ବଡ଼ଗାଁ,୧୩/୮: ଭୋର ସମୟରେ ହେଉଥିଲା ଗୋମାଂସ ଚାଲାଣ । ଧରା ପଡ଼ିଯିବା ଭୟରେ ଦ୍ରୁତ ଗତିରେ କାର୍ ଚଳାଉ ଥିଲେ। ହେଲେ ଦ୍ରୁତ ଗତି ସାଜିଲା କାଳ। ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଥାନା ଜାବାବାହାନ ଠାରେ ଏକ ଟ୍ରେଲର ପଛକୁ ଧକ୍କା ହେଲା କାର୍ । ଘଟଣାସ୍ଥଳରେ ହିଁ ଗୋଚାଲାଣକାରୀଙ୍କ ଚାଲିଗଲା ଜୀବନ । ମୃତକ ହେଲେ ସମ୍ବଲପୁର ମୋଚିହରଣ ଅଞ୍ଚଳର ଏମଡି ଅନସର ଅଲ୍ଲୀ(୪୫ ବର୍ଷ)।
ସୂଚନା ମୁତାବକ, ଏମଡି ଅନସର ବୁଧବାର ଭୋର ସାଢ଼େ ୪ଟାରେ ଏକ କାର୍ରେ ସମ୍ବଲପୁରରୁ କୁତ୍ରାର ଖତବୁରବାହାଲ ଅଞ୍ଚଳକୁ ଗୋମାଂସ ନେବାକୁ ଆସିଥିଲେ। ଗୋମାଂସ ନେବା ପରେ ଦ୍ରୁତ ବେଗରେ କାର୍ରେ ଫେରୁଥିଲେ। ହେଲେ ବଡ଼ଗାଁର ଜାବାବାହାନ ଠାରେ ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଟ୍ରେଲର ପଛରେ ପିଟି ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଅନସରଙ୍କ ମୃତ୍ୟୁ ଘଟିଥିଲା। ଏସମ୍ପର୍କରେ ଖବର ପାଇ କୁତ୍ରା ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାର୍ରୁ ମୃତଦେହ ବାହାର କରିଥିଲେ। ପରେ ବଡ଼ଗାଁ ପୁଲିସ ପହଞ୍ଚି କାର୍ ଏବଂ ସେଥିରେ ଥିବା ୨ ବସ୍ତା ଗୋମାଂସ ଜବତ କରିଛି। ଏଥିସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।