ଭୁବନେଶ୍ୱର, ୬।୨ : ଐତିହାସିକ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ କରାଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏହି ମାନ୍ୟତା ଦିଆଯାଇଛି। ରାଜ୍ୟସଭାରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ସୂଚନା ଦେଇଛନ୍ତି।
ଓଡ଼ିଶାର ଐତିହ୍ୟ ଓ ବାଣିଜ୍ୟର ଗାଥା ବହନ କରିଥାଏ ବାଲିଯାତ୍ରା। ବାଣିଜ୍ୟ ଓ ସଂସ୍କୃତିର ଆଦାନପ୍ରଦାନ କେନ୍ଦ୍ର ହେଉଛି ବାଲିଯାତ୍ରା । ଓଡ଼ିଶା-ଦକ୍ଷିଣପୂର୍ବ ଏସିଆ ମଧ୍ୟରେ ଥିଲା ବାଣିଜ୍ୟିକ କାରବାର। ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା ହେଉଛି ବାଲିଯାତ୍ରା। ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ ବାଲିଯାତ୍ରା। ବାଲି ଅର୍ଥାତ୍ ଇଣ୍ତୋନେସିଆର ବାଲିଦ୍ୱୀପ ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅ ବାଲି ଦ୍ୱୀପ ସହ ଜାଭା, ସୁମାତ୍ରା ଗମନ କରୁଥିଲେ ଏବଂ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦ ଉତ୍କଳର ଅର୍ଥନୀତିକୁ କରୁଥିଲେ ସମୃଦ୍ଧ।
କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ ମଧ୍ୟ ହୋଇଥାଏ।