ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିରୁଦ୍ଧରେ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛି ଏଲନ ମସ୍କଙ୍କ କମ୍ପାନୀ ଏକ୍ସ କର୍ପ । କମ୍ପାନୀ ଭାରତ ସରକାରଙ୍କ ଆଇଟି ଆଇନର ଧାରା 79(3)(b) ଉପରେ ପ୍ରଶ୍ନ ଉଠାଇଛି। କମ୍ପାନୀ କହିଛି ଯେ,ଏହି ନିୟମ ଏକ ବେଆଇନ ଏବଂ ଅନିୟମିତ ସେନ୍ସରସିପ୍ ସିଷ୍ଟମ ସୃଷ୍ଟି କରୁଛି, ଯାହା ଅଧୀନରେ କଣ୍ଟେଣ୍ଟକୁ ବ୍ଲକ କରିବା ଦ୍ୱାରା ପ୍ଲାଟଫର୍ମର କାର୍ଯ୍ୟ ପ୍ରଭାବିତ ହେଉଛି।
ଏହି ଧାରାରେ କୁହାଯାଇଛି ଯେ, କେଉଁ ପରିସ୍ଥିତିରେ ସରକାରଙ୍କର ଇଣ୍ଟରନେଟ୍ କଣ୍ଟେଣ୍ଟକୁ ବ୍ଲକ କରିବାର ଅଧିକାର ଅଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ କହିଛି, "କଣ୍ଟେଣ୍ଟକୁ ହଟାଇବା ପାଇଁ ଲିଖିତ ଭାବରେ କାରଣ ଦେବା ଆବଶ୍ୟକ ଏବଂ ନିଷ୍ପତ୍ତି ନେବା ପୂର୍ବରୁ ଏକ ଉପଯୁକ୍ତ ଶୁଣାଣି ବ୍ୟବସ୍ଥା କରାଯିବା ଉଚିତ। ଏହାକୁ ଆଇନଗତ ଭାବରେ ଚ୍ୟାଲେଞ୍ଜ କରିବାର ଅଧିକାର ମଧ୍ୟ ରହିବା ଉଚିତ। ତେବେ ଭାରତ ସରକାର ଏହି ନିୟମ ଗୁଡ଼ିକ ମଧ୍ୟରୁ କୌଣସିଟି ବ୍ୟବହାର କରିନାହାଁନ୍ତି ବୋଲି କମ୍ପାନୀ କହିଛି।
ଆବେଦନରେ କୁହାଯାଇଛି ଯେ, ସରକାର ଧାରା 79(3)(b)ର ଭୁଲ ବ୍ୟାଖ୍ୟା କରୁଛନ୍ତି ଏବଂ ଧାରା 69A ର ବ୍ୟବସ୍ଥା ପାଳନ କରୁନଥିବା ନିର୍ଦ୍ଦେଶ ପ୍ରଦାନ କରୁଛନ୍ତି। ଏହି ଧାରାରେ ସରକାର କେଉଁ ପରିସ୍ଥିତିରେ ଇଣ୍ଟରନେଟ୍ କଣ୍ଟେଣ୍ଟକୁ ଅବରୋଧ କରିପାରିବେ ତାହା ବ୍ୟାଖ୍ୟା କରାଯାଇଛି। କମ୍ପାନୀ ୨୦୧୫ ମସିହାରେ ଶ୍ରେୟା ସିଂହଲ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ଉଲ୍ଲେଖ କରିଛି।
ତେବେ ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ କି କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ X କର୍ପକୁ ଏହାର AI ଚାଟବଟ୍ ଗ୍ରୋକ୍ (Grok) ବିଷୟରେ ପ୍ରଶ୍ନ ପଚାରିଛି। ଗ୍ରୋକ୍ ଅନେକ ପ୍ରଶ୍ନର ଉତ୍ତରରେ ଅପମାନଜନକ ଭାଷା ବ୍ୟବହାର କରୁଛି, ଯାହା ପାଇଁ ଭାରତ ସରକାର କମ୍ପାନୀଠାରୁ ସ୍ପଷ୍ଟ ଉତ୍ତର ମାଗିଛନ୍ତି।