ନୂଆଦିଲ୍ଲୀ, ୦୬/୦୨ : ପବନରେ ତିଆରି ହେବ ରିସର୍ଟ। ଆଶ୍ଚର୍ଯ୍ୟ ଲାଗୁଛି ନା... ହେଲେ ଏହା ସତ। ଏଭଳି ଏକ ରିସର୍ଟ ନିର୍ମାଣ କରିବାକୁ ଯାଉଛି ଦୁବାଇ। ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ସ୍କାଇ ସ୍କାପର୍ସ ପାଇଁ ଜଣାଶୁଣା ଦୁବାଇ। ଏଠାରେ ଦୁନିଆର ଉଚ୍ଚତମ କୋଠା ବୁର୍ଜ ଖଲିଫା ସମେତ ଅନେକ ସୁନ୍ଦର ସୁନ୍ଦର ଅଟ୍ଟାଳିକା ଏବଂ ରିସର୍ଟ ଅଛି। ଏବେ ଦୁବାଇ ଆଉ ଏକ ରିସର୍ଟ ନିର୍ମାଣ କରିବାକୁ ଯାଉଛି। ଜବିଲ ପାର୍କରେ ଦୁନିଆର ସବୁଠୁ ଉଚ୍ଚ ୱେଲବିଙ୍ଗ ରିସର୍ଟ ନିର୍ମାଣ ହେବ। ଏହାର ନାମ ଥର୍ମେ ଦୁବାଇ ରଖାଯିବ। ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ହମଦାନ ବିନ ମହମ୍ମଦ ବିନ ରାଶିଦ ଅଲ ମକତୁମ ଏହି ଘୋଷଣା କରିଛନ୍ତି।
୫ ଲକ୍ଷ ସ୍କୋୟାର ଫୁଟରେ ୧୦୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଭବ୍ୟ ରିସର୍ଟ ନିର୍ମାଣ କରାଯିବ। ଏଥିପାଇଁ ୪୭ ଅରବ ଖର୍ଚ୍ଚ ହେବ। ଆରକିଟେକଚରର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିବ। ଏଥିରେ ୩ଟି ମହଲା ରହିବ। ରେଷ୍ଟୋରେସନ, ଆରାମ ଏବଂ କ୍ରୀଡ଼ା ଉପରେ କେନ୍ଦ୍ରିତ ହେବ। ଏଥିରେ ଏକ ଇଣ୍ଟରଆକ୍ଟିଭ୍ ଗାର୍ଡେନ ମଧ୍ୟ ରହିବ। ଏହା ଭିତରେ ଦୁନିଆର ସବୁଠୁ ବଡ଼ ଇନଡୋର ବଟାନିକାଲ ଗାର୍ଡେନ ତିଆରି ହେବ। ଏଥିରେ ୩୦୦୦ରୁ ଅଧିକ ଗଛ ଲଗାଯିବ। ୨୦୨୩ ତୁଳନାରେ ୧୭ ପ୍ରତିଶତ ଅଧିକ ଗଛ ଲଗାଯିବ। ଏହାର ଏକ ଥ୍ରୀ ଡି ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଏହି ରିସର୍ଟ ଭିତର ଏବଂ ବାହାରର ନିର୍ମାଣ କିଭଳି ହେବ, ଏହା କେତେ ବଡ଼ ହେବ ? ଏଥିରେ କଣ କଣ ସୁବିଧା ମିଳିବ ? ତାହା ସବୁ ଏହି ଭିଡିଓରେ ଦେଖିବାକୁ ମିଳିବ।
ଏହି ଖବରଟିକୁ ପଢନ୍ତୁ-Tirupati Temple: ପାଳନ କରୁନଥିଲେ ହିନ୍ଦୁ ଧାର୍ମିକ ପ୍ରଥା, ୧୮ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ତିରୁପତି ମନ୍ଦିର ବୋର୍ଡ
ଏନେଇ କ୍ରାଉନ ପ୍ରିନ୍ସ କହିଛନ୍ତି ଯେ, ସହରୀ ବାୟୋ ଡାଇଭରସିଟି, ପରିବେଶ ସ୍ଥିରତାକୁ ଦୃଷ୍ଟିରେ ରଖି ଏହି ଅନନ୍ୟ ପ୍ରୋଜେକ୍ଟ କରାଯାଇଛି। ଦୁବାଇବାସୀ ଏବଂ ପର୍ଯ୍ୟଟକଙ୍କୁ ଏକ ଭବ୍ୟ ଅନୁଭବ ଦେବା ପାଇଁ ଏହି ରିସର୍ଟ ନିର୍ମାଣ ହେବ। ୨୦୨୮ ସୁଦ୍ଧା ଏହି ରିସର୍ଟର ନିର୍ମାଣ କାର୍ଯ୍ୟ ସରିବ ଏବଂ ଲୋକଙ୍କ ପାଇଁ ଖୋଲି ଦିଆଯିବ। ଏହା ବର୍ଷକୁ ୧.୭ ମିଲିୟନ ପର୍ଯ୍ୟଟକଙ୍କୁ ସେବା ପ୍ରଦାନ କରିବ।
କ୍ଵାଲିଟି ଅଫ ଲାଇଫ୍ ଷ୍ଟ୍ରାଟେଜି-୨୦୩୩ ଆଧାରରେ ଏହି ପ୍ରୋଜେକ୍ଟ ତିଆରି କରାଯିବ। ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ହେଉଛି ଦୁବାଇକୁ ବିଶ୍ଵର ସବୁଠାରୁ ସୁନ୍ଦର ସହର ଭାବେ ଗଢି ତୋଳିବା। ଏହି ପ୍ରୋଜେକ୍ଟରେ ୨୦୦ରୁ ଅଧିକ ପାର୍କ ବିକଶିତ କରାଯିବ, ସମୁଦ୍ର ତଟରେ ସାଇକେଲିଂ ଟ୍ରାକ୍ ନିର୍ମାଣ ହେବ, ସମୁତ୍ର ତଟକୁ ସମ୍ପ୍ରସାରଣ କରାଯିବ। ବିଶେଷ କରି ମହିଳାମାନଙ୍କ ପାଇଁ ଏକ ନିର୍ଦ୍ଧିଷ୍ଟ ବେଳାଭୂମି ନାମିତ କରାଯିବ।