ନୂଆଦିଲ୍ଲୀ,୦୯/୦୨: ଇତିମଧ୍ୟରେ ଘୋଷଣା କରାଯାଇଥିବା ବିତ୍ତୀୟ ଏବଂ ମୁଦ୍ରାନୀତି ପଦକ୍ଷେପ ଚାହିଦାରେ ଉନ୍ନତି ଆଣିବ । ଏହାସହିତ ଘରୋଇ ନିବେଶକୁ ତ୍ୱରାନ୍ୱିତ କରିବ । ଅର୍ଥନୈତିକ ବିକାଶକୁ ଡେଣା ମିଳିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆର୍ବିଆଇର କେନ୍ଦ୍ରୀୟ ବୋର୍ଡ ବୈଠକରେ ଉଦ୍ବୋଧନ ଦେଇ ଏହା କହିଛନ୍ତି । ସୂଚନାଯୋଗ୍ୟ, ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ସୀତାରମଣ ବଜେଟ୍ ୨୦୨୫- ୨୬କୁ ଉପସ୍ଥାପନ କରି ମଧ୍ୟବିତ୍ତଙ୍କ ଉଦ୍ଦେଶ୍ୟରେ ବଡ଼ ଘୋଷଣା କରିଥିଲେ । ଟିକସ ରିହାତି ଦେଇ ମଧ୍ୟମ ବର୍ଗଙ୍କୁ ଖୁସ୍ କରିଥିଲେ । ବଜେଟ୍ ପ୍ରସ୍ତାବ ଅନୁସାରେ, ବର୍ଷକୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବେତନଭୋଗୀଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ଏହା ମାଧ୍ୟମରେ ୧ କୋଟି ଟିକସଦାତା ଉପକୃତ ହେବେ ।
ସେହିଭଳି ମୁଦ୍ରାନୀତି ପଦକ୍ଷେପ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଗୁରୁବାର ଏହାର ପ୍ରମୁଖ ସୁଧ ହାର ରେପୋରେଟ୍ରେ .୨୫% ବା ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି । ୫ ବର୍ଷ ମଧ୍ୟରେ ଏହା ରେପୋରେଟ୍ରେ ପ୍ରଥମ ହ୍ରାସ । ମନ୍ଥର ଅଭିବୃଦ୍ଧିକୁ ଦ୍ରୁତ କରିବା ଉଦ୍ଦେଶ୍ୟରେ ସର୍ବୋଚ୍ଚ ବ୍ୟାଙ୍କ ଏ ନିଷ୍ପତ୍ତି ନେଇଛି । ଆର୍ବିଆଇର ବୋର୍ଡ ବୈଠକରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବଜେଟ୍ ପରେ ବଜାରରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ଏପ୍ରିଲ-ଜୁନ୍ ଅବଧି ପାଇଁ ଏଫ୍ଏମ୍ସିଜି ଉତ୍ପାଦଗୁଡ଼ିକ ପାଇଁ ପ୍ରି-ବୁକିଂ ବୃଦ୍ଧି ପାଇଛି । ଚାହିଦାରେ ସୁଧାର ଦେଖିବାକୁ ମିଳିଲାଣି । ଅନେକ ଏଫ୍ଏମ୍ସିଜି କମ୍ପାନି ସେମାନଙ୍କ କ୍ଷମତା ବୃଦ୍ଧି ନେଇ ସମୀକ୍ଷା କରୁଛନ୍ତି । ଆଗକୁ ସେମାନେ ଆଖିଦୃଶିଆ ନିବେଶ ବି କରିପାରନ୍ତି । ବଜେଟ୍ରେ ଟିକସ ରିହାତି ସହ ଆର୍ବିଆଇର ମୁଦ୍ରାନୀତି ପଦକ୍ଷେପ ଭାରତୀୟ ଅର୍ଥନୀତି ପାଇଁ ସକାରାତ୍ମକ ଫଳାଫଳ ଆଣିବ । ଚାହିଦାରେ ସୁଧାର ଆଣିବା ସହ ଏହା ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଏ ଅବସରରେ ଅର୍ଥମନ୍ତ୍ରୀ ଆୟକରରେ ଦିଆଯାଇଥିବା ରିହାତି ସହ ସାଧାରଣ ବଜେଟ ୨୦୨୫-୨୬ର ପ୍ରମୁଖ ପ୍ରସ୍ତାବଗୁଡ଼ିକ ଉପରେ ବିବରଣୀ ପ୍ରଦାନ କରିଛନ୍ତି । ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମଲ୍ହୋତ୍ରାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆର୍ବିଆଇ ଗଭର୍ଣ୍ଣର ଶ୍ରୀ ମଲ୍ହୋତ୍ରା କହିଲେ, ଆମେ ଭାରତକୁ ଅଧିକ ନିବେଶକ ଅନୁକୂଳ ଏବଂ ବାଣିଜ୍ୟ ଅନୁକୂଳ କରିବାକୁ ଚାହୁଁ । ମଲ୍ହୋତ୍ରା ଆହୁରି କହିଲେ ଯେ, ଟ୍ରମ୍ପଙ୍କ ଆକ୍ରାମକ ବାଣିଜ୍ୟ ନୀତି ତଥା ବିଭିନ୍ନ ରାଷ୍ଟ୍ରଗୁଡ଼ିକ ଉପରେ ଟାରିଫ୍ କଟକଣା ଯୋଗୁ ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତାର ମାହୋଲ ଦେଖାଦେଇଛି । ଆଗାମୀ କିଛି ମାସରେ ସ୍ଥିତିରେ ସୁଧାର ଆସିବା ଆଶା ରହିଛି । ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ର ଲିକ୍ୱିଡିଟି ଆବଶ୍ୟକତାକୁ ପୂରଣ କରିବା ଦିଗରେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ଯତ୍ନବାନ ରହିବ ବୋଲି ଆର୍ବିଆଇ ଗଭର୍ଣ୍ଣର କହିଛନ୍ତି । ସେ କହିଛନ୍ତି ଯେ, ଟଙ୍କା ପାଇଁ ଆର୍ବିଆଇ କୌଣସି ପ୍ରାଇସ୍ ବ୍ୟାଣ୍ଡ୍ ଟାର୍ଗେଟ୍ ରଖିନାହିଁ । ଅତିରିକ୍ତ ଅସ୍ଥିରତାକୁ ନିୟନ୍ତ୍ରଣ କରିବା ଉପରେ ଏହା ଗୁରୁତ୍ୱ ଦେଉଛି ।