ନୂଆଦିଲ୍ଲୀ ୧୧/୦୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ପରାଜିତ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି ଆତିଶୀ । ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ସେ ରବିବାର ଇସ୍ତଫା ପତ୍ର ଦେବାବେଳେ ସକ୍ସେନା ତାଙ୍କୁ କଟାକ୍ଷ କରିଥିଲେ । ଯମୁନା ମା’ଙ୍କ ଅଭିଶାପ ଯୋଗୁ ଆମ୍ ଆଦମୀ ପାର୍ଟି (ଆପ୍) ନିର୍ବାଚନ ହାରିଥିବା ସକ୍ସେନା କହିଥିଲେ ।
ରିପୋର୍ଟ ଅନୁସାରେ, ଉପରାଜ୍ୟପାଳ ଆତିଶୀଙ୍କୁ କହିଥିଲେ ଯେ, ସେ (ସକ୍ସେନା) ଆତିଶୀଙ୍କ ବସ୍ ଅରବିନ୍ଦ କେଜରିୱାଲଙ୍କୁ ‘ଯମୁନାର ଅଭିଶାପ’ ବାବଦରେ ଚେତାଇଥିଲେ । କିନ୍ତୁ କେଜରିୱାଲ ଯମୁନାକୁ ସ୍ୱଚ୍ଛ କରିପାରି ନ ଥିଲେ । ଉଲ୍ଲେଖଯୋଗ୍ୟ ଯେ, ୨୦୨୩ରେ ଯମୁନାର ପ୍ରଦୂଷଣ କମ୍ କରିବା ପାଇଁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ଉପରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । କମିଟି କାମ ଆରମ୍ଭ କରିବା ପରେ କେଜରିୱାଲ ନିଜ ସମର୍ଥନ ଦେବା ସହ ସହଯୋଗ କରିବାକୁ କହିଥିଲେ । କିନ୍ତୁ ପରେ କେଜରିୱାଲ ସରକାର ଏନ୍ଜିଟିର ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁ ସିଂଘଭି ଯୁକ୍ତି ବାଢ଼ିଥିଲେ ଯେ, ଏକ ଡୋମେନ୍ ଏକ୍ସପର୍ଟଙ୍କ ପ୍ୟାନେଲ ଏହାର ନେତୃତ୍ୱ ନେଉ । କିନ୍ତୁ କୋର୍ଟ ଏହା ଉପରେ ରୋକ ଲଗାଇଦେଇଥିଲେ । ୨ ବର୍ଷରୁ ଅଧିକ ସମୟ ହେଲା ଏହି ରୋକ ଜାରିରହିଛି ।
ଅନ୍ୟପକ୍ଷରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନ୍ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେ ସରକାରୀ କାମରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ପୁଲିସ କହିଛି ଯେ, ଅମାନତୁଲ୍ଲା ହତ୍ୟା ଅଭିଯୁକ୍ତଙ୍କୁ ପୁଲିସ ହେପାଜତରୁ ବାହାର କରିବା ଲାଗି ନିଜ ସମର୍ଥକଙ୍କ ସହ ଥାନାରେ ପହଞ୍ଚିଥିଲେ । ଦିଲ୍ଲୀ ପୁଲିସର ଏକ ଟିମ୍ ଅମାନତୁଲ୍ଲାଙ୍କ ଘରେ ପହଞ୍ଚିଥିଲେ ହେଁ ସେ ନ ଥିବାରୁ ପୁଲିସ ଖାଲି ହାତରେ ଫେରିଥିଲା ।