ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଟ୍ରମ୍ପଙ୍କ ଟାରିଫ୍‌ ବାଣରେ ତେଜିଲା ବାଣିଜ୍ୟ ଯୁଦ୍ଧ,କାହିଁକି ବର୍ତ୍ତିଗଲା ଭାରତ?

Published By : Anindita | February 4, 2025 2:39 PM

ନୂଆଦିଲ୍ଲୀ,୦୪/୦୨:  ଆମେରିକାର ରାଷ୍ଟ୍ରପତି ପଦରେ ଅବସ୍ଥାପିତ ହେବା ପରେ ଆକ୍ରାମକ ବାଣିଜ୍ୟ ନୀତି ଘୋଷଣା କରିଚାଲିଛନ୍ତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରଗୁଡ଼ିକ ଉପରେ ଲଗାଉଛନ୍ତି ମୋଟା ଟାରିଫ୍‌ । ଏଥିସହିତ ବିଶ୍ୱରେ ଘନେଇଲାଣି ବଡ଼ ଧରଣର ବାଣିଜ୍ୟ ଯୁଦ୍ଧ । ଫେବ୍ରୁଆରୀ ୧ରେ ମେକ୍ସିକୋ ଏବଂ କାନାଡ଼ା ଉପରେ ୨୫% ଓ ଚୀନ୍‌ ଉପରେ ୧୦% ଟାରିଫ୍‌ ଘୋଷଣା କରିଥିଲେ ଡୋନାଲ୍ଡ ଟ୍ରମ୍ପ । ଏହାସହିତ ଟ୍ରମ୍ପ ଧମକ ଦେଇଛନ୍ତି ଯେ, ଯଦି କୌଣସି ରାଷ୍ଟ୍ର ତାଙ୍କ ନିଷ୍ପତ୍ତି ବିରୋଧରେ ପାଲଟା କାର୍ଯ୍ୟାନୁଷ୍ଠାନ ନିଅନ୍ତି ତେବେ ଆମେରିକା ପକ୍ଷରୁ ଟାରିଫ୍‌କୁ ଆହୁରି ବଢ଼ାଇ ଦିଆଯିବ ।

ରିସର୍ଚ୍ଚ ଆଣ୍ଡ୍‌ ଇନ୍‌ଫର୍ମେଶନ୍‌ ସିଷ୍ଟମ୍‌ ଫର୍‌ ଡେଭଲପିଂ କଣ୍ଟ୍ରି ଅନୁସାରେ, ଆମେରିକାର ବାଣିଜ୍ୟ ନିଅଣ୍ଟରେ ଚୀନ୍‌, ମେକ୍ସିକୋ ଏବଂ କାନାଡ଼ାର ସବୁଠାରୁ ଅଧିକ ଯୋଗଦାନ ରହିଛି । ତେବେ ମେକ୍ସିକୋକୁ ନେଇ ଟାରିଫ୍‌ ନିଷ୍ପତ୍ତିକୁ ମାସେ ପାଇଁ ସ୍ଥଗିତ ରଖିବାକୁ ଟ୍ରମ୍ପ ରାଜି ହୋଇଥିବା ସୋମବାର ସୂଚନା ଦେଇଛନ୍ତି ।  ଆମେରିକାକୁ କାନାଡା ସବୁଠାରୁ ଅଧିକ ଅଶୋଧିତ ତୈଳ ଯୋଗାଇଥାଏ । ଗତ ଜାନୁଆରୀରୁ ନଭେମ୍ବର ମଧ୍ୟରେ ୬୧% ଅଶୋଧିତ ତୈଳକୁ କାନାଡ଼ା ଆମେରିକାକୁ ଯୋଗାଇଛି । କାନାଡା, ମେକ୍ସିକୋ ଏବଂ ଆମେରିକା ଅର୍ଥବ୍ୟବସ୍ଥା ପରସ୍ପର ସହ ଗଭୀର ଭାବେ ଜଡ଼ିତ । ଆକଳନ ଅନୁସାରେ, ୩ ଦେଶ ମଧ୍ୟରେ ପ୍ରତିଦିନ ପ୍ରାୟ ୨୦୦ କୋଟି ଡଲାର ମୂଲ୍ୟର ସାମଗ୍ରୀ କାରବାର ହୋଇଥାଏ । ତେବେ ମେକ୍ସିକୋ, କାନାଡ଼ା ଓ ଚୀନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିବା ପରେ ଆମେରିକା ରାଷ୍ଟ୍ରପତି ୟୁରୋପୀୟ ସଂଘକୁ ଟାର୍ଗେଟ୍‌ କରିଛନ୍ତି ।

