ନୂଆଦିଲ୍ଲୀ,୧୫/୦୨: ଆସନ୍ତା ୧୯ ତାରିଖରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରୁ ଫେରିବା ପରେ ଆସନ୍ତା ୧୭ ଓ ୧୮ରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ୬ ମନ୍ତ୍ରୀଙ୍କ ନାମ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି । ଏହା ପରେ ୧୯ରେ ନୂଆ ସରକାର ଗଠନ ହେବ ବୋଲି ଚର୍ଚ୍ଚା ହେଉଛି।
ନୂଆ ସରକାରରେ ଜଣେ କିମ୍ବା ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି । ଜବାହରଲାଲ ନେହରୁ ଷ୍ଟାଡିୟମ କିମ୍ବା ରାମଲୀଳା ମୈଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ବିଜେପି ଏହି ଶପଥ ସମାରୋହକୁ ଆଡମ୍ବର ସହିତ କରିବାକୁ ନିଷ୍ପତ୍ତି ନେଇଛି । ସଦ୍ୟ ସମାପ୍ତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ୭୦ ଆସନରୁ ବିଜେପି ୪୮ଟି ଆସନ ହାସଲ କରିଛି । ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ବିଜେପି ଦୀର୍ଘ ୨୭ ବର୍ଷ ପରେ ସରକାର ଗଢ଼ିବାକୁ ଯାଉଛି । ଅନ୍ୟପକ୍ଷରେ ୨୦୧୩ରୁ କ୍ଷମତାରେ ଥିବା ଆମ୍ ଆଦ୍ମୀ ପାର୍ଟି (ଆପ)କୁ ୨୨ଟି ଆସନ ମିଳିଥିଲା ବେଳେ କଂଗ୍ରେସ ଖାତା ଖୋଲିପାରି ନାହିଁ ।