ମାଲକାନଗିରି, ୨୪/୩ : ମାଲକାନଗିରିରୁ ମୋଟୁ ଓ ଜୟପୁରକୁ ଚାଲିଲା ମୁଖ୍ୟମନ୍ତ୍ରୀ ବସ୍ ସେବାର ୨ଟି ଏସି ବସ୍ । ଦୀର୍ଘ ୮ ମାସ ଧରି ବନ୍ଦ ରହିଥିବା ୭ ଟି ଶୀତତାପ ନିୟନ୍ତ୍ରିତ (AC) ବସ ମଧ୍ୟରୁ ଆଜି ୨ଟି ବସ୍ ଚଳାଚଳ ଆରମ୍ଭ କରିଛି । ଏହି ଏସି ବସ ଚଳାଚଳ ବନ୍ଦ ସମ୍ପର୍କରେ ପ୍ରମେୟ ଖବର କାଗଜରେ ଖବର ପ୍ରକାଶିତ ହେବା ପରେ ଏହା କାର୍ଯ୍ୟକାରୀ ହୋଇଛି । ତେବେ ବିଳମ୍ବ ହେଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ରେ ମାଲକାନଗିରିରୁ ମୋଟୁ ଓ ମାଲକାନଗିରିରୁ ଜୟପୁରକୁ ଏହି ବସ୍ ସେବା ଆରମ୍ଭ ହୋଇଛି ।
ସୋମବାର ସକାଳେ ମାଲକାନଗିରି ବସଷ୍ଟାଣ୍ଡ ଠାରେ ଜିଲ୍ଲା ପରିବହନ ପରିଚାଳକ ଆରୋଷୀ ସାହୁ, ସହକାରି ପରିବହନ ପରିଚାଳକ ନିଖିଲ ଓଝା, ସୁପର ଭାଇଜର ମାଣିକ ଦଳାଇ ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଛନ୍ତି । ମଙ୍ଗଳବାର ପୁଣି ୨ଟି ଏସି ବସ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ କୁ ଚଳାଚଳ ଆରମ୍ଭ ହେବ । ଏହା ଦ୍ୱାରା ଯାତ୍ରୀ ମାନେ ଉପକୃତ ହୋଇ ପାରିବେ ବୋଲି ପରିବହନ ପରିଚାଳକ ଶ୍ରୀ ସାହୁ ସୂଚନା ଦେଇଛନ୍ତି।