ଟ୍ରମ୍ପ କହିଛନ୍ତି ଯେ, ୟୁରୋପୀୟ ଦେଶଗୁଡ଼ିକ ଆମ କାର୍‌ ନେଉନାହାନ୍ତି, ଆମ କୃଷି ଉତ୍ପାଦ ଆମଦାନି କରୁନାହାନ୍ତି । ସେମାନେ ଆମଠାରୁ କିଛି ନେଉନାହାନ୍ତି କିନ୍ତୁ ଆମେ ସବୁକିଛି ସେମାନଙ୍କଠାରୁ କିଣୁଛୁ । ଲକ୍ଷ ଲକ୍ଷ କାର, ବୃହତ୍‌ ପରିମାଣର ଖାଦ୍ୟ ଏବଂ କୃଷି ଉତ୍ପାଦ ସବୁକିଛି ଆମଦାନି କରୁଛୁ । ଏଭଳି ସ୍ଥିତିରେ ଖୁବ୍‌ଶୀଘ୍ର ୟୁରୋପୀୟ ଦେଶଗୁଡ଼ିକ ଉପରେ ମୋଟା ଟାରିଫ୍‌ ଲଗାଯିବ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପଙ୍କ ଘୋଷଣା ପରେ ୟୁରୋପ୍‌ର ବଡ଼ ବଡ଼ କାର କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ୫%ରୁ ୬% ହ୍ରାସ ଘଟିଛି । ଏହି କମ୍ପାନିଗୁଡ଼ିକ ମଧ୍ୟରେ ରହିଛନ୍ତି ଫକ୍ସୱାଗନ୍‌, ବିଏମ୍‌ଡବ୍ଲ୍ୟୁ, ପୋର୍ସ, ଭଲ୍‌ଭୋ କାର୍‌ସ, ଷ୍ଟେଲାଣ୍ଟିସ୍‌ ଏବଂ ଟ୍ରକ୍‌ ନିର୍ମାତା ଡାଏଲ୍‌ମର ଇତ୍ୟାଦି । ଫ୍ରାନ୍ସର କାର ଯନ୍ତ୍ରାଂଶ ଯୋଗାଣକାରୀ ଭାଲିଓର ସେୟାର ମୂଲ୍ୟରେ ୮% ହ୍ରାସ ଘଟିଛି । 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ବାଣରେ ଆକ୍ରାନ୍ତ ହୋଇଛି ଭାରତୀୟ ଟଙ୍କା । ସୋମବାର ଏହା ରେକର୍ଡ ନିମ୍ନ ସ୍ତରକୁ ଖସିଆସିଛି । କାରବାର ଆରମ୍ଭରେ ଆମେରିକୀୟ ଡଲାର ତୁଳନାରେ ଏହାର ବିନିମୟ ମୂଲ୍ୟ ୮୭.୨୯ ସ୍ତରକୁ ଖସିଆସିଥିଲା । କାରବାର ଶେଷରେ ଏହା ୮୭.୧୮୫ ସ୍ତରରେ ବନ୍ଦ ହୋଇଛି । ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ବାଣରୁ ବର୍ତ୍ତିଯାଇଛି ଭାରତ । ଭାରତକୁ ଏହି ଯୁଦ୍ଧରୁ ଅଲଗା ରଖିଛି ଆମେରିକା । ଯଦିଓ ନିର୍ବାଚନୀ ପ୍ରଚାର ବେଳେ ଟ୍ରମ୍ପ ଭାରତର ଉଚ୍ଚ ଟାରିଫ୍‌କୁ ନେଇ ସମାଲୋଚନା କରିଥିଲେ ତଥାପି ଭାରତର ଦୃଢ଼ କୁଟନୀତି ଏହା ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଛି । 

ଚୀନ୍‌, କାନାଡା ଏବଂ ମେକ୍ସିକୋରୁ ହେଉଥିବା ଆମଦାନି ଉପରେ ଟ୍ରମ୍ପ ଟାରିଫ୍‌ ବୃଦ୍ଧି ଘୋଷଣା କରିବାର ପରବର୍ତ୍ତୀ ଦିନ ବଜେଟରେ ଭାରତ ସରକାର ଅନେକ ସାମଗ୍ରୀର ଆମଦାନି ଶୁଳ୍କ ହ୍ରାସ କରିଛନ୍ତି । ବିଶେଷକରି ଏହି ପଦକ୍ଷେପ ଆମେରିକାର ଚିନ୍ତା କମାଇବ । ଆମେରିକା ପାଇଁ ଭାରତ ଟାରିଫ୍‌ କମ୍‌ କରିଥିବାରୁ ହୁଏତ ଏଥିପାଇଁ ଦେଶକୁ ଆଶ୍ୱସ୍ତି ମିଳିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ ଅଭିଭାଷଣରେ ହାଇ-ଏଣ୍ଡ୍‌ ମୋଟର୍‌ସାଇକେଲ, କାର ଏବଂ ସ୍ମାର୍ଟଫୋନ୍‌ ଉପକରଣ ଉପରେ ସୀମା ଶୁଳ୍କ କମାଇଛନ୍ତି । ଏହା ଦ୍ୱାରା ଆମେରିକୀୟ କମ୍ପାନି ହାର୍ଲି ଡେଭିଡ୍‌ସନ୍‌, ଟେସ୍‌ଲା ଏବଂ ଆପଲ୍‌କୁ ଫାଇଦା ମିଳିପାରେ  ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.