ମାଲକାନଗିରି /ମାଥିଲି, ୨୭/୩ : ଆଦିବାସୀ ଅଧ୍ୟୁଷିତ କାଳିଆଗୁଡା ଗ୍ରାମ ବାରୁଣୀ ଶ୍ରୀକ୍ଷେତ୍ର ତ୍ରିବେଣୀ ସଙ୍ଗମ ସ୍ଥଳ ରେ ଗୁରୁବାର ମହାବାରୁଣୀ ତିଥିରେ ମହାସ୍ନାନ କରିଛନ୍ତି ଲକ୍ଷାଧିକ ଭକ୍ତ। ମାଥିଲି ବ୍ଲକ ମେକ୍କା ପଞ୍ଚାୟତ ଅନ୍ତର୍ଗତ କଳିଆଗୁଡା ଗ୍ରାମ ବାରୁଣୀ ଶ୍ରୀ କ୍ଷେତ୍ର ପୀଠ ନିକଟ ପବିତ୍ର ସାବେରୀ, ପାଙ୍ଗମ, ବାକଲି ଯୋଡି ନଦୀ ମିଶ୍ରଣ ତ୍ରିବେଣୀ ସଙ୍ଗମ ସ୍ଥଳ ରେ କେଉଁ ଆବାହନ କାଳ ରୁ ପାଳିତ ହେଉଛି ମହାବାରୁଣୀ ସ୍ନାନ। ଗୁରୁବାର ସେହି ମହାବାରୁଣୀ ତିଥି ପଡ଼ିଥିବାରୁ ଓଡିଶା, ଛତିଶଗଡ଼, ଆନ୍ଦ୍ରପ୍ରଦେଶ ସୀମାନ୍ତ ଵର୍ତ୍ତି ଅଞ୍ଚଳ ରୁ ଲକ୍ଷାଧିକ ଭକ୍ତ ବୁଡ଼ ପକାଇ ତ୍ରିବେଣୀ ସଙ୍ଗମ ନିକଟରେ ଥିବା ବାରୁଣୀ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତି।
ଏହି ଯାତ୍ରା ଗତ ୨୫ ତାରିଖରେ ଶୁଭାରମ୍ଭ ହୋଇଛି। ପ୍ରଥମ ଓ ଦ୍ଵିତୀୟ ଦିବସରେ ଅଷ୍ଟମ ପ୍ରହରୀ ନାମ ଯଜ୍ଞ ଓ ନଗର ଯାତ୍ରା ହୋଇଥିଲା। ଗୁରୁବାର ମହା ବାରୁଣୀ ଯାତ୍ରା ସହ ତ୍ରିବେଣୀ ସଂଗମରେ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅସ୍ଥି ବୀସର୍ଜନ ସହିତ ତ୍ରିବେଣୀ ସଙ୍ଗମରେ ବୁଡ଼ ପକେଇଥିଲେ। ବାରୁଣୀ ମେଳାରେ ଦୋକାନ ବଜାର ସାଙ୍ଗକୁ ମୀନାବଜାର ପଡ଼ିଥିଲା। ମହାବାରୁଣୀ ଯାତ୍ରାକମିଟିର ସଭାପତି ଡମ୍ବୁଧର ପେରମା, ଉପସଭାପତି ପଦୁ ନାୟକ,ବଳରାମ ଅନୁଗୁଳିଆ ,ସମରା ନାୟକ,ସହଦେଵ ନାୟକ,ମଙ୍ଗଳା ଖୁର୍ମୀ,ସମାରୁ ନାୟକ, ତ୍ରିନାଥ ଭୂମିଆ,ମୁନିରାମ ଭୂମିଆ, ବଳରାମ ନାୟକ, ବାସୁଦେବ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୂର୍ଯ୍ୟନାରାୟଣ ପାଢ଼ୀ ଓ ଶିବ ପ୍ରସାଦ ପରିଛା ଦୁଇ ପୂଜକ ବାରୁଣୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରେ ପୂଜା ଅର୍ଚ୍ଚନା କରିଥିବା ବେଳେ ତ୍ରିବେଣୀ ସଙ୍ଗମ ସ୍ଥଳ ରେ ଅନ୍ୟ ବ୍ରାହ୍ମଣ ମାନେ ଘାଟ ପୂଜା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲିକଙ୍କ ନେତୃତ୍ୱ ରେ ପୁଲିସ ବାହିନୀ ଉପସ୍ଥିତ ରହି ସୁରକ୍ଷା ଯୋଗାଇ ଥିଲେ।