ବଣାଇ, ୨୫/୦୮: ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା କେଲୋ ଛକରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପିକଅପ୍ ଭ୍ୟାନ । ଏହି ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ବଣାଇ ବନ ବିଭାଗ ପକ୍ଷରୁ କେଲୋ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଛି । ସେଥିପାଇଁ ଶ୍ରମିକ ମାନଙ୍କ ପାଉଣା ବାବଦକୁ ଫୋଟୋ ଉଠାଇବା ପାଇଁ କେନ୍ଦ୍ରିକଳା ଓ ପାଣ୍ଡୁରୀଶିଳା ଗ୍ରାମର ୩୦ରୁ ୪୦ ଯୁବକ ମହିଳା ଏବଂ ବୃଦ୍ଧ ଦୁଇଟି ପିକଅପ୍ ଗାଡ଼ିରେ ଯାଉଥିଲେ । କେଲୋ ଛକରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇ ଓଲଟି ପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଗୁରୁତର ଥିବା ବେଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ବଣାଇ ଉପଖଣ୍ଡ ଚିକିତ୍ସଳୟକୁ ଆଣି ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି । ଏହି ଘଟଣା ପରେ ବନ ବିଭାଗ ପକ୍ଷରୁ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଯୋଗୁଁ ମେଡିକାଲରେ ପରିବାର ଓ ଗ୍ରାମବାସୀଙ୍କ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖା ଦେଇଛି।