ନୂଆଦିଲ୍ଲୀ ୦୫/୦୨: ଆମେରିକାର ଶାସନ କ୍ଷମତା ସମ୍ଭାଳିବା ପରଠାରୁ ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଫାର୍ଷ୍ଟ ନୀତି’ ସମଗ୍ର ବିଶ୍ୱକୁ ଚିନ୍ତା ମଧ୍ୟକୁ ଆଣିଛି । ଦାୟିତ୍ୱ ସମ୍ଭାଳିବା ପରେ ଟ୍ରମ୍ପ ଆରମ୍ଭ କରିଦେଇଛନ୍ତି ଟାରିଫ୍ ଯୁଦ୍ଧ । ପ୍ରଥମେ କାନାଡା, ମେକ୍ସିକୋ ଏବଂ ଚୀନ୍ ଉପରେ ମୋଟା ଟାରିଫ୍ ଘୋଷଣା କରିଥିଲେ ସେ । କିନ୍ତୁ ପରେ ମେକ୍ସିକୋ ଏବଂ କାନାଡ଼ା ଉପରେ କଟକଣାକୁ ମାସେ ଯାଏ ସ୍ଥଗିତ କରିଦେଇଛନ୍ତି । ଅନ୍ୟପକ୍ଷରେ, ଚୀନ୍ ବିରୋଧରେ ଟ୍ରମ୍ପଙ୍କ ଶୁଳ୍କ ବାଣ ଜାରି ରହିଛି ।
ଆମେରିକା ଏବଂ ଚୀନ୍ ମଧ୍ୟରେ ଘମାଘୋଟ ହୋଇଛି ବାଣିଜ୍ୟ ଯୁଦ୍ଧ । ପ୍ରଥମ ଟାରିଫ୍ ବାଣ ଫୁଟାଇଥିଲେ ଟ୍ରମ୍ପ । ଏବେ ଚୀନ୍ ରାଷ୍ଟ୍ରପତି ସି. ଜିନ୍ପିଙ୍ଗ୍ ପାଲଟା ହମ୍ଲା କରିଛନ୍ତି । ଚୀନ୍ର ବାଣିଜ୍ୟ ମନ୍ତ୍ରାଳୟ ମଙ୍ଗଳବାର ପ୍ରକାଶ କରିଛି ଯେ, ଏହା ଆମେରିକାର ଅନେକ ଉତ୍ପାଦ ଉପରେ ଉଚ୍ଚ ଟାରିଫ୍ ଲଗାଇବ । ଚୀନ୍ ପକ୍ଷରୁ କୋଇଲା ଏବଂ ଏଲ୍ଏନ୍ଜି ଉତ୍ପାଦ ଉପରେ ୧୫% ଶୁଳ୍କ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାସହିତ ଅଶୋଧିତ ତୈଳ, କୃଷି ଉପକରଣ, ବଡ଼ କାରଗୁଡ଼ିକ ଉପରେ ୧୦% ଶୁଳ୍ପ ଲାଗୁ କରିବାକୁ ଚୀନ୍ ଘୋଷଣା କରିଛି । ଚୀନ୍ର ବାଣିଜ୍ୟ ମନ୍ତ୍ରାଳୟ ମଙ୍ଗଳବାର ଘୋଷଣା କରିଛି ଯେ, ଏହା ଆମେରିକା ବିରୋଧରେ କେତେକ ଉତ୍ପାଦ ଉପରେ ଉଚ୍ଚ ଶୁଳ୍କ ଘୋଷଣା କରିଛି । ଏହାସହିତ ଡ୍ରାଗନ୍ ଆମେରିକୀୟ ଇଣ୍ଟର୍ନେଟ୍ ସର୍ଚ୍ଚ ଇଞ୍ଜିନ୍ ‘ଗୁଗୁଲ’ବିରୋଧରେ ଯାଞ୍ଚ ଘୋଷଣା କରିଛି । ଅନ୍ୟ ବ୍ୟାପାରସଂକ୍ରାନ୍ତ ଉପାୟ ମଧ୍ୟ ଏହା ଆଣିଛି ।
