ଘଟଗାଁ,୧୧/୧୨: ବିଳମ୍ୱିତ ରାତିରେ ଘଟଗାଁ ମା' ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନ ଗୁଡିକରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୧୨ ଟି ଭୋଗ ଦୋକାନ । ତାରିଣୀ ମନ୍ଦିର ୨ନମ୍ବର ଗେଟ ନିକଟରେ ଏହି ଅଘଟଣ ଘଟିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କେନ୍ଦୁଝର ଜିଲ୍ଲା ଘଟଗାଁ ମା' ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଏଭଳି ଅଘଟଣ ହୋଇଛି।
ସୂଚନା ମୁତାବକ, ମଙ୍ଗଳବାର ବିଳମ୍ୱିତ ରାତି ପ୍ରାୟ ୧ଟା ୩୦ ମିନିଟ ସମୟରେ ତାରିଣୀ ମନ୍ଦିର ୨ନମ୍ବର ଗେଟ ନିକଟରେ ଥିବା ଭୋଗ ଦୋକାନ ଗୁଡିକରେ ନିଆଁ ଲାଗି ଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ନିଆଁ ଲାଗିବା କାରଣରୁ ଭୋଗ ଦୋକାନ ଗୁଡିକରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ କିଛି ମାସ ପୂର୍ବରୁ ମନ୍ଦିରର ୩ ନମ୍ବର ଗେଟ୍ ସମ୍ମୁଖରେ ଅଗ୍ନିକାଣ୍ଡ ଘଟି ବହୁ ଭୋଗ ଦୋକାନ ଜଳିଯାଇଥିଲା।
ଏହି ଘଟଣାକୁ ନେଇ ମତ ପ୍ରକାଶ ପାଇଛି ଯେ, ଭକ୍ତଙ୍କୁ ଭୋଗ ଡାଲା ଉଚିତ୍ ମୂଲ୍ୟ ନ ନେଇ ମନ ଇଛା ଲୁଟୁଛନ୍ତି ଭୋଗ ଦୋକାନୀ। ସେଇ ଟଙ୍କାରେ ନିଜ ଭୋଗ ଦୋକାନ ପଛ ପଟେ ମଦ, ମାଂସ, ବିଭିନ୍ନ ନିଶା ଦ୍ରବ୍ୟକୁ ସେବନ କରୁଛନ୍ତି । ମା' ତାରିଣୀଙ୍କ ପବିତ୍ର ସ୍ଥାନରେ ରହି ଏହିପରି କାର୍ଯ୍ୟ କରୁଥିବାରୁ ଅନେକ ବାର ଏଭଳି ଅଘଟଣ ହେଉଛି । କିଛି ମାସ ତଳେ ୮ଟି ଗୋଟି ଭୋଗ ଦୋକାନ ଜଳି ଯାଇଥିଲା । ଏଣୁ ତାରିଣୀ ମନ୍ଦିର କାର୍ଯ୍ୟାଳୟ ଓ ପୋଲିସ ବିଭାଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଯୋର ଧରିଲାନି।