ପ୍ରମୂଖ ଖବର
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ସାହିଯାତ ପାଇଁ ପ୍ରସ୍ତୁତ ହେଲାନି ଭିତ୍ତିଭୂମି, ଖାଲିପାଦରେ କଳା ପ୍ରଦର୍ଶନ ହେବ କଷ୍ଟକର

Published By : Prameya | March 31, 2025 2:25 PM

ପୁରୀ,୩୧/୦୩: ଦିନ କେତେଟା ପରେ ସାହିଯାତ । ବୀରବାଦ୍ୟରେ କମ୍ପିବ ସାହି ଗଳିକନ୍ଦି । ସାହିଯାତରେ ବାହାରିବାକୁ ଥିବା କଳାକାରମାନେ ଦୀର୍ଘଦିନରୁ ଏଥିପାଇଁ ନୃତ୍ୟ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ନିଷ୍ଠାର ସହ ଖାଦ୍ୟପେୟ ଗ୍ରହଣ କରିବା ସହ ତାଟିମେଢ଼ ପିନ୍ଧି ସେମାନେ ଜାଗା ଆଖଡ଼ାରେ ନୃତ୍ୟ ଅଭ୍ୟାସ କରୁଛନ୍ତି ।  ସାହିଯାତ ବେଳେ କଳାକାରମାନେ  ଖାଲି ପାଦରେ ପୁରୀର ବିଭିନ୍ନ ସାହି  ଗଳିକନ୍ଦି ବୁଲିବାର ନିୟମ ରହିଛି । ହେଲେ ଏବେ ସୁଦ୍ଧା କଳାକାରଙ୍କୁ ସ୍ୱାଗତ କରିବାକୁ ସାହି ଗଳି ପ୍ରସ୍ତୁତ ହୋଇପାରିନାହିଁ । ମନ୍ଦିର ଆଖପାଖ ଗଳିକନ୍ଦି ଖାଲଖମାରେ ଭରି ରହିଛି ।  କେତେକ ସ୍ଥାନରେ ଏବେ ବି ବିଦ୍ୟୁତ  ତାର ତଳକୁ ଝୁଲି ରହିଛି । ଯାହାଦ୍ୱାରା  ନିଝାମ, ବନାଟି, ବାଡ଼ି ଖେଳ, ମୁଦ୍‌ଗର  ଚାଳନା ଭଳି ଦୁଃସାହସିକ କ୍ରୀଡ଼ା  ପ୍ରଦର୍ଶନ ସମୟରେ ସମସ୍ୟା ଉପୁଜିବ ।  

ସାହିଯାତରେ ବାଲିସାହିରୁ ସର୍ବାଧିକ କଳାକାର ବାହାରିଥାନ୍ତି । ଏହି ସାହିର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ରହିଛି ।  କାକୁଡ଼ିଖାଇ ଛକରେ ବିରାଟ ଖାଲଖମା ରହିଥିବାରୁ ଏଠାରେ ସବୁବେଳେ ପାଣି ଜମୁଛି । ଏହା ସହ ବାଲି ସାହିର ଉଭୟ ପାଶ୍ୱର୍ରେ ଅନେକ ଛୋଟ ବଡ଼ କ୍ୟାବିନ ରଖାଯାଇଥିବାରୁ ରାସ୍ତା ସଙ୍କୀର୍ଣ୍ଣ ହୋଇଯାଇଛି । ଯାହା ଫଳରେ ମେଢ଼  ପ୍ରବେଶ କରି ନୃତ୍ୟ ପ୍ରଦର୍ଶନ କରିବା  କଷ୍ଟକର ହେବ । ଦକ୍ଷିଣକାଳି ମନ୍ଦିର  ନିକଟସ୍ଥ ରାସ୍ତାରେ କୁଢ଼କୁଢ଼ ଆବର୍ଜନା  ଜମିଥିବାରୁ ଏଠାରେ ମଧ୍ୟ ରାସ୍ତା  ସଙ୍କୀର୍ଣ୍ଣ ହୋଇଯାଇଛି । ସେହିଭଳି  କୁଣ୍ଢେଇବେଣ୍ଟ ସାହି ଅଧୀନରେ  ଆସୁଥିବା ଜାଡୁଆଣୀ ଲାଇବ୍ରେରୀ  ଛକଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ରାସ୍ତାର  ସ୍ଥିତି ମଧ୍ୟ ଭଲନାହିଁ । ମନ୍ଦିରଠାରୁ  କିଛି ମିଟର ଦୂରରେ ଥିବା ମରିକର୍ଣ୍ଣିକା  ଛକ ଲୋକନାଥ ରୋଡରେ ମଧ୍ୟ ନଳା  ପାଣି ଭାସୁଥିବା ଦେଖିବାକୁ ମିଳିଛି । 

ସାହିଯାତରେ ଦୋଳମଣ୍ଡପ ସାହିର  ପ୍ରମୁଖ ଭୂମିକା ରହିଥାଏ । ହେଲେ ଦୋଳମଣ୍ଡପ ସାହିରେ ମଧ୍ୟ ଅନେକ ଖାଲଖମା ଭରି ରହିଛି । ଲୋକ ବାରମ୍ବାର  ଅଭିଯୋଗ କରିବା ପରେ ଯେଉଁ କେତେକ ସ୍ଥାନରେ କାମଚଳା ଭାବେ ରାସ୍ତା ମରାମତି କରାଯାଇଥିଲା, ତାହା  ମଧ୍ୟ ଉଠିଗଲାଣି । ଶ୍ରୀମନ୍ଦିରରୁ ସମୁଦ୍ରକୁ  ସଂଯୋଗ କରୁଥିବା ଏହି ପ୍ରମୁଖ ରାସ୍ତାରେ ସବୁବେଳେ ଗାଡ଼ିମଟରର  ଗହଳି ଲାଗି ରହିଥାଏ । ରାସ୍ତାର ସ୍ଥିତି ଭଲ ନଥିବାରୁ ସବୁବେଳେ ଦୋଳମଣ୍ଡପ  ସାହିରେ ଟ୍ରାଫିକ ଜାମ୍‌ ଦେଖିବାକୁ  ମିଳୁଛି । ମୋଚି ସାହି ଛକର ଅବସ୍ଥା ମଧ୍ୟ ସଙ୍ଗୀନ ରହିଛି। ଏହି ଛକରେ  ରାସ୍ତା ମରଣଜନ୍ତା ପାଲଟିଛି । ଏଠାରେ ସବୁବେଳେ ଗାଡ଼ି ମଟର ଦୁର୍ଘଟଣାଗ୍ରସ୍ତ ହେଉଛି । ନରେନ୍ଦ୍ର କୋଣଠାରୁ ମାର୍କେଟ  ଛକ ପର୍ଯ୍ୟନ୍ତ ରାସ୍ତାର ସ୍ଥିତି ମଧ୍ୟ ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.