କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଉତ୍କଳ ଜନନୀଙ୍କର ପବିତ୍ର ଆବାହନୀ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ । କୋଟି କୋଟି ଓଡ଼ିଆଙ୍କୁ ଜାତି ପ୍ରେମରେ ସୁଦୃଢ଼ ବନ୍ଧନରେ ବାନ୍ଧି ରଖିବା ସହ ଓଡ଼ିଶାର ଗୌରବକୁ ବିଶ୍ୱବ୍ୟାପୀ କରିବା ପାଇଁ ପ୍ରେରଣା ଦେଇ ଆସିଥିବା ଏହି ସଙ୍ଗୀତର ଅନ୍ତଃସ୍ୱରରେ ଦେଶାତ୍ମବୋଧ ଓ ଜାତୀୟତାଭାବ ସତତ ପ୍ରତିଫଳିତ ।
ଭୁବନେଶ୍ୱର,୦୧/୦୪: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୪ ବର୍ଷ ପରେ ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଲେ । ୨୦୨୦, ଜୁନ୍ ୭ ତାରିଖ, ରବିବାର ପୂର୍ବାହ୍ଣ । ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ମିଳିଲା ଅନୁମୋଦନ । ଆଜି ବିଶ୍ୱ ଦରବାରରେ ଓଡ଼ିଶାର ବୈଭବକୁ ଏହି ସଙ୍ଗୀତ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଦେଶାତ୍ମବୋଧ ଏବଂ ଜାତୀୟତାବୋଧ ହେଉଛି ଏହାର ସାର ମର୍ମ । ସଙ୍ଗୀତର ପ୍ରତିଟି ଶବ୍ଦରେ ରହିଛି ଦେଶ ଭକ୍ତିର ଅଫୁରନ୍ତ ଶକ୍ତି ଓ ଆଗକୁ ବଢ଼ିବା ପାଇଁ ଅଦମ୍ୟ ପ୍ରେରଣା । ୧୯୧୨ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅନୁରୋଧ କ୍ରମେ କାନ୍ତକବି ଲକ୍ଷ୍ମୀକାନ୍ତ ଏହାର ରଚନା କରିଥିଲେ । ତାଙ୍କର ଏହି ଅନବଦ୍ୟ ସୃଷ୍ଟିକୁ ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଗାୟନ କରାଯାଉଥିଲା । ୧୯୩୬ ଏପ୍ରିଲ୍ ପହିଲାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ଦିନଠାରୁ ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଙ୍ଗୀତ ଭାବେ ପ୍ରତି ଓଡ଼ିଆଙ୍କ ହୃଦୟରେ ଓ ଭାବନାରେ ରହିଆସିଛି। ୧୯୯୪ରେ ସର୍ବ ପ୍ରଥମେ ଏହି ସଙ୍ଗୀତ ବିଧାନସଭା ଅଧିବେଶନର ଶେଷଦିନ ଗାନ କରାଯାଇଥିଲା । ସେବେଠାରୁ ପ୍ରତି ବିଧାନସଭା ଅଧିବେଶନର ଶେଷ ଦିବସରେ ଉଦ୍ଯାପନୀ ସଙ୍ଗୀତ ଭାବେ ଗାନ କରାଯିବାକୁ ନିଷ୍ପତ୍ତି ନିଆଯାଇ ଆଜି ପର୍ଯ୍ୟନ୍ତ ପାଳନ ହୋଇଆସୁଛି ।
ବଡ଼ କଥା ହେଲା³ କରୋନା କାଳରେ କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ୨୦୨୦, ମେ’ ୩୦ ତାରିଖ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ରାଜ୍ୟ ସମେତ ଦେଶ, ବିଦେଶରେ ରହୁଥିବା ଓଡ଼ିଆଙ୍କୁ ନିବେଦନ କରାଯାଇଥିଲା । ଏହାପରେ ଦେଶ, ବିଦେଶରୁ ଏକ ସମୟରେ ଶୁଭିଥିଲା ‘ବନ୍ଦେ ଉତ୍କଳ ଜନନୀ’ । ଏହି ବିରଳ ଅନୁଭବକୁ ସତେଜ ରଖିବା ପାଇଁ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଓଡ଼ିଆ ସରକାରଙ୍କ ନିକଟକୁ ଭିଡିଓ ପଠାଇଥିଲେ । ଏହି ମୁହୂର୍ତ୍ତକୁ ଚିରସ୍ଥାୟୀ କରିବା ସହ ସାଢ଼େ ୪ କୋଟି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଇଥିଲା ।
କେମିତି ଗାଇବେ...
