ନୂଆଦିଲ୍ଲୀ, ୨୩ /୫: ଜଳବାୟୁ ଉପରେ ପଡୁଛି ଭାରତ ସମେତ ସମଗ୍ର ବିଶ୍ୱରେ ହେଉଥିବା ବିକାଶର ପ୍ରଭାବ । ଏନେଇ ବୈଜ୍ଞାନିକମାନେ ଦାବି କରୁଛନ୍ତି, ସମୟ ଥାଉ ଥାଉ ଯଦି ଆମେ ସଚେତନ ନ ହେବା, ତେବେ ପରିବେଶ ଉପରେ ଜଳବାୟୁ ପରିବର୍ତ୍ତନର ଅତ୍ୟନ୍ତ ଭୟାନକ ପଡ଼ିବ ପ୍ରଭାବ। ଯାହା ବିଶ୍ୱ ପାଇଁ ଅତ୍ୟନ୍ତ ହାନିକାରକ ହେବ ବୋଲି ବୈଜ୍ଞାନିକମାନେ ଦାବି କରୁଛନ୍ତି । ଏହାରି ମଧ୍ୟରେ ସଦ୍ୟ ଅଧ୍ୟୟନରୁ ଏକ ଆଶ୍ଚର୍ଯ୍ୟଚକିତ ଖୁଲାସା ହୋଇଛି । ରାଜସ୍ଥାନର ଥର୍ ମରୁଭୂମି ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଥର୍ ଦିନେ ଯୁଗାନ୍ତକାରୀ ପରିବର୍ତ୍ତନର ସମ୍ମୁଖୀନ ହୋଇପାରେ । ତାପମାତ୍ରା ବୃଦ୍ଧି ଯୋଗୁଁ ବିଶ୍ୱର ଅନେକ ମରୁଭୂମିର ବିସ୍ତାର ସମ୍ପର୍କରେ ଭବିଷ୍ୟବାଣୀ ମଧ୍ୟ ବୈଜ୍ଞାନିକମାନେ କରିଛନ୍ତି । କିନ୍ତୁ ଥର୍ ମରୁଭୂମିରେ ଏହାର ବିପରୀତ ପ୍ରଭାବ ଦେଖିବାକୁ ମିଳିପାରେ । ଏହା ସବୁଜିମାରେ ରୂପାନ୍ତରିତ ହୋଇପାରେ । ଅଧ୍ୟୟନଟି ଆର୍ଥ୍ ଫ୍ୟୁଚର ପତ୍ରିକାରେ ପ୍ରକାଶ ପାଇଛି ।
ଥର୍ ବିଶ୍ୱର ୧୮ତମ ସବୁଠୁ ବଡ଼ ମରୁଭୂମି । ୯ମ ସବୁଠୁ ବଡ଼ ଉତ୍ତପ୍ତ ଉପଉଷ୍ଣମଣ୍ଡଳୀୟ ମରୁଭୂମି । ଏହା ରାଜସ୍ଥାନରୁ ପାକିସ୍ତାନର ସିନ୍ଧ ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ବର୍ଗ କିଲୋମିଟରରେ ବିସ୍ତୃତ । ଚଳିତ ଶତାବ୍ଦୀ ଶେଷ ହେବା ପୂର୍ବରୁ ଥର୍ ମରୁଭୂମି ଉଭାନ୍ ହୋଇଯିବ ବୋଲି ବୈଜ୍ଞାନିକମାନେ ଭବିଷ୍ୟବାଣୀ କରିଛନ୍ତି । ଅର୍ଥାତ୍ ଏହା ସବୁଜିମାରେ ପରିପୂର୍ଣ୍ଣ ହୋଇଯିବ । ବୈଜ୍ଞାନିକଙ୍କ ଅନୁମାନ ଅନୁସାରେ, ୨୦୫୦ ମସିହା ସୁଦ୍ଧା