ରାଉରକେଲା,୨୧/୦୮: ବୁଧବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା । ୧୪୩ ନଂ.ଜାତୀୟ ରାଜପଥରେ ହଠାତ ଦେଖା ଯାଇଥିଲା ସ୍ପାଇଡରମ୍ୟାନ୍ । ଏକ ଦାମୀ ବାଇକ୍ ଧରି ସ୍ପାଇଡରମ୍ୟାନ୍ ଏହି ରାଜପଥରେ ଦ୍ରୁତ ବେଗରେ ଯାଉଥିଲା । ପରେ ଏକ ସ୍କୁଲ ସମ୍ମୁଖରେ ଷ୍ଟଣ୍ଟ ମାରିଥିଲା । ହେଲେ ସତସତିକିଆ ସ୍ପାଇଡରମ୍ୟାନ୍ ନଥିଲା, ଏହି ବାଇକ୍ ଚାଳନା କରୁଥିଲେ ଜଣେ ଯୁବକ । ଅବିକଳ ସ୍ପାଇଡରମ୍ୟାନ୍ ଭଳି ପୋଷାକ ପରିଧାନ କରିଥିଲେ । ସ୍ପାଇଡରମ୍ୟାନ୍ ଭଳି ବାଇକ୍ ଚାଳନା କରି ଯାଉଥିବା ବେଳେ ପୁଲିସ୍ ପଞ୍ଝାରେ ପଡ଼ିଛନ୍ତି ।
ସୂଚନା ଅନୁସାରେ, ଦକ୍ଷିଣ ରାଉରକେଲାର ଜଲଦା ଫାଣ୍ଡି ଅନ୍ତର୍ଗତ କାଟିନ୍ ଛକରେ ରୁହନ୍ତି ପ୍ରକାଶ ଭୂମିଜ୍ । ବୁଧବାର ମଧ୍ୟାହ୍ନରେ ସ୍ପାଇଡରମ୍ୟାନ୍ ପୋଷାକ ପରିଧାନ କରି ବାଇକ୍ ନଂ.ଓଡ଼ି୧୪ଏଇ-୮୦୮୦ ଧରି ଘରୁ ବାହାରିଥିଲେ । ୧୪୩ ନଂ.ଜାତୀୟ ରାଜପଥରେ ସ୍ପାଇଡରମ୍ୟାନ୍ ଭଳି ଘୂରି ବୁଲୁଥିଲେ । ପରେ ମଧ୍ୟାହ୍ନରେ ସ୍ଥାନୀୟ କାର୍ମେଲ ସ୍କୁଲ ସମ୍ମୁଖରେ ବାଇକ୍ ଧରି ଷ୍ଟଣ୍ଟ ମାରିଥିଲେ । ସ୍କୁଲ୍ ଛୁଟି ସମୟ ହୋଇଥିବାରୁ ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବାଇକ୍ର ବିକଟାଳ ଶବ୍ଦ ଶୁଣି ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ । ଜଲଦା ଫାଣ୍ଡି ଅଧିକାରୀ ବିକାଶ କଲେତ ତୁରନ୍ତ ଟିମ୍ ସହିତ ସେଠାରେ ପହଞ୍ଚି ସ୍ପାଇଡରମ୍ୟାନ୍ ସାଜିଥିବା ଯୁବକଙ୍କୁ ଧରିବା ସହିତ ବାଇକ୍କୁ ଜବତ କରିଥିଲେ ।
ପ୍ରକାଶଙ୍କୁ ପଚରାଉଚରା କରାଯିବାରୁ ସ୍ପାଇଡରମ୍ୟାନ୍ ପୋଷାକ ସେ ଅନ୍ଲାଇନ୍ ଜରିଆରେ ସାଢେ ୩ହଜାର ଟଙ୍କା ଦେଇ କିଣିଥିବା କହିଛନ୍ତି । ବାଇକ୍ର ମୂଲ୍ୟ ଲକ୍ଷାଧିକ । ସ୍କୁଲ ସମ୍ମୁଖରେ ବାଇକ୍ ଧରି ଷ୍ଟଣ୍ଟ ମାରିବା ଏବଂ ଶବ୍ଦ ପ୍ରଦୂଷଣ କରିବା ଯୋଗୁଁ ବାଇକ୍କୁ ପୁଲିସ୍ ଜବତ କରିଛି । ଜରିମାନା ଆଦାୟ କରାଯାଇନଥିବା ବେଳେ ଏ ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଅବଗତ କରାଯାଇଛି । ପରିବହନ କାର୍ଯ୍ୟାଳୟରୁ ଟିମ୍ ଫାଣ୍ଡିରେ ପହଞ୍ଚି ବାଇକ୍ ଯାଞ୍ଚ କରିବା ପରେ ଚାଲାନ୍ କଟାଯିବା ନେଇ ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।