ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଆଳି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ; ୪ ହଜାର ଲୋକ ହନ୍ତସନ୍ତ

Published By : Prameya | March 27, 2025 12:08 AM

ନ ମୌଜା,୨୬/୩ : ଆଳି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବାବେଳେ ଏହି ସମସ୍ୟାକୁ ଦୂର କରିବା ପାଇଁ ଜଳ ସମ୍ପଦ ବିଭାଗ ତଥା ଆଳି ପ୍ରଶାସନ ଶତ ଚେଷ୍ଟା କରି ମଧ୍ୟ ଫେଲ୍‌ ମାରିଛି । ଗ୍ରୀଷ୍ମ ଆରମ୍ଭରୁ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି । ଆଳି ବ୍ଲକ ଅଧୀନ ବାଳକାଟି ପଞ୍ଚାୟତର ୧୨ଟି ୱାର୍ଡରେ ୪ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । କୌଣସି ପରିସ୍ଥିତିରେ ବିଦ୍ୟୁତ୍‌ କାଟ୍‌ ନକରିବାକୁ ନିର୍ଦ୍ଦେଶ ଥିବା ବେଳେ ପୂର୍ବ ବକେୟା ବିଲ୍‌ ପୈଠ ନକରିଥିବାରୁ ବିଦ୍ୟୁତ୍‌ ବିଭାଗ ବସୁଧା ଯୋଜନାରେ ନିର୍ମିତ ଦୁଇଟି ପାଣି ଟାଙ୍କିକୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରି ଦେଇଛନ୍ତି । ଫଳରେ ଆଜିକୁ ୪ ଦିନ ହେବ ଉକ୍ତ ପଞ୍ଚାୟତର ଗ୍ରାମବାସୀମାନେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଞ୍ଚାୟତରେ ଅଧାରୁ ଅଧିକ ନଳକୂଅ ଅଚଳ ଅବସ୍ଥାରେ ପଡ଼ି ରହିଥିବାବେଳେ ସେଥିମଧ୍ୟରୁ ସଚଳ ଥିବା ନଳକୂଅଗୁଡ଼ିକ ମଧ୍ୟରୁ କିଛି ନଳକୂଅରୁ ଗୋଳିଆ, ଲୁଣା, ପଙ୍କୁଆ ଓ ଅପରିଷ୍କାର ପାଣି ବାହାରୁଥିବା ଅଭିଯୋଗ ହୋଇଛି । 

ଏହା ସହିତ ଗ୍ରାମରେ ଥିବା ପୋଖରୀ, ଗାଡ଼ିଆଗୁଡ଼ିକ ଖରାଦିନରେ ଶୁଖିଯିବା ଫଳରେ ଗାଈଗୋରୁମାନେ ମଧ୍ୟ ପାଣି ବିନା ଡହଳବିକଳ ହେଉଥିବା ଦେଖା ଦେଇଛି । ଏହି ପଞ୍ଚାୟତଟି ଖରସ୍ରୋତା ନଦୀକୂଳରେ ଅବସ୍ଥ ିତ ଥିବା ବେଳେ କିଛି ଦିନ ହେବ ନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି । ତେଣୁ ଲୋକେ ଭୟରେ ନଦୀ ପାଣି ବ୍ୟବହାର କରି ପାରୁନାହାନ୍ତି । ଅପରପକ୍ଷରେ ପ୍ରଶାସନ ଏହି ପଞ୍ଚାୟତରେ ଥିବା ଜଳ ସଙ୍କଟ ଦୂର କରିବାକୁ ତତ୍ପରତା ନଦେଖାଇବା ବିଡ଼ମ୍ବନାର ବିଷୟ ବୋଲି ମତ ପ୍ରକାଶ ପାଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସେମାନେ ଏ ସମସ୍ୟା ନେଇ ପଞ୍ଚାୟତ ସ୍ତରରୁ ପ୍ରଶାସନ ସ୍ତର ଯାଏ ଦୌଡ଼ି ଦୌଡ଼ି କୌଣସି ସୁଫଳ ମିଳିନାହିଁ । 

ଯଦି ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀ ତତ୍ପରତା ପ୍ରକାଶ ନ କରନ୍ତି, ତେବେ ଲୋକେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ପଞ୍ଚାୟତବାସୀଙ୍କ ତରଫରୁ ଧନେଶ୍ୱର ରାଉତ, ବିଚିତ୍ର ରାଉତ, ଆନନ୍ଦ ରାଉତ, ବଂଶୀଧର ରାଉତ, ନିରାକାର ରାଉତ, ଗୁରୁଚରଣ ନାୟକ, ସୁଶିଲ ରାଉତ, ଜୟନ୍ତୀ ରାଉତ, ମନୋରମା ରାଉତ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଆଳି ବିଡିଓ ଅବିନାଶ ବିଶ୍ୱଜିତ ସେଠୀଙ୍କୁ ପଚାରିବାରୁ ଯଥାଶୀଘ୍ର ବାଳକାଟି ପଞ୍ଚାୟତରେ ଜଳ ସମସ୍ୟା ଦୂର ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଶେଷ ଖବର ଅନୁଯାୟୀ   ଆଜି ଟାଙ୍କି ଦୁଇଟିକୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ପଞ୍ଚାୟତର କେତେକ ଅଞ୍ଚଳକୁ ପାଣି ଯୋଗାଣ ହୋଇଛି । ତେବେ ଅଧିକାଂଶ ଅଞ୍ଚଳବାସୀ ପାଣି ପାଇ ପାରିନଥିବା ଅଭିଯୋଗ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.