ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଜନ୍ମ ଅନୁଯାୟୀ ନାଗରିକତ୍ୱ ରଦ୍ଦ କରିବାର ଆଦେଶ ଉପରେ ଦ୍ୱିତୀୟ ଥର ପାଇଁ ରୋକ ଲଗାଯାଇଛି। ମେରିଲ୍ୟାଣ୍ଡର ଗ୍ରୀନବେଲ୍ଟର ଫେଡେରାଲ୍ ଜଜ୍ ଡୋବେରା ବୋର୍ଡମ୍ୟାନ୍ ଏହି ନିର୍ଦ୍ଦେଶ ଉପରେ ଅସ୍ଥାୟି ରୋକ ଲଗାଇବାକୁ ବୁଧବାର ଦିନ ରାୟ ଦେଇଛନ୍ତି। ଏହାପୂର୍ବରୁ ୱାଶିଂଟନ୍ ରାଜ୍ୟର ଅନ୍ୟ ଜଣେ ବିଚାରପତି ଏହାକୁ ସ୍ପଷ୍ଟ ଭାବରେ ଅସାମ୍ବିଧାନିକ ବୋଲି କହି ଏହା ଉପରେ ରୋକ ଲଗାଇଦେଇଥିଲେ।
ସୂଚନା ମୁତାବକ, ଆମେରିକାରେ ଜନ୍ମିତ ପ୍ରତ୍ୟେକ ପିଲାଙ୍କୁ ଆମେରିକାର ନାଗରିକତା ଦେବାର ନିୟମ ଆମେରିକୀୟ ସମ୍ୱିଧାନର ୧୪ ତମ ସଂଶୋଧନ ଅଧୀନରେ ଆସିଥାଏ। ୧୮୬୮ ମସିହାରେ ଏହି ନିୟମ ଅଣାଯାଇଥିଲା। ଯାହା ଦ୍ୱାରା ଆମେରିକାରେ ଦାସତ୍ତ୍ୱ କରୁଥିବା ଆଫ୍ରିକୀୟମାନଙ୍କ ପାଇଁ ଦାସତ୍ୱ ସମାପ୍ତ ହେବା ସହ ସେମାନେ ଆମେରିକାର ନାଗରିକତ୍ୱ ପାଇପାରିଥିଲେ। ଏହି ନିୟମ ଅନୁଯାୟୀ, ଯିଏ ଆମେରିକାରେ ଜନ୍ମ ହୁଏ ତାକୁ ଆମେରିକୀୟ ନାଗରିକତା ମିଳିଥାଏ।
ସରକାରଙ୍କ ଏହି ନିଷ୍ପତି ବିରୋଧରେ ଆମେରିକାର ୨୨ ଟି ରାଜ୍ୟର ବହୁ ମାନବାଧିକାର ସଂଗଠନ ବିଭିନ୍ନ କୋର୍ଟରେ ମକଦ୍ଦମା ଦାୟର କରିଛନ୍ତି। ଏଥିସହ ଗର୍ଭବତୀ ମହିଳା ଗୋଷ୍ଠୀ ଏବଂ ପ୍ରବାସୀ ଅଧିକାର ସଂଗଠନ ମଧ୍ୟ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି। କୋର୍ଟରେ ଆବେଦନକାରୀମାନେ କହିଛନ୍ତି ଯେ ଜନ୍ମ ଅନୁଯାୟୀ ନାଗରିକତା ଆମେରିକାର ଗଣତାନ୍ତ୍ରିକ ପରମ୍ପରାର ଏକ ମୂଳଦୁଆ ଅଟେ। ଏହାକୁ କେହିବି ବଦଳେଇ ପାରିବେ ନାହିଁ।
ଏହି ପ୍ରସଙ୍ଗରେ ଆମେରିକାରେ ଏକ ରାଜନୌତିକ ବିବାଦ ସୃଷ୍ଟି ହୋଇଛି। ଡେମୋକ୍ରାଟିକ ଦଳ ଅଧିନରେ ଥିବା ୨୨ ଟି ରାଜ୍ୟ ଏହି ଆଦେଶ ବିରୋଧରେ ମକଦ୍ଦମା ଦାୟର କରିଥିବାବେଳେ ରିପବ୍ଲିକାନ ଦଳ ଅଧିନରେ ଥିବା ୧୮ ଟି ରାଜ୍ୟର ଆଟର୍ଣ୍ଣି ଜେନେରାଲ ଟ୍ରମ୍ପଙ୍କ ସପକ୍ଷରେ ବାହାରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ରାଷ୍ଟ୍ରପତି ହେବାର ପ୍ରଥମ ସପ୍ତାହରେ ଟ୍ରମ୍ପ ପ୍ରଶାସନ ୧୦ଟି କଠୋର ଇମିଗ୍ରେସନ ନିୟମ କାର୍ଯ୍ୟକାରୀ କରିଛନ୍ତି। ଏଥିମଧ୍ୟରୁ କିଛି ତୁରନ୍ତ କାର୍ଯ୍ୟକାରୀ କରାଯାଇଥିବାବେଳେ କେତେକ ଆଇନଗତ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟି ଏହି ମାମଲା ଆଗକୁ ସୁପ୍ରିମକୋର୍ଟ ଯାଇପାରେ।
ଆମେରିକାର ବିଶ୍ୱର ୩୦ଟି ଦେଶ ମଧ୍ୟରୁ ଗୋଟିଏ, ଯେଉଁଠାରେ 'ଜନ୍ମ ପରେ ନାଗରିକତା' ଆଇନ ବଳବତ୍ତର ରହିଛି। ଏହି ନିୟମ କାନାଡା ଓ ମେକ୍ସିକୋ ଦେଶ ମଧ୍ୟ ପାଳନ କରିଥାନ୍ତି। ତେବେ ଏହି ମାମଲାର ରାୟ କଣ ଆସିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।