ସାହାରା ମରୁଭୂମିର ଆକାର ବର୍ଷକୁ ୬ ହଜାର କିମିରୁ ଅଧିକ ବଢ଼ିପାରେ । ଅନ୍ୟପକ୍ଷେ, ଥର୍ ମରୁଭୂମିରେ ହାରାହାରି ବର୍ଷା ୧୯୦୧ ଓ ୨୦୧୫ ମସିହା ମଧ୍ୟରେ ୧୦-୧୫ ପ୍ରତିଶତ ବୃଦ୍ଧି ହୋଇଛି । ବୈଜ୍ଞାନିକଙ୍କ ଦାବି, ଗ୍ରୀନ୍ହାଉସ୍ ଗ୍ୟାସ୍ ପ୍ରଭାବକୁ ଦୃଷ୍ଟିରେ ରଖି ଆଗାମି ସମୟରେ ଏଠାରେ ବର୍ଷା ପରିମାଣରେ ୫୦ରୁ ୨୦୦ ପ୍ରତିଶତ ବୃଦ୍ଧି ହୋଇପାରେ ।
ବୈଜ୍ଞାନିକଙ୍କ ଅନୁସାରେ, ଭାରତୀୟ ମୌସୁମୀ ପୂର୍ବକୁ ଚାଲିଯିବାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ କ୍ଷେତ୍ର ମରୁଡ଼ିର ସମ୍ମୁଖୀନ ହେଲା । ଧୀରେ ଧରେ ଏହି କ୍ଷେତ୍ର ମରୁଭୂମିରେ ରୂପାନ୍ତରିତ ହୋଇଗଲା । ତେବେ ଅନେକ ହଜାର ବର୍ଷ ପୂର୍ବେ ଏଠାରେ ସିନ୍ଧୁ ସଭ୍ୟତା ଥିଲା । ସେତେବେଳେ ଏଠାରେ ଭରପୂର ବର୍ଷା ହେଉଥିଲା । ତେଣୁ ଗବେଷକଙ୍କ ଅନୁସାରେ ଏହି ପ୍ରବୃତ୍ତିର ପରିବର୍ତ୍ତନରୁ ଭାରତୀୟ ମୌସୁମୀ ପଶ୍ଚିମକୁ ବିସ୍ତାର ହେବା ସହିତ ଭାରତର ପଶ୍ଚିମ ଓ ଉତ୍ତର-ପଶ୍ଚିମ କ୍ଷେତ୍ର ମୂଳତଃ ଆର୍ଦ୍ର ଜଳବାୟୁରେ ବଦଳିପାରେ । ଏହି ପରିବର୍ତ୍ତନ ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟା ପାଇଁ ଖାଦ୍ୟ ସୁରକ୍ଷାକୁ ବଢ଼ାଇପାରେ । ଥର୍ ମରୁଭୂମିକୁ ଗ୍ରେଟ୍ ଇଣ୍ଡିଆନ୍ ଡେଜର୍ଟ ମଧ୍ୟ କୁହାଯାଏ । ଏହାର ପ୍ରାୟ ୮୫ ପ୍ରତିଶତ ଭାରତରେ ଓ ୧୫ ପ୍ରତିଶତ ପାକିସ୍ତାନରେ ରହିଛି । ଏହା ଭାରତର ମୋଟ୍ ଭୌଗୋଳିକ କ୍ଷେତ୍ରର ହାରାହାରି ୪.୫୬ ପ୍ରତିଶତ । ୬୦ ପ୍ରତିଶତରୁ ଅଧିକ ମରୁଭୂମି ରାଜସ୍ଥାନରେ ରହିଛି । ଏହାର କିଛି ଅଂଶ ଗୁଜରାଟ, ପଞ୍ଜାବ ଓ ହରିଆଣା ପର୍ଯ୍ୟନ୍ତ ମଧ୍ୟ ବ୍ୟାପିଛି ।