ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ପୁଣେରେ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ଜିବିଏସ୍‌ ଭାଇରସ୍; ଏପର୍ଯ୍ୟନ୍ତ ୧୯୭ ମାମଲା, ଆଇସିୟୁରେ ଭର୍ତ୍ତି ୫୦ ରୋଗୀ

Published By : Prameya | February 12, 2025 1:02 PM

ପୁଣେ, ୧୨।୨: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି ଜିବିଏସ୍‌ ମାମଲା । ମହାରାଷ୍ଟ୍ରର ପୁନେରେ ଜିବିଏସ୍‌ ଭାଇରସ୍‌କୁ ନେଇ ଲୋକଙ୍କ ମନରେ କୋକୁଆ ଭୟ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ପୁନେ ଅଞ୍ଚଳରେ ଜିବିଏସ୍‌ ମାମଲା ସଂଖ୍ୟା ୧୯୭ରେ ପହଞ୍ଚିଛି । ଏହି ସ୍ନାୟୁ ବିକାରରେ ଆକ୍ରାନ୍ତ ଆଉ ୫ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ପୁନେର ୫ ଜଣ ରୋଗୀଙ୍କ ମଧ୍ୟରେ ୨ ଜଣ ନୂତନ ଏବଂ ପୂର୍ବ ଦିନର ୩ ଜଣ ଅନ୍ତର୍ଭୁକ୍ତ । ଅନ୍ୟପଟେ ଦେଶରେ ଏହି ରୋଗରେ ଏପର୍ଯ୍ୟନ୍ତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇରେ ଜିବିଏସ୍‌ ସିଣ୍ଡ୍ରୋମ ଭାଇରସରେ ପ୍ରଥମ ମୃତ୍ୟୁ ହୋଇଛି । ମୁମ୍ବାଇର ନାୟାର ହସ୍ପିଟାଲରେ ୫୩ ବର୍ଷୀୟ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । 

ସ୍ୱାସ୍ଥ୍ୟ ବିଭାଗର ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୯୭ ଜଣଙ୍କ ମଧ୍ୟରୁ ୧୭୨ ଜିବିଏସ୍‌ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା । ଏଥିମଧ୍ୟରୁ ପ୍ରାୟ ୪୦ ଜଣ ରୋଗୀ ପୁଣେ ମୁନିସିପାଲ୍ କର୍ପୋରେସନ୍ ଅଞ୍ଚଳର ହୋଇଥିବା ବେଳେ ୯୨ ଜଣ ପିଏମସିରେ ନୂତନ ଭାବରେ ଯୋଡ଼ା ଯାଇଥିବା ଗାଁରୁ, ୨୯ ଜଣ ପିମ୍ପରି ଚିଞ୍ଚୱାଡ଼ ନାଗରିକ ସୀମାରୁ, ୨୮ ଜଣ ପୁନେ ଗ୍ରାମାଞ୍ଚଳରୁ ଏବଂ ୮ ଜଣ ଅନ୍ୟ ଜିଲ୍ଲାର ବୋଲି ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୦୪ ଜଣ ରୋଗୀଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ, ୫୦ ଜଣ ଆଇସିୟୁରେ ଏବଂ ୨୦ ଜଣ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । 

ଏହି ଅଞ୍ଚଳରେ ଜିବିଏସ୍ ଯୋଗୁଁ ସନ୍ଦିଗ୍ଧ ମୃତ୍ୟୁ ସଂଖ୍ୟା ୭ ରହିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି  । ଜିବିଏସ୍‌ ରୋଗରେ ପୀଡ଼ିତ ରୋଗୀଙ୍କଠାରେ ପେରିଫେରାଲ୍ ସ୍ନାୟୁ ଉପରେ ରୋଗ ପ୍ରତିରୋଧକ ଶକ୍ତି ଆକ୍ରମଣ କରେ । ଫଳରେ ଦୁର୍ବଳ ମାଂସପେଶୀ, ଗୋଡ଼-ହାତ ଝିମ୍‌ଝିମ୍ ହେବା, ଖାଦ୍ୟ ଖାଇବା ବେଳେ କିମ୍ୱା ନିଶ୍ୱାସ ନେବାରେ ସମସ୍ୟା ଦେଖାଯାଏ । ଗୁଇଲେନ୍-ବେରି ସିଣ୍ଡ୍ରୋମ୍ (ଜିବିଏସ୍) ଏକ ବିରଳ ସ୍ନାୟୁ ରୋଗ । ଡାକ୍ତରଙ୍କ ମତରେ, ଏହି ରୋଗରେ ପେରିଫେରାଲ ସ୍ନାୟୁ କ୍ଷତିଗ୍ରସ୍ତ ହୁଏ । ଯେଉଁ କାରଣରୁ ହାତଗୋଡ଼ ଦୁର୍ବଳ ଲାଗେ । ଏହା ଏକ ଗମ୍ଭୀର ସ୍ନାୟୁ ରୋଗ । ଏପରି ପରିସ୍ଥିତିରେ, ଯଦି ଠିକ୍ ସମୟ ମଧ୍ୟରେ ପରୀକ୍ଷା କରିବା ସହ ତୁରନ୍ତ ଚିକିତ୍ସା କରାଯାଏ, ତେବେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ । 

 ଜିବିଏସ୍ ରୋଗର ଲକ୍ଷଣ କ’ଣ ? 

  • ହାତ-ଗୋଡ଼-ପାଦ ଝିମ୍‌ଝିମ୍ ହେବା
  • ଚାଲିବା ବେଳେ ଦୁର୍ବଳ ଲାଗିବା
  • ଖାଇବା ବେଳେ ଗଳାରେ ଯନ୍ତ୍ରଣା ଅନୁଭବ ହେବା
  • ଆଖିରେ ଯନ୍ତ୍ରଣା ଅନୁଭବ ହେବା
  • ମାଂସପେଶୀରେ ଯନ୍ତ୍ରଣା
  • ମଳମୂତ୍ର କରିବାରେ ସମସ୍ୟା
  • ଶ୍ୱାସକ୍ରିୟୀରେ ସମସ୍ୟା 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.