ଚୀନ୍ ସରକାରଙ୍କ କହିବାନୁସାରେ, କୋଇଲା ଏବଂ ଏଲ୍ଏନ୍ଜି ଉତ୍ପାଦଗୁଡ଼ିକ ଉପରେ ୧୫% ଶୁଳ୍କ ଲାଗୁ ହେବ । ଏହାସହିତ ଅଶୋଧିତ ତୈଳ, କୃଷି ଉପକରଣ, ବଡ଼ କାରଗୁଡ଼ିକ ଉପରେ ୧୦% ଶୁଳ୍କ ଲଗାଯିବ । ଆମେରିକାର ଏକତରଫା ଶୁଳ୍କ ବୃଦ୍ଧି ବିଶ୍ୱ ବ୍ୟାପାର ସଂଗଠନର ନିୟମର ଗମ୍ଭୀର ଉଲ୍ଲଂଘନ । ଉଭୟ ଦେଶର ସମସ୍ୟାଗୁଡ଼ିକର ସମାଧାନରେ ଏହା ସହାୟକ ହେବ ନାହିଁ ବରଂ ଏହା ଚୀନ୍ ଏବଂ ଆମେରିକା ମଧ୍ୟରେ ଆର୍ଥିକ ଏବଂ ବ୍ୟାପାର ସହଯୋଗକୁ କ୍ଷତି ପହଞ୍ଚାଇବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଚୀନ୍ ବିରୋଧରେ ଘୋଷଣା କରାଯାଇଥିବା ୧୦% ଶୁଳ୍କ ମଙ୍ଗଳବାରଠାରୁ ଲାଗୁ ହୋଇଛି ।
ସୂଚନାଯୋଗ୍ୟ, ଟ୍ରମ୍ପ ଆଗାମୀ କିଛି ଦିନ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି. ଜିନ୍ପିଙ୍ଗ୍ଙ୍କ ସହ ଆଲୋଚନା ପାଇଁ ଯୋଜନା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେକ୍ସିକୋ, କାନାଡା ଏବଂ ଚୀନ୍ରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ମୋଟା ଶୁଳ୍କ ଲଗାଇବାକୁ ଉଦ୍ଦିଷ୍ଟ ଏକ ଆଦେଶରେ ଶନିବାର ସ୍ୱାକ୍ଷର କରିଥିଲେ । ଆମେରିକୀୟଙ୍କ ସୁରକ୍ଷା ପାଇଁ ଏହା ଆବଶ୍ୟକ ବୋଲି ସେ କହିଥିଲେ । ପରେ ମେକ୍ସିକୋ ଏବଂ କାନାଡା ଉପରେ ଟାରିଫ୍ କଟକଣାକୁ ମାସେ ପାଇଁ ସ୍ଥଗିତ ରଖିବା ପାଇଁ ଟ୍ରମ୍ପ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଚୀନ୍ ବିରୋଧରେ ନିଜ ଆଭିମୁଖ୍ୟରେ ଅଟଳ ରହିଛନ୍ତି ଟ୍ରମ୍ପ । ଆମେରିକାର ଏହି ଟାରିଫ୍ ବାଣ ମଧ୍ୟରେ ସମଗ୍ର ବିଶ୍ୱ ଅର୍ଥନୀତି ଉପରେ କଳାବାଦଲ ଢାଙ୍କି ହୋଇଗଲାଣି । ଟ୍ରମ୍ପଙ୍କ ଆକ୍ରାମକ ନୀତି ବିଶ୍ୱ ବାଣିଜ୍ୟକୁ ଭୟଙ୍କର ଭାବେ ପ୍ରଭାବିତ କରିପାରେ ବୋଲି କୁହନ୍ତି ଅର୍ଥନୀତିଜ୍ଞ ।