ନୂଆଦିଲ୍ଲୀ ୦୭/୦୨: ଦିଲ୍ଲୀ ଏବଂ ନୋଏଡାର ବିଦ୍ୟାଳୟଗୁଡ଼ିକୁ ପୁଣି ଥରେ ବୋମା ଧମକ ମେସେଜ୍ ମିଳିଛି। ସୂଚନା ଅନୁଯାୟୀ, ନୋଏଡାର ଶିବ ନାଦର ସ୍କୁଲ ଏବଂ ଦିଲ୍ଲୀର ପାଣ୍ଡବ ନଗରରେ ଅବସ୍ଥିତ ଆଲକୋହନ ଇଣ୍ଟରନ୍ୟାସନାଲ ସ୍କୁଲରେ ବୋମା ରଖାଯାଇଥିବା ମେଲ ମାଧ୍ୟମରେ ସୂଚନା ଦିଆଯାଇଛି। ଯାହାଫଳରେ ବମ୍ ନିଷ୍କାସନ ସ୍କ୍ୱାଡ୍, ଅଗ୍ନିଶମ ବାହିନୀ ଏବଂ ଡଗ୍ ସ୍କ୍ୱାଡ୍ ବିଦ୍ୟାଳୟ ପରିସରରେ ଅନୁସନ୍ଧାନ କରୁଛନ୍ତି। ଏପର୍ଯ୍ୟନ୍ତ ବମ୍ ବିଷୟରେ କୌଣସି ସୂଚନା ମିଳିନାହିଁ। ଏହି ବୋମା ସମ୍ପର୍କରେ ସୂଚନା ପାଇବା ପରେ ସ୍କୁଲ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଜାଗ ରହିଛନ୍ତି।
ଏଥିସହିତ ବିଦ୍ୟାଳୟ ପକ୍ଷରୁ ପିଲାମାନଙ୍କ ପରିବାରକୁ ମେସେଜ୍ ପଠାଯାଇଛି। ଯେଉଁଥିରେ ଲେଖାଯାଇଛି ଯେ ଆଜି ସକାଳେ ଧମକପୂର୍ଣ୍ଣ ଇମେଲ ହେତୁ ଆମ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ କରିବାକୁ ବାଧ୍ୟ ହେଉଛୁ। ଦୟାକରି ଧୈର୍ଯ୍ୟବାନ ରୁହନ୍ତୁ ଏବଂ ଏହି କ୍ଷେତ୍ରରେ ସହଯୋଗ କରନ୍ତୁ। ଅଧିକ ନିର୍ଦ୍ଦେଶ ଏବଂ ଅନୁମୋଦନ ପାଇଁ ଦକ୍ଷ ଅଧିକାରୀମାନଙ୍କୁ ଯୋଗାଯୋଗ କରାଯାଉଛି ।
ତେବେ ଏହାପୂର୍ବରୁ ବୁଧବାର ଦିନ ନୋଏଡାର ଚାରୋଟି ଘରୋଇ ବିଦ୍ୟାଳୟ - ଷ୍ଟେପ୍ ବାଏ ଷ୍ଟେପ୍, ଦି ହେରିଟେଜ୍, ଜ୍ଞାନଶ୍ରୀ ଏବଂ ମୟୂର ବିଦ୍ୟାଳୟକୁ ବୋମା ଧମକ ଇମେଲ ମିଳିଥିଲା। ବିଦ୍ୟାଳୟକୁ ବୋମା ଧମକ ଇମେଲ ପଠାଇଥିବା ଅଭିଯୋଗରେ ଗୁରୁବାର ଦିନ ଜଣେ ୧୪ ବର୍ଷର ନାବାଳକକୁ ପୋଲିସ ଗିରଫ କରିଛି।