ ୩ ଜଣ ଡକାୟତ ପୂର୍ଣ୍ଣ ଚନ୍ଦ୍ରଙ୍କ ଘର ମୁଖ୍ୟ ଫାଟକ ଦେଇ ପଶିଥିଲେ। ଘରେ ପ୍ରଥମେ ପଶି ଦୁଇ ମହିଳାକୁ କାବୁ କରିନେଇ ଗୋଟିଏ ସ୍ଥାନରେ ବାନ୍ଧି ବସାଇ ଥିଲେ। ପରେ ଘରର ବିଭିନ୍ନ ସ୍ଥାନରେ ବୁଲି ଘରେ ଥିବା ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୩୬ ହଜାର ଟଙ୍କା ନେଇଯାଇଥିଲେ। ଚୋର ମାନେ ଘରୁ ବାହାରିବା ସମୟରେ ସ୍ଥାନୀୟ ଲୋକ ଦେଖି ପାଟି କରିଥିଲେ। ଡକାୟତମାନେ ଦୌଡ଼ି ପଳାଇବା ସହିତ ଏକ ସ୍ଥାନରେ ନିଜର ବ୍ୟାଗ ପକାଇ ଚାଲି ଯାଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ ବ୍ୟାଗକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି। ବ୍ୟାଗରୁ ଦୁଇଟି ଭୁଜାଲି, ଛୁରୀ ସହିତ ଚୋରାଇ ନେଇଥିବା କିଛି ସୁନା ଗହଣା ପୋଲିସ ଜବତ କରିଛି।