ଆରମ୍ଭରୁ ଶେଷ ଯାଏ ଦଣ୍ଡାୟମାନ ହୋଇ ରହିବେ
ବୟସ୍କ, ଅସୁସ୍ଥ, ଭିନ୍ନକ୍ଷମ ଓ ଶିଶୁଙ୍କୁ ଛାଡ଼
ସଙ୍ଗୀତର ଅନୁମୋଦନ ପରେ ଏହାର ଗାୟନକୁ ନେଇ ବୈଠକରେ କେତେକ ନିଷ୍ପତ୍ତି ନିଆଯାଇଥିଲା । ଏହାର ଅନୁମୋଦିତ ସ୍ୱର, ଶୈଳୀ ତଥା ରେକର୍ଡିଂ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ହେବ । ଗାୟନ ଅବଧି ସ୍ୱର ତଥା ଶୈଳୀ ଉକ୍ତ ରେକର୍ଡିଂ ଆଧାରରେ ନିର୍ଦ୍ଧାରିତ ହେବ । ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭା ଅଧିବେଶନ, ସ୍ୱତନ୍ତ୍ର ସରକାରୀ କାର୍ଯ୍ୟକ୍ରମରେ ଏହି ସଙ୍ଗୀତର ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣକୁ ପରିବେଷଣ କରାଯିବ । ସ୍କୁଲ, କଲେଜ, ଅନ୍ୟାନ୍ୟ ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସହିତ ଏହାକୁ ଗାୟନ କରାଯିବ । ଉଦ୍ଘାଟନୀ, ଉଦ୍ଯାପନୀ ଓ ଉଦ୍ବୋଧନୀ ସଙ୍ଗୀତ ଭାବେ ଏହା ଗାୟନ କରାଯିବା ସମୟରେ ଏଥିପ୍ରତି ସମ୍ମାନ ଜଣାଇ ଉପସ୍ଥିତ ସମସ୍ତେ ଆରମ୍ଭରୁ ଶେଷ ଯାଏ ଠିଆ ହୋଇ ରହିବେ । ମାତ୍ର ଠିଆ ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବୟସ୍କ, ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତୀମାନେ ସଙ୍ଗୀତ ଗାୟନ ସମୟରେ ନିଜ ସ୍ଥାନରେ ବିନମ୍ର ଭାବେ ବସି ରହି ଏଥିପ୍ରତି ସମ୍ମାନ ପ୍ରଦର୍ଶନ କରିବେ । ଶିଶୁମାନଙ୍କୁ ସଙ୍ଗୀତ ପରିବେଷଣ ସମୟରେ ଦଣ୍ଡାୟମାନ ରହିବାରୁ ଅବ୍ୟାହତି ଦିଆଯାଇଛି । ସଙ୍ଗୀତକୁ ପୁଲିସ୍ ବ୍ୟାଣ୍ଡ୍, ବଂଶୀ, ସୀତାର ଭଳି ବିଭିନ୍ନ ବାଦ୍ୟ ଯନ୍ତ୍ର ମାଧ୍ୟମରେ ମଧ୍ୟ ପରିବେଷଣ କରାଯାଇ ପାରିବ । ଏହାର ପ୍ରଚାର, ପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବ ନାହିଁ । ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଧାନସଭାରେ ସରକାରଙ୍କ ଉତ୍ତର
ଗାୟନ ନିୟମରେ ଖିଲାପ ପାଇଁ ଦଣ୍ଡ ପ୍ରାବଧାନ ନାହିଁ
ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଆୟୋଜନ କରାଯାଉଥିବା ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ଉତ୍କଳ ଜନନୀଙ୍କର ପବିତ୍ର ଆବାହନୀ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଉଛି । ଏହି ଆବାହନୀ ସଙ୍ଗୀତର ପରିବେଷଣ, ମୂଳ ଲେଖା ଓ ଆଦର୍ଶ କାଇଦା ସମ୍ପର୍କରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୦ ଜୁନ୍ ୭ ତାରିଖରେ ପ୍ରକାଶିତ ଗେଜେଟ୍ରେ ଯଥାବିଧି କାର୍ଯ୍ୟକାରୀ କରାଯିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଅନୁଯାୟୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି । ଏହାକୁ ଗାନ କରିବା ପାଇଁ ନିୟମାବଳୀ ସ୍ଥିରୀକୃତ ହୋଇଛି । ଏହି ସଙ୍ଗୀତ ଗାୟନ ବେଳେ ନିୟମଗୁଡ଼ିକର କଡ଼ାକଡ଼ି ପାଳନ ଓ ଅନୁସରଣ ନିମନ୍ତେ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବିଭାଗୀୟ ମୁଖ୍ୟ, ରାଜସ୍ୱ ଆୟୁକ୍ତ ଓ ରାଜସ୍ୱ ପରିଷଦଙ୍କୁ ଠିକ୍ ଭାବରେ ପରିବେଷଣ ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ବି ହୋଇଛି । କିନ୍ତୁ ଉକ୍ତ ନିୟମାବଳୀରେ କୌଣସି ଦଣ୍ଡ ବିଧାନର ପ୍ରାବଧାନ ନାହିଁ ବୋଲି ସରକାର ସୂଚିତ କରିଛନ୍ତି । ନିକଟରେ ଏହା ଉପରେ ବିଧାନସଭାରେ ଆଲୋଚନା ମଧ୍ୟ ହୋଇଛି । ଗତ ମାର୍ଚ୍ଚ ୨୮ ତାରିଖରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ବିଧାୟକ ଗଣେଶ୍ୱର ବେହେରାଙ୍କ ଏ ସମ୍ପର୍କିତ ପ୍ରଶ୍ନରେ ବିଧାନସଭାରେ ସ୍ପଷ୍ଟ ଉତ୍ତର ରଖିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।