ନୂଆଦିଲ୍ଲୀ: ଦୀର୍ଘ ଦିନର ନିରବତା ପରେ ଶେଷରେ ମୁହଁ ଖୋଲିଛନ୍ତି ହାସ୍ୟ ଅଭିନେତା ସମୟ ରାଇନା। ସେ ତାଙ୍କ ଶୋ' ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ କୁ ନେଇ ଚାଲିଥିବା ବିବାଦ ଉପରେ ତାଙ୍କର ମନ୍ତବ୍ୟ ରଖିଛନ୍ତି। ସମୟ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ‘ଶୋ'ର ସମସ୍ତ ଭିଡିଓ ହଟାଇ ଦିଆଯାଇଛି ଏବଂ ଏଥିପାଇଁ କର୍ତ୍ତୃପକ୍ଷଙ୍କୁ ପୂର୍ଣ୍ଣ ସହଯୋଗ କରୁଛି’ ବୋଲି ପୋଷ୍ଟ କରିଛନ୍ତି। ଲୋକଙ୍କୁ ହସାଇବା ମୋର ଏକମାତ୍ର ଲକ୍ଷ୍ୟ ଥିଲା ବୋଲି ମଧ୍ୟ ସେ କହିଛନ୍ତି।
ସମୟ ରାଇନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ, ଲେଖିଛନ୍ତି, "ଯାହା ସବୁ ଘଟୁଛି ତାହା ମୋ ପାଇଁ ବହୁତ କଷ୍ଟକର। ମୁଁ ମୋ ଚ୍ୟାନେଲରୁ ସମସ୍ତ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଭିଡିଓ ହଟାଇ ଦେଇଛି। ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ହସାଇବା ଏବଂ ଭଲ ସମୟ ବିତାଇବା। ମୁଁ ସମସ୍ତ ଏଜେନ୍ସିଗୁଡ଼ିକୁ ସେମାନଙ୍କର ତଦନ୍ତ ନିରପେକ୍ଷ ଭାବରେ ସମାପ୍ତ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିବି। ଧନ୍ୟବାଦ।"
ଆପତ୍ତିଜନକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ହେଉଥିବା ସମୟ ରାଇନାଙ୍କ ଏହି କମେଡି ରିୟଲିଟି ସିରିଜ୍ ଟି ଲୋକପ୍ରିୟ ହୋଇପାରିଛି। ଏହି ଶୋ ରେ ଜଣେ ଜଜ୍ ରୁପେ ଯୋଗଦେଇ ଆଲ୍ଲାବାଦିଆ ଜଣେ ପ୍ରତିଯୋଗୀଙ୍କୁ ପିତାମାତା ଏବଂ ଯୌନ ସମ୍ପର୍କି ସମ୍ବନ୍ଧୀୟ ଏକ ପ୍ରଶ୍ନ ପଚାରିଥିଲେ। ଯାହାକୁ ନେଇ ସମଗ୍ର ଦେଶରେ ବିବାଦ ବୃଦ୍ଧି ପାଇଛି। ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ଆହ୍ଲାବାଦିଆ ସୋମବାର ଏକ୍ସରେ କ୍ଷମା ପ୍ରାର୍ଥନା କରିଥିଲେ। ୟୁଟ୍ୟୁବର ଆହ୍ଲାବାଦିଆ କ୍ଷମା ପ୍ରାର୍ଥନ କରିଥିଲେ ମଧ୍ୟ ବିଭନ୍ନ ସାମାଜିକ ଗଣମାଧ୍ୟମପରେ ତାଙ୍କୁ ଟ୍ରୋଲ କରାଯାଉଛି। ଏନେଇ ଆସାମ ପୋଲିସ ଓ ମହାରାଷ୍ଟ୍ର ପୋଲିସ ମାମଲା ମଧ୍ୟ ରୁଜୁ କରିଛି। ଏହି ଶୋ’ରେ ଭାଗ ନେଇଥିବା ମୋଟ ୩୦ ଜଣଙ୍କ ଉପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି।
ବିବାଦ ବଢିଯିବାରୁ, ମାର୍ଚ୍ଚ ଓ ଏପ୍ରିଲ ମାସରେ ଗୁଜରାଟର ଅହମ୍ମଦାବାଦ ଏବଂ ସୁରଟରେ ହେବାକୁ ଥିବା ସମୟ ରାଇନାଙ୍କ ଶୋ’ଗୁଡ଼ିକୁ ବାତିଲ କରାଯାଇଛି।